ସଂସ୍କାର : ୧୫ ବର୍ଷର ଛାତ୍ର ଜ୍ୟୋତିପ୍ରକାଶଙ୍କ ମୃତ୍ୟୁ ପରେ ରାଜ୍ୟ ରାଜନୀତି ଏକ ପ୍ରକାରର ଗରମ ରହିଛି। ଉଭୟ ବିଜେପି ଆଉ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରିବା ସହିତ ବିଏମସିର କାର୍ଯ୍ୟଦକ୍ଷତା ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି। ବିରୋଧୀଙ୍କ ସମେତ ରାଜଧାନୀବାସୀ ମଧ୍ୟ ବିଏମସିର କୌଣସି କାର୍ଯ୍ୟରେ ସନ୍ତୁଷ୍ଟ ଅନୁଭବ କରିନାହାନ୍ତି। ରାଜ୍ୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ , କେବଳ ରାଜଧାନୀ ଭୁବନେଶ୍ବରରେ ଛୋଟ ବଡ଼ ମିଶାଇ ପାଖାପାଖି ୧୦୦୦ କିଲୋମିଟର ପରିଦ୍ଧିରେ ଡ୍ରେନ୍ ରହିଛି। ଆଉ ସେଥିମଧ୍ୟରୁ ପ୍ରାୟ ୩୦୦ ରୁ ୪୦୦ କିମି ଡ୍ରେନରେ ଘୋଡ଼ଣି ପଡିଛି। ବାକି ଡ୍ରେନରେ ଘୋଡ଼ଣି କିଏ ପକାଇବ ବୋଲି ସାଧାରଣ ଜନତା , ସରକାର ଓ ବିଏମସି ଅଧିକାରୀମାନଙ୍କୁ ଗଣମାଧ୍ୟମ ଜରିଆରେ ପ୍ରଶ୍ନ କରିଛନ୍ତି।
ତେବେ ଏହାରି ମଧ୍ୟରେ ଏକ ଟୁଇଟ ରାଜ୍ୟରେ ଚାଲିଥିବା ଡ୍ରେନ୍ ରାଜନୀତିକୁ ଆଉ ଏକ ପାଦ ଆଗକୁ ନେଇଛି। ଏହି ଟୁଇଟ ହେଲା ବିଜେପି ଯୁବମୋର୍ଚ୍ଚାର ସାଧାରଣ ସମ୍ପାଦକ ଦୀପକ କୁମାର ଗୋଛାୟତଙ୍କର। ଶ୍ରୀ ଗୋଛାୟତ ନିଜର ଏହି ଟୁଇଟରେ ବିଜେଡି ସାଧାରଣ ସମ୍ପାଦିକା ଶ୍ରୀମୟୀ ମିଶ୍ରଙ୍କୁ ଟାର୍ଗେଟ କରିଛନ୍ତି। ଦୀପକ ଲେଖିଛନ୍ତି ଯେ, ” ଶ୍ରୀମୟୀ ମ୍ୟାଡାମ ଭୁବନେଶ୍ୱରକୁ ନେଇ ଏତେ ଚିଲାଉଥିଲେ, ହେଲେ ଏବେ ୧୫ ବର୍ଷର ଶିଶୁ ମୃତ୍ୟୁ ପରେ କୁଆଡେ ଲୁଚିଲେଣି, କେହି ଦେଖିଛନ୍ତି କି ?” ରାଜଧାନୀ ଡ୍ରେନରେ ୧୫ ବର୍ଷର ଶିଶୁ ଭାସି ମୃତ୍ୟୁବରଣ କରିବା ନେଇ ବିଜେଡି ସାଧାରଣ ସମ୍ପାଦିକା ଶ୍ରୀମୟୀ ମିଶ୍ରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ଯୁବମୋର୍ଚ୍ଚାର ସାଧାରଣ ସମ୍ପାଦକ ଦୀପକ କୁମାର ଗୋଛାୟତ।
ବର୍ଷା ବେଳେ ରାଜଧାନୀର ବେହାଲ ସ୍ଥିତିକୁ ନେଇ ଶ୍ରୀମୟୀ ବିଜେପିକୁ ଟାର୍ଗେଟ କରୁଥିଲେ। ମାତ୍ର ଶ୍ରୀମୟୀ ଡ୍ରେନରେ ୧୫ ବର୍ଷର ଶିଶୁ ଭାସି ମୃତ୍ୟୁବରଣ ଘଟଣାରେ ସେ ଏଯାଏ ମୁହଁ ଖୋଲି ନାହାନ୍ତି। ସେ ଚୁପ ହୋଇ ରହିଛନ୍ତି। କିଛି ଦିନ ତଳେ ଲଘୁଚାପ କାରଣରୁ ରାଜ୍ୟରେ ଦୀର୍ଘ ୪୮ ରୁ ୫୫ ଘଣ୍ଟା ପର୍ଯ୍ୟନ୍ତ ଅନବରତ ବର୍ଷା ହୋଇଥିଲା। ଆଉ ଏହି ବର୍ଷାରେ ଭୁବନେଶ୍ବର ସମ୍ପୂର୍ଣ୍ଣ ବୁଡି ଯାଇଥିଲା। ଏହି ଘଟଣା ବାବଦରେ ମୁହଁ ଖୋଲିଥିଲା ରାଜ୍ୟ ବିଜେପି। କିନ୍ତୁ ବିଜେଡି ସାଧାରଣ ସମ୍ପାଦିକା ଶ୍ରୀମୟୀ ମିଶ୍ର ବିଜେପିକୁ ଜବାବ୍ ଦେବାକୁ ପଛାଇ ନ ଥିଲେ।
ସୂଚନା ଅନୁଯାୟୀ, ଗତ ୧୯ ତାରିଖ ଦିନ ଅପରାହ୍ନରେ ୧୫ ବର୍ଷର ଶିଶୁଟି ସଂସ୍କୃତ ଟିଉସନ ଯାଉଥିବା ବେଳେ ଡ୍ରେନ ପାଣିରେ ଭାସି ଯାଇଥିଲା। ଦୀର୍ଘ ୧୮ ଘଣ୍ଟା ପରେ ତାର ମୃତଦେହ ମିଳିଥିଲା। ବିଏମସି ଓ ରାଜ୍ୟ ସରକାରଙ୍କ ଅପାରଗତା ହେତୁ ଏହା ହୋଇଛି ବୋଲି ସାଧାରଣରେ ଚର୍ଚ୍ଚା ହୋଇଥିଲା। ଭୁବନେଶ୍ଵରର ମରାମତି ସହ ଶିଶୁଟିକୁ ନ୍ୟାୟ ଦାବିରେ ବିଜେପି ବିଏମସି ଅଫିସ ଘେରାଉ କରିବା ସହ କ୍ୟାଣ୍ଡେଲ ଶୋଭାଯାତ୍ରା କରିଥିଲା।