ସଂସ୍କାର : ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ନେଇ ଆସିଛି ଏକ ସାଙ୍ଘାତିକ ସତ। ତାଙ୍କର ଧର୍ମପତ୍ନୀ ବିଦ୍ୟାଭାରତୀ ପଣ୍ଡା ହିଁ ତାଙ୍କୁ ଜାଳି ଦେଇଥିବା ଜଣାପଡିଛି। ଯାହାକି ଲାଏ ଡିଟେକ୍ସନ ଟେଷ୍ଟର ରିପୋର୍ଟ କହୁଛି। ବିଦ୍ୟା ଲାଏ ଡିଟେକ୍ସନ ଟେଷ୍ଟରେ କେସ୍ ବାବଦକୁ ନେଇ ଦେଇଥିବା ବୟାନ ମିଛ ବୋଲି ଜଣାପଡିଛି।
ଲାଏ ଡିଟେକ୍ସନ ଟେଷ୍ଟରେ ଧରାପଡିଲା ବିଦ୍ୟାଭାରତୀଙ୍କ ମିଛ । ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ତାଙ୍କ ଧର୍ମପତ୍ନୀ ବିଦ୍ୟାଭାରତୀଙ୍କ ନାମରେ ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ଗତକାଲି ବିଳମ୍ବିତ ରାତିରେ ଏହି ଚାର୍ଜସିଟ୍ ଦାଖଲ ହୋଇଛି। ଅନ୍ୟପଟେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । ସେ କହିଛନ୍ତି ବିଦ୍ୟାଭାରତୀ ହିଁ ଅଭିଯୁକ୍ତ । ଏହି ମାମଲାରେ ପାରଳାଖେମୁଣ୍ଡି କୋର୍ଟରେ ୫ଶହରୁ ଅଧିକ ପୃଷ୍ଠାର ଚାର୍ଜସିଟ୍ ଦାଖଲ ହୋଇଛି । ୮୧ ଜଣ ସାକ୍ଷୀ ରହିଛନ୍ତି । ୩ଟି ଫେଜରେ ଫୋରେନସିକ୍ ଲ୍ୟାବକୁ ପ୍ରମାଣ ପଠାଯାଇଛି। ବିଦ୍ୟାଭାରତୀଙ୍କ ନାଁରେ ୨୮୫, ୩୦୪(A)ଦଫାରେ ଚାର୍ଜସିଟ୍ ହୋଇଛି । ବିଦ୍ୟାଭାରତୀଙ୍କ ବିରୋଧରେ ୪୧ ଧାରାରେ ନୋଟିସ୍ କରାଯାଇଛି । ହତ୍ୟା ସମୟରେ ୮୦୦ ଏମଏଲ କିରୋସିନି ଏବଂ ଦିଆସିଲି ବ୍ୟବହାର ହୋଇଛି । ରୁମ୍ ଖୋଲାଥିଲା ବୋଲି ଘରେ ଅଧିକ ଧୂଆଁ ରହିଲାନି । ତେଣୁ ସଠିକ ଭାବରେ ପୋଡ଼ଶୀ ଜାଣିପାରିଲେ ନାହିଁ।
ତେବେ ଲାଏ ଡିଟେକ୍ସନ ଟେଷ୍ଟ ବେଳେ ବିଦ୍ୟାଭାରତୀଙ୍କ ମିଛ ଧରାପଡିଛି । ସୌମ୍ୟରଞ୍ଜନ ଜଳିବା ବେଳେ ପାଣି ଢାଳିଥିଲେ ବୋଲି ବିଦ୍ୟାଭାରତୀ କହିଥିଲେ । କିନ୍ତୁ ତାହା ମିଛ ଥିଲା । ଡାକ୍ତରଙ୍କ ମତରେ ଜମାରୁ ପାଣି ଢ଼ଳାଯାଇନି। ଏହି ଦୁର୍ଘଟଣା ପୂର୍ବରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା କିନ୍ତୁ ଲାଏ ଡିଟେକ୍ସନ ବେଳେ ବିଦ୍ୟାଭାରତୀ କହିଥିଲେ ଝଗଡା ହୋଇନି। ଏସିଏଫ୍ ସୌମ୍ୟରଞ୍ଜନ ଚାହୁଁଥିଲେ ଯେ ଦୁହିଙ୍କ ସମ୍ପର୍କ ନ ଭାଙ୍ଗୁ । କିନ୍ତୁ ସୌମ୍ୟରଞ୍ଜନଙ୍କ ସହ ରହିବା ପାଇଁ ଚାହୁଁ ନଥିଲେ ବିଦ୍ୟାଭାରତୀ। ତେଣୁ ତାଙ୍କୁ ହତ୍ୟା କରିବା ପାଇଁ ଏହି ଯୋଜନା ତିଆରି କରିଥିଲେ।