ଶରୀରର ଅକର୍ମଣ୍ୟତା ଇଚ୍ଛାଶକ୍ତିକୁ ମାରି ପାରେନା : ବିନା ହାତରେ ଯୁକ୍ତ ୨ ପରୀକ୍ଷାରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେଇ ଉଦାହରଣ ସାଜିଲେ ସୌମ୍ୟ, ପଢନ୍ତୁ ପୁରା କାହାଣୀ

ନାମ ସୌମ୍ୟରଞ୍ଜନ ସାହୁ । ଶାରୀରିକ ଅକ୍ଷମତା ସତ୍ତ୍ୱେ ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷାରେ ୮୬ ପ୍ରତିଶତ ନମ୍ବର ରଖି ସଫଳତା ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି ସେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହା କି ଯେ ସେ ତାଙ୍କ ଶରୀରର ଅକର୍ମଣ୍ୟତା ଆଗରେ ହାରି ଯାଇନଥିଲେ । ଏକ ଦୁର୍ଘଟଣାରେ ସୌମ୍ୟଙ୍କ ନିଜର ଦୁଇ ହାତ ହରାଇ ଥିବା ପରେ ବି ଯୁକ୍ତ ୨ ପରୀକ୍ଷା ଦେବାକୁ ମନ ଦୃଢ କରିଥିଲେ । ପ୍ଲାଷ୍ଟିକ ଲଗାଇ କଷ୍ଟ ଯନ୍ତ୍ରଣା ସହି ସମ୍ପର୍କ ଯୋଡ଼ିଥିଲେ ଖାତା କଲମ ସହିତ । ସୌମ୍ୟ ପ୍ରମାଣ କରିଦେଇଛନ୍ତି ଯେ ଶରୀରର ଅକର୍ମଣ୍ୟତା ଇଚ୍ଛାଶକ୍ତିକୁ ମାରି ପାରେନା ।

ଖୋର୍ଦ୍ଧା ଜିଲ୍ଲାର ସୌମ୍ୟରଞ୍ଜନ । ବାପା ମାଆ ଉଭୟ ଚାକିରିଆ । ୨୦୧୭ ମସିହା ମାର୍ଚ୍ଚ ୯ ତାରିଖ ଦିନର ଘଟଣା । ଭାଇ ଭଉଣୀ ଛାତ ଉପରେ ଖେଳୁଥିବା ସମୟରେ ବିଦ୍ୟୁତ୍ ଝଟକାରେ ଛାତ ଉପରୁ ଖସି ପଡ଼ିଥିଲେ ସୌମ୍ୟ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ଶରୀରର ଅଧିକାଂଶ ଅଂଶ ପୋଡ଼ି ଯାଇଥିଲା । ଜୀବନ ବଞ୍ଚିଗଲା ସିନା ମାତ୍ର ୨୫ ଦିନ ପରେ କହୁଣି ଠାରୁ ତଳକୁ ଦୁଇ ହାତକୁ କାଟିବାକୁ ପଡ଼ିଥିଲା । ଅକସ୍ମାତ ସୌମ୍ୟ ଅକର୍ମଣ୍ୟ ହେଇଗଲେ ଓ ବାପାମାଆ ତାଙ୍କୁ ନେଇ ଦେଖିଥିବା ସ୍ଵପ୍ନର ଆଶା ଛାଡ଼ି ଦେଲେ । ଏମିତିକି ଦିନେ ତାଙ୍କ ମାଆ ବିଷ ଦେଇ ସୌମ୍ୟକୁ ମାରିଦେବେ ବୋଲି ବି ଭାବି ନେଇଥିଲେ ଯାହା ସେ ନିଯେ ସ୍ଵୀକାର କରିଛନ୍ତି ।

ଦୃଢମନା ସୌମ୍ୟ କିନ୍ତୁ ସମସ୍ତଙ୍କୁ ଭୁଲ ପ୍ରମାଣିତ କରିଛନ୍ତି । ଜୀବନ ଯୁଦ୍ଧରେ ହାରି ନଯାଇ ଜିତି ଦେଖାଇଛନ୍ତି ନିଜ ଆତ୍ମବିଶ୍ଵାସର ଶକ୍ତି । ସରକାରୀ ଚାକିରିଆ ବାପାମାଆଙ୍କ ସ୍ଵପ୍ନକୁ ମରିବାକୁ ଦେଇନାହାନ୍ତି । ପ୍ଲାଷ୍ଟିକ ହାତ ଦ୍ଵାରା ପରୀକ୍ଷା ଦେଇ ସଫଳତା ପାଇ ସ୍ୱପ୍ନର ପ୍ରଥମ ପାହାଚ ଚଢି ସାରିଛନ୍ତି ସୌମ୍ୟ । ବାପାମାଆ ଓ ତାଙ୍କ ଭଉଣୀ ସମସ୍ତେ ତାଙ୍କୁ ନେଇ ଗର୍ବିତ । ସୌମ୍ୟ ସଫଳତା ସମସ୍ତଙ୍କ ପାଇଁ ପାଲଟିଛି ଏକ ଉଦାହରଣ ।

Leave a Reply

Your email address will not be published. Required fields are marked *