ଜୋର୍ ଧରିଲା ଦାବି : ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ୍ କରୁଛି #PMModiCBIForSSR, ପଢନ୍ତୁ କାହିଁକି …

ଜୁନ ୧୪ ତାରିଖକୁ ସୁଶାନ୍ତ ସିଂଙ୍କ ପ୍ରଶଂସକମାନେ ଭୁଲି ପାରୁନାହାନ୍ତି । ଆଜି ଯାଏଁ ସୁଶାନ୍ତ ସିଂଙ୍କ ଆତ୍ମହତ୍ୟା ଖବରକୁ ଗ୍ରହଣ କରିପାରୁନାହାନ୍ତି । ଫଳରେ ତାଙ୍କ ଫ୍ୟାନ୍ ମାନେ କ୍ରମାଗତ ଭାବରେ ସୋସିଆଲ ମିଡ଼ିଆରେ ତାଙ୍କ ଭିଡ଼ିଓ, ଫଟୋ ଶେୟାର କରିବା ସହିତ ସିବିଆଇ ତଦନ୍ତ ପାଇଁ ଦାବି କରୁଛନ୍ତି । ଏକ କ୍ୟାମ୍ପେନ୍ କରି ସୁଶାନ୍ତଙ୍କ ପ୍ରଶଂସକ ଦର୍ଶାଉଛନ୍ତି ଯେ ସେମାନେ ପୋଲିସ ତଦନ୍ତରେ ସନ୍ତୁଷ୍ଟ ନାହାନ୍ତି । ତେଣୁ ସିଧାସଳଖ ଦେଶର ପ୍ରଧାନମନ୍ତ୍ରୀଙ୍କୁ ସେମାନେ ଏ କେସ୍‌ର ସିବିଆଇ ତଦନ୍ତ ହେଉ ବୋଲି ଦାବି କରିଛନ୍ତି ।

ସୁଶାନ୍ତ ସିଂଙ୍କ ଆତ୍ମହତ୍ୟା ପରେ ବଲିଉଡର କେତେକ କଳାକାର ବି ସାମ୍ନାକୁ ଆସି ନେପୋଟିଜିମ ବିଷୟରେ ଆଲୋଚନା କଲେଣି ଏବଂ ଇଣ୍ଡଷ୍ଟ୍ରିରେ ପ୍ରିୟାପ୍ରୀତି ପୋଷଣ ନୀତି ତଥା ଗୋଷ୍ଠୀ କନ୍ଦଳ ରହିଛି ବୋଲି ସ୍ପଷ୍ଟ କରୁଛନ୍ତି । ଏହିସବୁ କାରଣ ଯୋଗୁ ସୁଶାନ୍ତ ମାନସିକ ଚାପରେ ଓ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି ବୋଲି ତାଙ୍କ ପ୍ରଶଂସକଙ୍କ ମତ ।

ଅନ୍ୟପକ୍ଷରେ ବ୍ୟକ୍ତିଗତ ଶତ୍ରୁତାକୁ ନେଇ ମଧ୍ୟ ମୁମ୍ବାଇ ପୋଲିସ ଖୋଳତାଡ଼ କରୁଛି । ତଥାପି ପ୍ରଶଂସକ ସନ୍ତୁଷ୍ଟ ନାହାନ୍ତି ଏବଂ ସିବିଆଇ ତଦନ୍ତ ଦାବି କରିଛନ୍ତି । ଟ୍ଵିଟ୍ କରି ଜଣେ ୟୁଜର୍ସ ପୁଷ୍ପେନ୍ଦ୍ର କୁଲଶ୍ରେଷ୍ଟ କହିଛନ୍ତି ଯେ ତାଙ୍କୁ ହତ୍ୟା କରାଯାଇଛି, ଚୁପ୍ ରୁହନା । ଆସ, ଆମ ସୁଶାନ୍ତ ସାର୍ ନ୍ୟାୟ ପାଇଁ ଏକାଠି ଲଢିବା । ଆମେ ସିବିଆଇ ଇନକ୍ୟୁରି ଦାବି କରୁଛୁ । ଆମେ ନ୍ୟାୟ ଦାବି କରୁଛୁ .. ତଥାପି ବିଶ୍ଵାସ ହେଉନି .. RIP (ସମ୍ଭବ ହେଲେ ଫେରି ଆସ) ବୋଲି କହି ଟ୍ୟାଗ୍‍ କରିଛନ୍ତି #PMModiCBIForSSR କୁ ।

ଆଉ ଜଣେ ଟ୍ଵିଟର ୟୁଜର୍ସ ନିଲ୍ ପଞ୍ଚିଲାକ୍ କହିଛନ୍ତି ଯେ ପ୍ରଥମତଃ କଲ୍ ବିବରଣୀ, ଲାପଟପ୍, ଆଇ-ପ୍ୟାଡ୍, ଜିଆରଏସ୍ ଇତ୍ୟାଦିର ଫରେନସିକ୍ ପରୀକ୍ଷା ହେଉ । ଦ୍ଵିତୀୟରେ ସିସିଟିଭି କାହିଁକି କାମ କରୁନାହିଁ ଏବଂ ଭିସିଟିରେ ସିସିଟିଭି ଫୁଟେଜ୍ ସଂରକ୍ଷଣ କରାଯାଉ । ଏସବୁ କୋର୍ଟ ଦ୍ୱାରା ତଦାରଖ ହେଉ । ଏପରି ଲେଖି ସେ ବି #PMModiCBIForSSR କୁ ଟ୍ୟାଗ୍‍ କରିଛନ୍ତି ।

ସୂଚନା ଥାଉ ଯେ ସୁଶାନ୍ତଙ୍କ ଆତ୍ମହତ୍ୟା କେସ୍‌ରେ ମୁମ୍ବାଇ ପୋଲିସ ଏଯାବତ ସୁଶାନ୍ତଙ୍କ ସହିତ ସମ୍ବନ୍ଧିତ ୨୮ ଜଣଙ୍କୁ ଜେରା କରି ସାରିଲାଣି । ଏବେ ପୋଲିସ ସିଧାସଳଖ ନିର୍ଦ୍ଦେଶକ ଏବଂ ନିର୍ମାତା ସଞ୍ଜୟ ଲୀଲା ଭଂସାଲୀଙ୍କୁ ମଧ୍ୟ ପଚରାଉଚୁରା କରୁଛି । ରିପୋର୍ଟ ଅନୁଯାୟୀ ସଞ୍ଜୟ ଲୀଲା ଭଂସାଲୀ ନିଜର କିଛି ବଡ଼ ଫିଲ୍ମରେ ସୁଶାନ୍ତଙ୍କୁ ଅଫର କରିଥିଲେ, ମାତ୍ର ଗୋଟିଏ ପ୍ରଡକ୍ସନ ହାଉସ୍‌ ସହିତ କରିଥିବା କଣ୍ଟ୍ରାକ୍ଟ କାରଣରୁ ସୁଶାନ୍ତ ଭଂସାଲୀଙ୍କ ଫିଲ୍ମ କରିପାରି ନଥିଲେ। ପରେ ପରେ ଜଣେ ଖାସ୍‌ ଅଭିନେତାଙ୍କୁ ଏସବୁ ଫିଲ୍ମ ମିଳିଥିଲା ।

ଏମିତି ମାମଲାରେ କେବଳ ରାଜ୍ୟ ସରକାରଙ୍କ ସୁପାରିଶ କ୍ରମେ ହିଁ କୌଣସି କେନ୍ଦ୍ରୀୟ ଏଜେନ୍ସି ଏହି କେସ୍‌ର ତଦନ୍ତ କରିପାରିବେ ତେଣୁ ସିବିଆଇ ତଦନ୍ତ ପାଇଁ ମହରାଷ୍ଟ୍ର ସରକାର କେନ୍ଦ୍ରକୁ ସୁପାରିଶ କରନ୍ତୁ ବୋଲି ପ୍ରଶଂସକଙ୍କ ଦାବି ।

Leave a Reply

Your email address will not be published. Required fields are marked *