ଆଜିର ଦିନରେ ମହାକାଶରେ ଘଟିବ ବିରଳ ପ୍ଲାନେଟ୍‌ ପରେଡ଼ : ଜାଣନ୍ତୁ କ’ଣ ଏହାର ଅର୍ଥ

ଜୁଲାଇ ୪ ତାରିଖ, ଶନିବାର ଦିନ ମହାକାଶରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିବ । ପୂର୍ବରୁ ୧୯୮୨ ମସିହାରେ ଥରେ ଏପରି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏ ସମୟରେ ସୂର୍ଯ୍ୟଙ୍କ ଗୋଟିଏ ପାର୍ଶ୍ଵରେ ରହେ ୮ଟି ଗ୍ରହ, ଯାହା ପୃଥିବୀକୁ ଦୃଶ୍ୟମାନ ହେବ । ସେମିତିରେ ସୂର୍ଯ୍ୟଙ୍କ ଗୋଟିଏ ପାର୍ଶ୍ୱରେ ବର୍ଷକୁ ୨ ଥର ୩ ଟି ଗ୍ରହ, ବର୍ଷକୁ ଥରେ ୪ ଟି ଗ୍ରହ ଏବଂ ପ୍ରତି ୧୯ ବର୍ଷରେ ଥରେ ୫ ଟି ଗ୍ରହ ଥରେ ଲେଖାଏଁ ରୁହେ । ଆଉ ଯଦି ସମସ୍ତ ୮ ଟି ଗ୍ରହ କଥା ପ୍ରସଙ୍ଗକୁ ନିଆଯାଏ ତେବେ ପ୍ରାୟ ୧୭୦ ବର୍ଷରେ ଥରେ ସେମାନେ ଏକାସାଙ୍ଗରେ ସୂର୍ଯ୍ୟର ଗୋଟିଏ ପାର୍ଶ୍ଵରେ ରୁହନ୍ତି ।

ଇଂରାଜୀରେ ‘ପ୍ଲାନେଟ୍‌ ପରେଡ’ କୁହାଯାଉଥିବା ଏ ବିରଳ ତଥା ଅନନ୍ୟ ମହାକାଶୀୟ ଘଟଣା ଆଜି ଦୃଶ୍ୟମାନ ହେବ ଯାହାକୁ ମହାଗ୍ରହ ମିଳନ କିମ୍ବା ପୂର୍ଣ୍ଣଗ୍ରହ ମିଳନ ବି କୁହାଯାଏ । ସୂର୍ଯ୍ୟ ଚାରିପଟେ ବୁଧ, ଶୁକ୍ର, ପୃଥିବୀ, ମଙ୍ଗଳ, ବୃହସ୍ପତି, ଶନି, ୟୁରେନସ୍‌ ଓ ନେପଚୁନ୍‌ ବୁଲୁଛନ୍ତି, ଏବଂ ଏ ୮ଟି ଗ୍ରହ ସହିତ ପୂର୍ବରୁ ଗ୍ରହ ରୂପେ ବିବେଚନା କରାଯାଉଥିବା ପ୍ଲୁଟୋ ବି ସୂର୍ଯ୍ୟ ଚାରିପଟେ ବୁଲୁଛି । କେତେବେଳେ କେମିତି ଗ୍ରହମାନେ ଆକାଶର ଏକ ଛୋଟ ଅଞ୍ଚଳରେ ଏକାଠି ହୁଅନ୍ତି କିନ୍ତୁ ତାହା ସବୁ ସମୟରେ ପୃଥିବୀରୁ ଦୃଶ୍ୟମାନ ହୁଏନା ।

୧୯୮୨ ମସିହା ବ୍ୟତୀତ ଏ ପ୍ରକାରର ଏକ ପୂର୍ଣ୍ଣଗ୍ରହ ମିଳନ ୨୦୦୨ ମସିହା ଅପ୍ରେଲ ୧୮ ହୋଇଥିଲା । ବିଶେଷଜ୍ଞମାନଙ୍କ ମତାନୁସାରେ ୨୧୬୧ ତଥା ୨୪୯୨ ମସିହା ବେଳକୁ ମଧ୍ୟ ଦେଖିବାକୁ ମିଳିବ । ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ର ଉପ-ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକଙ୍କ ସୂଚନାନୁଯାୟୀ ଏହି ଗ୍ରହର ମିଳନ ସମୟରେ ଗ୍ରହଗୁଡ଼ିକ ବାସ୍ତବରେ ଗୋଟିଏ ପୂରା ସିଧା ଧାଡ଼ିରେ ରୁହନ୍ତି ନାହିଁ ଯେହେତୁ ସବୁ ଗ୍ରହଙ୍କ କକ୍ଷପଥର ସମତଳ ଭିନ୍ନ । ଏମିତି ବିରଳ ଦୃଶ୍ୟ ଜୁଲାଇ ୧୯ ସୂର୍ଯ୍ୟୋଦୟ ହେବାର ପ୍ରାୟ ୫୦ମିନିଟ ପୂର୍ବରୁ ଆକାଶରେ ଚନ୍ଦ୍ର ଏବଂ ୫ଟି ଗ୍ରହ ଦୃଶ୍ୟମାନ ହେବେ । ଏହି ୫ଟି ଗ୍ରହ ଜୁଲାଇ ୨୫ ତାରିଖ ଯାଏଁ ପୃଥିବୀକୁ ଦୃଶ୍ୟାମାନ ହେବେ ।

ଏହାବ୍ୟତୀତ ଆସନ୍ତା ଅଗଷ୍ଟ ମାସରେ ଗୋଟିଏ ରାତିରେ ଆମେ ୫ଟି ଗ୍ରହକୁ ଦେଖିପାରିବା । ମାସ ଆରମ୍ଭରୁ ବୁଧ ଗ୍ରହ ସକାଳ ଆକାଶରେ ଉଜ୍ଜ୍ୱଳ ଶୁକ୍ର ଗ୍ରହ ପାଖରେ ଦେଖାଯିବା ବେଳେ ଲାଲ୍‌ ଗ୍ରହ ମଙ୍ଗଳ, ୟୁରେନସ୍‌ ଏବଂ ନେପଚୁନ୍‌ ସବୁଠାରୁ ଉଜ୍ଜ୍ୱଳ ଅବସ୍ଥାରେ ପାଖାପାଖି ଥିବେ । ବୃହସ୍ପତି ଏବଂ ଶନି ମଧ୍ୟ ଖୁବ୍‌ ଉଜ୍ଜ୍ୱଳ ଦେଖାଯାଉଥିବେ । ଏପରିକି ବାମନ ଗ୍ରହ ପ୍ଲୁଟୋକୁ ଦେଖିବା ପାଇଁ ମଧ୍ୟ ଅନୁକୂଳ ପରିସ୍ଥିତି ଉପୁଜିବ ।

Leave a Reply

Your email address will not be published. Required fields are marked *