ପ୍ରାୟତଃ ଲୋକ କାର କିମ୍ବା ବସ୍ ଏମିତିକି ବିମାନ ଯାତ୍ରାବେଳେ ବି ବାନ୍ତି କରନ୍ତି । ବେଳେବେଳେ ଏହା କେବଳ ଯାତ୍ରା ସମୟ ତକ ସୀମିତ ହେଇ ରହେ ନାହିଁ ବରଂ ତିନି-ଚାରି ଦିନ ଯାଏଁ ମୁଣ୍ଡ ବୁଲାଇବା, ଛାନିଆ ଲାଗିବା, ବ୍ୟସ୍ତ ଲାଗିବା କିମ୍ବା ବାନ୍ତି ହେବା ଜାରି ରୁହେ । ଏହାକୁ ମୋସନ୍ ସିକନେସ ସିମଟମସ (Motion Sickness Symptoms) କୁହାଯାଏ । ଯଦି ଆପଣ ବି ଯାତ୍ରା କରିବାକୁ ଡରୁଛନ୍ତି ଏବଂ ଉପରୋକ୍ତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଆପଣାନ୍ତୁ ନିମ୍ନ ଉପାୟମାନ ।
ତେବେ ମୋସନ୍ ସିକନେସ ସିମଟମସ କୌଣସି ଏକ ରୋଗ ନୁହେଁ । କିନ୍ତୁ ଏହା ଏକ ଏମିତି ଅବସ୍ଥା ଯେତେବେଳେ ଆମର ମସ୍ତିଷ୍କ ଭିତର କାନ, ଆଖି ଏବଂ ଚର୍ମରୁ ଆମକୁ ଭିନ୍ନ ସଙ୍କେତ ମିଳିଥାଏ । ତେଣୁ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ ଦ୍ୱନ୍ଦ୍ୱରେ ପଡ଼େ । ତେବେ କେତୋଟି ଜିନିଷ ପ୍ରତି ଆପଣଙ୍କୁ ନିହାତି ଧ୍ୟାନ ଦେବାକୁ ହେବ, ଯେପରିକି

- କୌଣସି ଯାନର ପଛ ସିଟରେ ଆପଣ ବସିବେନି । ବସ ହେଉ କି କାର, ପଛ ସିଟରେ ଗାଡ଼ିର ଗତି ଅଧିକ ମାଲୁମ ପଡ଼େ ତେଣୁ ବାନ୍ତି ହେଉଥିବା ବ୍ୟକ୍ତି ଏଥିପ୍ରତି ଧ୍ୟାନ ଦେଇ ଆଗ ସିଟରେ ବସିବାକୁ ଚେଷ୍ଟା କରିବେ ।
- ଯାତ୍ରା ସମୟରେ ଯଦି ଆପଣଙ୍କର ବାନ୍ତି ସମସ୍ୟା ଅଛି ତେବେ କେବେ ବି ବହି ପଢନ୍ତୁ ନାହିଁ । ଏହା ଆପଣଙ୍କ ମସ୍ତିଷ୍କକୁ ଭୁଲ ସଙ୍କେତ ଦିଏ ।
- ଯଦି ଆପଣ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ କାର କିମ୍ବା ବସର ଝରକା ଗ୍ଲାସ ଖୋଲନ୍ତୁ ଏବଂ ବାହାରକୁ ମୁହଁ କରି ବସନ୍ତୁ । ସତେଜ ପବନ ପାଇଲେ ଆପଣ ଭଲ ଅନୁଭବ କରିବେ ।
- ଲୋକକଥା ଅଛି ଯେ ଖାଲି ପେଟରେ ଯାତ୍ରା କଲେ ବାନ୍ତି ହୁଏ ନାହିଁ । କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ୍ । ପ୍ରାୟତଃ ଯେଉଁମାନେ କିଛି ନଖାଇ ଯାତ୍ରା କରନ୍ତି, ସେମାନଙ୍କୁ ଅଧିକ ମୋସନ୍ ସିକନେସ ସିମଟମସ ଆସେ । ଏହାର ଅର୍ଥ ନୁହେଁ ଯେ ଆପଣ ଅତ୍ୟଧିକ ଭାରି ଖାଦ୍ୟ ଗ୍ରହଣ କରିବେ । କିନ୍ତୁ ଘରୁ ବାହାରିଲା ବେଳେ ହାଲୁକା ଏବଂ ସୁସ୍ଥ ଖାଦ୍ୟ ଖାଇ ବାହାରନ୍ତୁ ।
- ଯାତ୍ରା ସମୟରେ ପାଖରେ ପାଚିଲା ଲେମ୍ବୁ ରଖନ୍ତୁ । ବାନ୍ତି ଲାଗିଲା କ୍ଷଣି ତୁରନ୍ତ ଲେମ୍ବୁକୁ ଚିପୁଡ଼ି ଶୁଙ୍ଘିବେ । ଏହାଦ୍ୱାରା ମନ ସତେଜ ହେବ ଏବଂ ବାନ୍ତି ଲାଗିବା କମିବ ।
- ପାଖରେ ଲବଙ୍ଗ ଗୁଣ୍ଡ କରି ରଖନ୍ତୁ । ଯଦି ବାନ୍ତି ଆସିଲା ପରି ଅନୁଭବ କରୁଛନ୍ତି ତେବେ କେବଳ ଚିମୁଟାଏ ଚିନି କିମ୍ବା କଳା ଲୁଣ ସହିତ ନେଇ ଚୋବାନ୍ତୁ । ବାନ୍ତି ହେବା କମିବ ।
- ତୁଳସୀ ପତ୍ର ଚୋବେଇବା ଦ୍ଵାରା ବି ବାନ୍ତି ଲାଗି ନଥାଏ । ଯଦି ପାରୁଛନ୍ତି ତେବେ ଲେମ୍ବୁ ରସରେ କଳା ଲୁଣ ମିଶାଇ ଏବଂ ପୋଦିନା ପତ୍ର ରସ ମିଶାଇ ଏକ ବୋତଲରେ ସାଙ୍ଗରେ ରଖିପାରନ୍ତି । ଟିକେ ଟିକେ ମଝିରେ ମଝିରେ ପିଉଥିବେ ଯାତ୍ରା ସମୟରେ । ଲେମ୍ବୁ ଚାଟିଲେ ବି ବାନ୍ତି ଲାଗିବା କମିଥାଏ ।
- ତେବେ ବସରେ ଗଲାବେଳେ ବସିବା ପୂର୍ବରୁ ଆପଣ ଏକ ପେପର ବିଛେଇ ଦେବେ, ତାପରେ ଯାଇ ବସିବେ । ଦେଖିବେ ଆପଣଙ୍କୁ ଆଉ ବାନ୍ତି ଲାଗିବନି ।