କରୋନା ମହାମାରୀର ଦ୍ଵିତୀୟ ତରଙ୍ଗରେ ନାହିଁ ନଥିବା ଭୟଙ୍କର ପରିସ୍ଥିତିର ସାମ୍ନା କରିବାକୁ ପଡୁଛି ସାରା ଦେଶକୁ । ଦିନକୁ ଦିନ ଅଣାୟତ ହେବାରେ ଲାଗିଛି ସ୍ଥିତି । କରୋନା ସଂକ୍ରମିତ ରୋଗୀଙ୍କୁ ହସ୍ପିଟାଲଗୁଡ଼ିକରେ ବେଡ଼ ଖଣ୍ଡେ ମିଳୁନି କି ଅକ୍ସିଜେନ ମିଳୁନି । କେବଳ ଏମିତି ନୁହେଁ, ଆମ୍ବୁଲାନ୍ସ ପାଇଁ ରୋଗୀଙ୍କୁ ବିଭିନ୍ନ ହଇରାଣ ହରକତ ହେବାକୁ ପଡୁଛି ଯାହାର ଜ୍ଵଳନ୍ତ ଉଦାହରଣ ହେଇ ସାମ୍ନାକୁ ଆସିଛି ଏଇ ଘଟଣା । ଘଟଣାଟି ଘଟିଛି ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାରେ ।
ଘଟଣାଟି ଏହିପରି । ଶ୍ରୀକାକୁଲମ ଜିଲ୍ଲାର ମଣ୍ଡାସା ମାଣ୍ଡାଲ ଗାଁର ଜଣେ ୫୦ ବର୍ଷୀୟା ମହିଳାଙ୍କ ଶରୀରରେ କରୋନା ଲକ୍ଷଣ ଦେଖା ଦେବାପରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଟେଷ୍ଟ ମଧ୍ୟ କରାଇଥିଲେ ହେଲେ ଧୀରେ ଧୀରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାକୁ ଲାଗିଲା ଏବଂ ରିପୋର୍ଟ ଆସିବା ପୂର୍ବରୁ ହିଁ ସେ ସବୁଦିନ ପାଇଁ ଆଖି ବୁଜିଦେଲେ । ତେବେ ମା’ର ମରଶରୀରକୁ ନେବାକୁ ମିଳିଲାନି ଆମ୍ବୁଲାନ୍ସ । ମଶାଣି ଯାଏଁ ନେବାକୁ ଶେଷରେ ପୁଅ ନେଲା ବାଇକର ସାହାରା । ଅନ୍ତିମ ସଂସ୍କାର କରିବା ପାଇଁ ନିଜ ବାଇକରେ ବସେଇ ମଶାଣି ଯାଏଁ ବୋହିନେଲା ମା’କୁ, ଯାହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଏବେ ଭାଇରଲ ହେବାରେ ଲାଗିଛି ।
ପରିବାର ଲୋକଙ୍କ କହିବାନୁସାରେ ମହିଳାଙ୍କ ମୃତ୍ୟୁ ପରେ ଆମ୍ବୁଲାନ୍ସ ପାଇଁ କହିଥିଲେ ସେମାନେ, ମାତ୍ର କରୋନା କାର୍ଯ୍ୟରେ ବ୍ୟସ୍ତ ଥିବାରୁ ଡାକ୍ତରଖାନାରେ ଆମ୍ବୁଲାନ୍ସ ନଥିଲା । କରୋନାରେ ମୃତ୍ୟୁ ହୋଇଥିବା ହେତୁ ମା’ଙ୍କ ଶବକୁ ଅନ୍ୟ କୌଣସି ଗାଡ଼ି ନେବାକୁ ରାଜି ହୋଇ ନଥିଲେ । ଶେଷରେ ବାଧ୍ୟ ହୋଇ ବାଇକରେ ବସାଇ ମୃତ ମା’କୁ ମଶାଣି ନେଇଥିଲେ ପୁଅ ଏବଂ ଜ୍ୱାଇଁ ।