ମୁମ୍ବାଇ : ଆସନ୍ତାକାଲି ବଲିଉଡ ଇଣ୍ଡଷ୍ଟ୍ରିର ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବିବାଦୀୟ ମୃତ୍ୟୁକୁ ପୁରିବାକୁ ଯାଉଛି ଏକ ମାସ ଯେତେବେଳ କି ତାଙ୍କ ଆତ୍ମହତ୍ୟା ପଛର କାରଣ ଏଯାଏଁ ଅସ୍ପଷ୍ଟ । ହେଲେ ଏକ ୱେବ୍ସାଇଟ୍ ଦ୍ଵାରା ପ୍ରକାଶିତ ରିପୋର୍ଟ ଅନୁସାରେ ମୁମ୍ବାଇ ପୋଲିସର ଜଣେ ଅଧିକାରୀ ଦାବି କରିଛନ୍ତି ଯେ ସୁଶାନ୍ତ ସିଂ ମୃତ୍ୟୁ ପୂର୍ବରୁ ସପ୍ତାହେ ପାଇଁ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।
ଏଯାବତ୍ ସୁଶାନ୍ତଙ୍କ ମୃତ୍ୟୁ ପଛର କାରଣ ଜାଣିବାକୁ ମୁମ୍ବାଇ ପୋଲିସ ତଦନ୍ତ ଜାରି ଅଛି । ତଥାପି କିଛି ଦିନ ତଳେ ଜଣେ ପୂର୍ବତନ ‘ର’ ଅଫିସରଙ୍କ ଦାବି ଅନୁଯାୟୀ ସେ ଆତ୍ମହତ୍ୟା କରିନଥିଲେ ବରଂ ଅଣ୍ଡରୱାର୍ଲ୍ଡ ଡନ ଦାଉଦ୍ ଇବ୍ରାହିମ୍ ଗ୍ୟାଙ୍ଗ ତାଙ୍କୁ ହତ୍ୟା କରିଛନ୍ତି । ଆଉ ଏବେ ପୋଲିସ ଅଧକାରୀଙ୍କ ଦାବି ଯେ ସୁଶାନ୍ତ Paranoia ଏବଂ Bipolar disorder ରେ ପୀଡ଼ିତ ଥିଲେ ।
ଉକ୍ତ ପୋଲିସ ଅଧିକାରୀଙ୍କ କହିବାନୁଯାୟୀ ଅଭିନେତା ସୁଶାନ୍ତଙ୍କ ବିରୋଧରେ କୌଣସି ପ୍ରକାର ଷଡ଼ଯନ୍ତ୍ର ହୋଇଥିବା ନେଇ କିଛି ପ୍ରମାଣ ମିଳିନାହିଁ । ସେ ଆତ୍ମହତ୍ୟା କରିଛନ୍ତି ବୋଲି ସ୍ପଷ୍ଟ ହୋଇସାରିଛି । କାରଣ ସୁଶାନ୍ତଙ୍କ ମା’ ମଧ୍ୟ ଡିପ୍ରେସନ୍ ରୋଗରେ ପୀଡ଼ିତ ଥିଲେ ଓ ତାଙ୍କର ଦୀର୍ଘ ଦିନ ଧରି ଚିକିତ୍ସା ଚାଲିଥିଲା । ଅନ୍ୟପକ୍ଷରେ ଜେରା ସମୟରେ କେତେ ଜଣ କହିଛନ୍ତି ଯେ ବଲିଉଡ୍ର ବ୍ୟସ୍ତତା ଭିତରେ ବି ସୁଶାନ୍ତ ନିଜକୁ ଏକୁଟିଆ ଅନୁଭବ କରୁଥିଲେ ।
ସୂଚନାଯୋଗ୍ୟ ଯେ Paranoia ରୋଗରେ ରୋଗୀ ଜଣକ ସବୁବେଳେ ଅନ୍ୟମାନଙ୍କ ଉପରେ ସନ୍ଦେହ କରିବ । ସମସ୍ତେ ତାଙ୍କୁ ଘୃଣା କରୁଛନ୍ତି ବୋଲି ତାଙ୍କର ଧାରଣା ହେବ । ସେ ଡରିବେ । ଠିକ୍ ସେମିତି Bipolar disorder ରେ ରୋଗୀ କେତେବେଳେ ଖୁବ ଚିନ୍ତିତ ହୋଇପଡ଼େ ତ କେତେବେଳେ ଏକଦମ୍ ଆତ୍ମବିଶ୍ୱାସୀ ହୋଇଉଠେ । ବେଳେବେଳେ ପୁରା ଏକୁଟିଆ ଅନୁଭବ କରି ଗୁମ୍ସୁମ୍ ବି ହୋଇଯାଏ ।