ପୁରୀ: ଜୁନ ୫ ତାରିଖ ଏକ ପବିତ୍ର ଦିବସ, କାରଣ ଆଜି ହେଉଛି ଦେବସ୍ନାନ ପୂର୍ଣ୍ଣମୀ । ପୁରୀ ଶ୍ରୀମନ୍ଦିର ଆଜି ସତେ ଯେମିତି ଗତି ଧରିଛି । ଜଗତର ନାଥ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ସମେତ ସୁଦର୍ଶନଙ୍କ ଜନ୍ମ ତିଥି ଆଜି । ଆଜିର ଦିନ ହିଁ ରଥଯାତ୍ରା ଆଦ୍ୟ ପର୍ବ ଭାବରେ ବିବେଚିତ । ୧୦୮ ଗରା ସୁବାସିତ ଜଳରେ ଦିବ୍ୟ ସ୍ନାନ କରିବେ ଚତୁର୍ଦ୍ଧା ମୂର୍ତ୍ତି ।
କିନ୍ତୁ କରୋନାର ଭୟ ଓ ଲକଡାଉନର କଟକଣା ଯୋଗୁ ଆଜି ମହାପ୍ରଭୁ ପ୍ରଥମ ଥର ପାଇଁ ଶ୍ରୀମନ୍ଦିର ଇତିହାସରେ ଶ୍ରଦ୍ଧାଳୁଙ୍କ ଅନୁପସ୍ଥିତିରେ ସାରିବେ ତାଙ୍କ ସ୍ନାନ ନୀତି । କେବଳ ସେବାୟତ, ଦଇତାପତିମାନଙ୍କ ଗହଣରେ ସମ୍ପନ୍ନ ହେଉଛି ନୀତିକାନ୍ତି । ଧାଡ଼ି ପହଣ୍ଡିରେ ଯିବେ ସ୍ନାନମଣ୍ଡପ ଯେଉଁଠି ହେବ ଦିବ୍ୟସ୍ନାନ । ୧୦୮ ଗରା ପାଣି ଆସିବ ସୁନା କୂଅରୁ । ସ୍ନାନ ପରେ ହେବ ଅନନ୍ୟ ଆକର୍ଷଣୀୟ ହାତୀ ବେଶ ଯେଉଁଥିପାଇଁ ରାଘବ ଦାସ ଓ ଗୋପାଳ ତୀର୍ଥ ମଠ ପକ୍ଷରୁ ଯୋଗାଇ ଦିଆଯିବ ଆବଶ୍ୟକ ସାମଗ୍ରୀ ।
ଦେବସ୍ନାନ ପୂର୍ଣ୍ଣମୀରେ ମଣିଷ ଭଳି ବେପରୁଆ ହୋଇ ଠାକୁର ଗାଧେଇବେ ଓ ମହାସ୍ନାନ ସାରିଲା ବେଳକୁ ତାଙ୍କୁ ହେବ ଜ୍ଵର । ତେଣୁ ସେଠୁ ସେ ରତ୍ନବେଦୀକୁ ନଫେରି ଗୋଟି ପହଣ୍ଡି କରି ଯିବେ ଅଣସରପିଣ୍ଡି । ଯୋଜନା ଅନୁଯାୟୀ ଆଜି ଦିନ ୧୧ଟାରୁ ୧୨ଟା ଭିତରେ ଶ୍ରୀଜୀଉଙ୍କ ହାତୀ ବେଶ ଦର୍ଶନ ହେବା ପରେ ସଞ୍ଜ ୫ଟାରୁ ୮ଟା ଯାଏଁ ଚାଲିବ ବାହୁଡ଼ା ପହଣ୍ଡି । ଅଣସର ପିଣ୍ଡିରେ ସେବାୟତଙ୍କ ସେବା ପାଇ ମହାପୁରୁ ସୁସ୍ଥ ହେଲେ ଆରମ୍ଭ ହେବ ରଥଯାତ୍ରା ।