ନିଜେ ଗଢିଥିଲେ, ନିଜ ହାତରେ ଶେଷ କରିଦେଲେ, ପତ୍ନୀ ସମେତ ଦୁଇ ପିଲାଙ୍କୁ ମାରି ବ୍ୟକ୍ତି ଜଣଙ୍କ ଫେରାର । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଜାମସେଦପୁରରେ । ଦୀପକ କୁମାର ନାମକ ଜଣେ ବ୍ୟକ୍ତି ଘରେ ହିଁ ସମସ୍ତଙ୍କୁ ହତ୍ୟା କରି ବାଇକ ଧରି କୁଆଡ଼େ ଫେରାର ହୋଇଯାଇଥିବା ନେଇ ସୂଚନା ମିଳିଛି ।
ମିଳିଥିବା ଖବର ମୁତାବକ ଜାମସେଦପୁର କଦମା ସ୍ଥିତ ୯୭ ନମ୍ବର କ୍ୱାର୍ଟରରେ ରହୁଥିବା ଦୀପକ ସୋମବାର ଦିନ ଦ୍ୱିପହରରେ ଏହି ଜଘନ୍ୟ କାଣ୍ଡ ଘଟାଇଛନ୍ତି । ଅଫିସରୁ ଫେରିବା ପରେ ସେ ଅଚାନକ ନିଜ ପତ୍ନୀ, ଦୁଇ ପିଲାଙ୍କ ସମେତ ତାଙ୍କ ପିଲାଙ୍କୁ ଟ୍ୟୁସନ କରିବାକୁ ଆସୁଥିବା ଟ୍ୟୁସନ ଶିକ୍ଷୟିତ୍ରୀଙ୍କର ଗଳା କାଟି ଅତି ନିର୍ମମ ଭାବେ ହତ୍ୟା କରିଥିଲା । ଏହାପରେ ନିଜର ଜଣେ ସାଙ୍ଗ ଏବଂ ତାଙ୍କ ପତ୍ନୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ଆଉ ଫେରାର ହୋଇଯାଇଥିଲେ ।
ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଘରର କବାଟ ଭାଙ୍ଗି ୪ ଟା ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରିଥିଲା । ଗୋଟିଏ ରୁମ ଭିତରେ ୪ ଟି ଯାକ ମୃତଦେହ ପଡ଼ିଥିବା ବେଳେ ରୁମ୍ ବାହାରୁ ପଟୁ ତାଲା ପଡ଼ିଥିଲା । ଏହାସହିତ ଆଶ୍ଚର୍ଯ୍ୟ କଲାଭଳି କଥା ଯେ ଟ୍ୟୁସନ ଶିକ୍ଷୟିତ୍ରୀଙ୍କ ମୃତଦେହ ଏକ ବାକ୍ସ ମଧ୍ୟରେ ରଖାଯାଇଥିଲା ।
ସେପଟେ ପରିବାର ଲୋକଙ୍କ କହିବାନୁଯାୟୀ ଟ୍ୟୁସନ ଶିକ୍ଷୟିତ୍ରୀ ରିଙ୍କି ଅଭିଯୁକ୍ତ ଦୀପକଙ୍କ ଘରକୁ ସବୁଦିନ ସକାଳ ୧୧ ଟାରେ ପଢାଇବାକୁ ଆସନ୍ତି । ଯେତେବେଳେ ସାଢେ ୧୨ଟା ଯାଏଁ ସେ ନିଜ ଘରକୁ ଫେରିନଥିଲେ ତାଙ୍କ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ । ତେବେ ରିଙ୍କି ଗତ ୨ ବର୍ଷ ହେବ ଦୀପକଙ୍କ ପିଲାଙ୍କୁ ଟ୍ୟୁସନ କରୁଥିଲେ । ଏହାସହିତ ଅଭିଯୁକ୍ତ ଦୀପକଙ୍କ ଶଳାଙ୍କ କହିବାନୁସାରେ ଦୀପକ ରିଙ୍କି ଘରକୁ ଯାଇ ଟଙ୍କା ଓ ଗହଣା ମାଗିଥିଲେ । ଘର ରେଜିଷ୍ଟ୍ରି କଥା କହିଥିଲେ ।
ସୂଚନାଥାଉ ଯେ ମୃତକ ପତ୍ନୀ ୩୫ ବର୍ଷ, ପିଲାମାନେ ୫ ଏବଂ ୧୨ ବର୍ଷର ଥିଲେ । ଜାମସେଦପୁର ଏସଏସପି ତାମିଲ ବଣନ କହିଛନ୍ତି ଯେ, ହତ୍ୟାକାଣ୍ଡ ବାବଦରେ ପୋଲିସକୁ ସନ୍ଧ୍ୟା ୬ ଟାରେ ଖବର ମିଳିଥିଲା । ଘରୁ ୪ଟି ମୃତଦେହ ଉଦ୍ଧାର ହୋଇଥିଲା ବେଳେ ଅଭିଯୁକ୍ତ ଦୀପକ କୁମାର ଫେରାର ଅଛି । ତେବେ ତଦନ୍ତ ଆରମ୍ଭ ହୋଇସାରିଛି ଏବଂ ଅଭିଯୁକ୍ତକୁ ଖୋଜା ଚାଲିଛି ।