କରୋନାର ଦ୍ଵିତୀୟ ତରଙ୍ଗ ସମୟରେ ବର୍ତ୍ତମାନ ଟିକା ହିଁ ମୁଖ୍ୟ ଅସ୍ତ୍ର ସାଜିଛି । ତେବେ ଦେଶ ସାରା ଏହି ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ସରକାର ଯଥାସମ୍ଭବ ପ୍ରୟାସ ଜାରି ରହିଛି । ଟିକା ନେଲାପରେ କିନ୍ତୁ ଆପଣ କ’ଣ ଖାଇବେ, କ’ଣ ନଖାଇବେ ଆସନ୍ତୁ ଜାଣିବା ।
ସାରା ଦେଶରେ ମଇ ମାସ ପହିଲାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଯାଇଛି । ଏହି ପର୍ଯ୍ୟାୟରେ ୧୮ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦେବା ଆରମ୍ଭ ହୋଇଯାଇଛି । ତେବେ କରୋନା ଟିକା ନେଲାପରେ କିପରି ନିଜର ଯତ୍ନ ନେବେ ସେନେଇ ବିଶେଷଜ୍ଞ କହିଛନ୍ତି …
ଟିକା ନେବା ପୂର୍ବରୁ କ’ଣ ଖାଇବେ –
- ଯଦି ଆପଣ ଟିକା ନେଉଛନ୍ତି ତେବେ ଟିକା ନେବାର ଗୋଟେ ଦିନ ପୂର୍ବରୁ ଶରୀରକୁ ପୂରା ଆରାମ ଦିଅନ୍ତୁ । ଏହା କରିବା ଫଳରେ ଆପଣଙ୍କ ଇମ୍ୟୁନ୍ ସିଷ୍ଟମ ଠିକ୍ ଭାବେ ପ୍ରତିକ୍ରିୟା ଦେଇପାରିବ । ସକାଳେ ଟିକା ନେବେ ଯଦି ପୂର୍ବଦିନ ରାତିରେ ଫାଇବରଯୁକ୍ତ ଖାଦ୍ୟବାକୁ ଚେଷ୍ଟା କରନ୍ତୁ, କାରଣ ତାଦ୍ଵାରା ନିଦ ଭଲ ହୁଏ । ରାତ୍ରି ଭୋଜନରେ ଆପଣ ସୁପ୍ ଏବଂ ସାଲାଡ୍ କିମ୍ବା ବ୍ରୋକଲି, ବିନ୍ସ ଭଳି ପନିପରିବା ଖାଇଲେ ଅଧିକ ଫଳପ୍ରଦ ହେବ । ମନେରଖନ୍ତୁ ଖାଇସାରିବା ପରେ ତୁରନ୍ତ ଶୋଇବାକୁ ଯାଆନ୍ତୁ ନାହିଁ । ଖାଇବା ଓ ଶୋଇବା ଭିତରେ ଅତିକମ୍ରେ ୩ ଘଣ୍ଟାର ବ୍ୟବଧାନ ଦିଅନ୍ତୁ ଏବଂ ଶୋଇବା ପୂର୍ବରୁ ବେଶୀ ପାଣି ପିଅନ୍ତୁ ନାହିଁ । ସେହିଭଳି ଟିକା ନେବାକୁ ଯିବା ପୂର୍ବରୁ ମଧ୍ୟ ପେଟ ଭରି ପ୍ରୋଟିନ ଏବଂ ଫାଇବରଯୁକ୍ତ ଖାଦ୍ୟ ଖାଇ ଯାଆନ୍ତୁ ।
- ଯଦି ଆପଣ ପୂର୍ବାହ୍ନରେ କରୋନା ଟିକା ନେବାକୁ ଯାଉଛନ୍ତି ତାହେଲେ ପେଟଭର୍ତ୍ତି ଜଳଖିଆ ଖାଇବା ଦରକାର । ଓଟ୍ସ୍, ଫଳ ଏବଂ ମଞ୍ଜି ଜାତୀୟ ଖାଦ୍ୟ ସମେତ ସବୁଜ ପନିପରିବା, ଏବୋକାଡ଼ୋ, ଅଣ୍ଡା ଅମ୍ଲେଟ୍ ଆଦି ବି ସାମିଲ କରିପାରିବେ ଆପଣଙ୍କ ଜଳଖିଆରେ । ହେଲେ ଯଦି ଆପଣ ଅପରାହ୍ନରେ ଟିକା ନେବାକୁ ଯାଉଛନ୍ତି ତେବେ ମାତ୍ରାଧିକ ସବୁଜ ପନିପରିବା, ଡାଲି ଏବଂ ସାଲାଡ୍ ଖାଇ ଟିକା ନେବା ପାଇଁ ବାହାରନ୍ତୁ । ଯଦି ଟିକା ନେବାକୁ ଯିବା ପୂର୍ବରୁ ଆପଣଙ୍କୁ ଭୟ ଲାଗୁଛି କିମ୍ବା କିଛି ଖାଇବାକୁ ଇଚ୍ଛା ହେଉନି ତାହେଲେ ଆପଣ ଦହି, କଦଳୀ, ସବୁଜ ପନିପରିବା, ତାଜା ଫଳ ଏବଂ ଫ୍ରୁଟ୍ ଜୁସ୍ ପିଇପାରିବେ । ଏହାକୁ ଖାଇଲେ ଆପଣଙ୍କୁ ଏନର୍ଜି ବି ମିଳିବ ଏବଂ ଆପଣଙ୍କ ମୁଡ୍ ମଧ୍ୟ ବଦଳିଯିବ ।
- ଶରୀରରେ ଜଳୀୟ ଅଂଶ ଯେପରି କମି ନଯାଏ ସେପ୍ରତି ବିଶେଷ ଧ୍ୟାନ ଦେବାକୁ ହୁଏ । ସେମିତିରେ ବି ଏବେ ଖରାଦିନ । ତେଣୁ ମହିଳାମାନେ ପ୍ରତିଦିନ ୨.୭ ଲିଟର ଏବଂ ପୁରୁଷମାନେ ପ୍ରତିଦିନ ୩.୭ ଲିଟର ପାଣି ବା ତରଳ ପଦାର୍ଥ ପିଇବା ଦରକାର । ଆପଣଙ୍କୁ ଶୋଷ ଲାଗୁ କିମ୍ବା ନଲାଗୁ କିଛି ସମୟ ଅନ୍ତରରେ ଲଗାତର ଭାବେ ଅଳ୍ପ ଅଳ୍ପ କରି ପାଣି ପିଅନ୍ତୁ । ଦରକାର ପଡ଼ିଲେ ପାଣିରେ ଉପଯୁକ୍ତ ପରିମାଣର ଓଆରଏସ୍, ଇଲୋକ୍ଟୋରାଲ୍ ପାଉଡର ଗୋଳାଇ ପିଇପାରିବେ । ଫ୍ରେସ୍ ଫ୍ରୁଟ୍ ଜୁସ୍, ପଇଡ଼ ପାଣି, ପିଇଲେ ଭଲ । ତରଭୁଜ, କଦଳୀ ଆଦି ଖାଆନ୍ତୁ ।
- କିଛି ଲୋକଙ୍କୁ ଟିକା ନେବା ପରେ ବିଚଳିତ ଲାଗିବା, ବାନ୍ତି ଲାଗିବା ଭଳି ଅନୁଭବ ହେଉଛି । ଦୁର୍ବଳ ଲାଗିବା, ଗୋଡ଼ହାତ ବିନ୍ଧା ହେବା ଭଳି ସମସ୍ୟା ମଧ୍ୟ ଦେଖା ଦେଉଛି କେତେକଙ୍କ ଠାରେ । ଏପରିସ୍ଥଳେ ଟିକା ନେବା ପରେ ଏମିତି ଖାଦ୍ୟ ଖାଆନ୍ତୁ ଯାହା ସହଜରେ ହଜମ ହୋଇପାରିବ । ତେଣୁକରି ଆପଣ ସୁପ୍, ପଇଡ଼ ପାଣି, ତରଭୁଜ, ବ୍ରାଉନ ରାଇସ, ଆଳୁ ଖାଇ ପାରିବେ । ଆଉ ହଁ, ଭୋକ ଲାଗୁ ବା ନଲାଗୁ ଅଳ୍ପ ସମୟ ବ୍ୟବଧାନରେ ଅଳ୍ପ ଅଳ୍ପ ଖାଦ୍ୟ ଖାଇବା ଆବଶ୍ୟକ ।

ଟିକା ନେବା ପରେ କ’ଣ ଖାଇବେ ନାହିଁ –
- ମନେରଖନ୍ତୁ ଯେ ଟିକା ନେବା ପରେ ଫ୍ରାଏ ଫୁଡ୍ସ, ମାଂସ, ମିଠା, ଛଣାଛଣି ଜିନିଷ ଆଦୌ ଖାଇବେ ନାହିଁ । ଯଦି ଆପଣ ମଦ ପିଇବାରେ ଅଭ୍ୟସ୍ତ ତେବେ ଟିକା ନେବାର କିଛି ଦିନ ପୂର୍ବରୁ ଏବଂ ଟିକା ନେବାର କିଛି ଦିନ ପର ପର୍ଯ୍ୟନ୍ତ ମଦ୍ୟପାନ ଠାରୁ ଦୂରେଇ ରୁହନ୍ତୁ । କାରଣ ଟିକାକରଣ ପରେ ଶରୀରରେ ପ୍ରଚୁର ପରିମାଣରେ ଜଳୀୟ ଅଂଶ ରହିବା ଦରକାର । କିନ୍ତୁ ଆପଣ ଯଦି କୌଣସି ପ୍ରକାର ମାଦକ ଦ୍ରବ୍ୟ ନିଅନ୍ତି ତେବେ ଶରୀର ଡିହାଇଡ୍ରେଡ୍ ହେବାର ଆଶଙ୍କା ବଢିଯାଏ । ଏହାସହିତ ଜ୍ଵର, ମୁଣ୍ଡ ବିନ୍ଧା, ଦୁର୍ବଳ ଲାଗିବା, ମାଂଶପେଶୀ ଘୋଳାବିନ୍ଧା ଭଳି ସମସ୍ୟା ଉପୁଜିପାରେ ।