ସଂସ୍କାର : ବିଶ୍ୱର ପ୍ରତିଷ୍ଠିତ ଟାଇମ ମ୍ୟାଗାଜିନ ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରିଛି । ଏଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ଚେୟାରମ୍ୟାନ ଅଦାର ପୁନାୱାଲା ରହିଛନ୍ତି। ମୋଦି, ଦିଦି ଓ ପୁନାୱାଲାଙ୍କ ବ୍ୟତୀତ ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଉପ ରାଷ୍ଟ୍ରପତି କମଳା ହ୍ୟାରିସ, ଚାଇନା ରାଷ୍ଟ୍ରପତି ସି ଜିନିପିଙ୍ଗ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ପ୍ରିନ୍ସ ହ୍ୟାରୀ ଓ ମେଘନା ବି ରହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଟାଇମ ମ୍ୟାଗାଜିନର ୧୦୦ ପ୍ରଭାବଶାଳୀ ୨୦୨୧ ତାଲିକାରେ ତାଲିବାନର ସହ ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଘନି ବରାଦରଙ୍କ ନାଁ ରହିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରୋଫାଇଲରେ ସିଏନଏନ୍ ସାମ୍ବାଦିକ ଫରୀଦ ଜାକାରିଆ ଲେଖିଛନ୍ତି ଯେ ସ୍ୱାଧୀନତା ପରେ ଭାରତ ୩ ଜଣ ଗୁରୁତ୍ୱପୂର୍ଣ୍ଣ ନେତା ପାଇଛି। ସେମାନେ ହେଲେ ଜବାହରଲାଲ ନେହରୁ, ଇନ୍ଦିରା ଗାନ୍ଧି ଓ ତୃତୀୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଛନ୍ତି। ଏମାନେ ଭାରତର ରାଜନୀତିରେ ଯେମିତି ନିଜର ଦବଦବା ଦେଖାଇଛନ୍ତି ଯେ ଆଉ କୌଣସି ନେତା ଏପରି କରିବାକୁ କେବେ ହେଲେ ସକ୍ଷମ ହୋଇ ନଥିବା ଜାକାରିଆ ଉଲ୍ଲେଖ କରିଛନ୍ତି। ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରୋଫାଇଲରେ ତାଙ୍କୁ ଭାରତୀୟ ରାଜନୀତିର ସାହସୀକତାର ଚେହେରା ଭାବେ ବର୍ଣ୍ଣନା କରାଯାଇଛି।
ବୁଧବାର ଟାଇମ ମ୍ୟାଗଜିନ ୨୦୨୧ ବର୍ଷ ପାଇଁ ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ସାର୍ବଜନୀନ କରିଛି। ଏହି ତାଲିକାକୁ ଆଇକନ, ପାଓନିୟର୍ସ, ଟାଇଟନ୍ସ, ଆର୍ଟିଷ୍ଟ, ଲିଡର୍ସ ଓ ଇନୋଭେଟର୍ସ ଭଳି ୬ଟି ବର୍ଗରେ ବିଭକ୍ତ କରାଯାଇଛି।