୫୫ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ, ଅଭିଯୁକ୍ତମାନେ ଫେରାର୍

ସଂସ୍କାର : ୫୫ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ। ହାଟରୁ ଫେରୁଥିବା ସମୟରେ ଜଣେ ୫୫ ବର୍ଷୀୟା ମହିଳାଙ୍କୁ ହୋଇଛି ଗଣଦୁଷ୍କର୍ମ। ଅଭିଯୁକ୍ତମାନେ ଘରେ ଛାଡ଼ିଦେବାକୁ କହି କଲେ ମହିଳାଙ୍କ ସହିତ ଗଣଦୁଷ୍କର୍ମ। ତେବେ ଏହି ଘଟଣାକୁ ନେଇ ପୀଡ଼ିତାଙ୍କ ସ୍ବାମୀ ରରୁଆଁ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିସାରିଛି। ତେବେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କର ପତ୍ତ‌ା ମିଳିନାହିଁ। ସେମାନେ ଫେରାର୍ ଅଛନ୍ତି।

ସୂଚନା ଅନୁଯାୟୀ, ଗତ ଶୁକ୍ରବାର ସନ୍ଧ୍ୟାରେ ମହିଳାଜଣକ ଶୁକୃଳି ସାପ୍ତାହିକ ହାଟରୁ ଫେରୁଥିବା ସମୟରେ ଦୁଇଜଣ ଯୁବକ ତାଙ୍କୁ ଘରେ ପହଞ୍ଚାଇ ଦେବାକୁ କହି ବାଇକ୍‌ରେ ଭଣ୍ଡନ ନଦୀକୂଳକୁ ନେଇ ଯାଇଥିଲେ। ସେଠାରେ ୭ରୁ ୮ ଜଣ ମିଶି ବୃଦ୍ଧାଙ୍କୁ ଗଣଦୁଷ୍କର୍ମ କରିଥିଲେ। ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ପୀଡ଼ିତାଙ୍କ ବିଭିନ୍ନ ଅଙ୍ଗକୁ କ୍ଷତାକ୍ତ କରିବା ସହ ମୁଣ୍ଡରେ ମଧ୍ୟ ଆଘାତ କରିଥିଲେ। ପରେ ଗୁରୁତର ଅବସ୍ଥାରେ ତାଙ୍କୁ ସେଠାରେ ଏକୁଟିଆ ଛାଡ଼ି ପଳାଇଥିଲେ। ରାସ୍ତା କଡ଼ରେ ପୀଡ଼ିତା କାନ୍ଦୁଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ତେବେ ଏହି ଘଟଣା ସମ୍ପର୍କରେ ରରୁଆଁ ଥାନା କେସ୍ ନଂ ୧୩୩/୨୧ରେ ଏକ ମାମଲା ରୁଜୁ ହୋଇଛି। ଘଟଣାର ଗମ୍ଭୀରତାକୁ ଉପଲବ୍ଧି କରି ପୂର୍ବାଞ୍ଚଳ ପୁଲିସ ଆଇଜି ହିମାଂଶୁ ଲାଲ, ଅତିରିକ୍ତ ଆରକ୍ଷୀ ଅଧିକାରୀ ମନୋରଞ୍ଜନ ବିଶ୍ବାଳ ପ୍ରମୁଖ ରରୁଆଁ ଥାନାରେ ପହଞ୍ଚି ଆଇଆଇସି ଦୟାନଧି ଦାସଙ୍କ ସହ ଆଲୋଚନା କରିବା ସହ ଶୁକୃଳି ବଜାର ଅଞ୍ଚଳର ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରିଛନ୍ତି। ଅନ୍ୟପକ୍ଷରେ ପୋଲିସ୍ କହିଛି ଯେ, ଅତିଶୀଘ୍ର ସେମାନଙ୍କୁ କାବୁ କରାଯିବ।

Leave a Reply

Your email address will not be published. Required fields are marked *