ଆତ୍ମହତ୍ୟା ପ୍ରବଣତା ମାନସିକତା ଦିନକୁ ଦିନ ବଢିବଢି ଚାଲିଛି ଯୁବପିଢି ବର୍ଗ ଭିତରେ । ବାରମ୍ବାର ଏପରି ଘଟଣା ନାନା ସ୍ଥାନରେ ଘଟି ଚାଲିଥିବା ବେଳେ ପୁଣି ଏକ ଖବର ଆସିଛି ବଲାଙ୍ଗିର ଜିଲ୍ଲା ତୁସୁରା ଥାନା ଅଞ୍ଚଳରୁ । ଗତକାଲି ତେଲ ନଦୀ ବ୍ରିଜ ଉପରେ ଘଟିଛି ଏକ ଅଘଟଣ । ବ୍ରିଜ ଉପରେ ଗୋଟିଏ ସ୍କୁଟି ଓ ୨ ହଳ ଚପଲ ପଡ଼ି ରହିଥିବାବେଳେ ଦୁଇ ଭଉଣୀ ନଈକୁ ଡେଇଁ ପଡ଼ିଛନ୍ତି ।
ଖବର ମୁତାବକ ନଈକୁ ଡେଇଁ ପଡ଼ି ନିଖୋଜ ଅଛନ୍ତି ଦୁଇ ଭଉଣୀ । ନିଖୋଜ ଥିବା ଦୁଇ ଭଉଣୀଙ୍କ ଘର ଗୁଡ଼ଭେଲା ଅଞ୍ଚଳରେ । ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ଉଭୟଙ୍କ ବୟସ ୨୦ରୁ ୨୫ ବର୍ଷ ମଧ୍ୟରେ ହେଇଥିବ ବୋଲି ଅନୁମାନ କରିଛନ୍ତି । ଦ୍ଵିପ୍ରହର ସମୟରେ ଘଟିଛି ଏ ଘଟଣା ।
ସ୍ଥାନୀୟ ଲୋକେ ଖବର ଦେଲାରୁ ଗୁଡ଼ଭେଲା ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଁଚିଲେ । ଉଦ୍ଧାର କରିବାକୁ ଚେଷ୍ଟା କଲେ ସିନା ହେଲେ ଦୁହେଁ ଏଯାବତ୍ ନିଖୋଜ ଅଛନ୍ତି । ତେବେ କେଉଁ କାରଣରୁ ଦୁଇ ଭଉଣୀ ଏମିତି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଲେ ସେ ନେଇ କୌଣସି ସୂଚନା ନାହିଁ । ତେବେ ତଦନ୍ତ ଏବେ ବି ଜାରି ଅଛି ।