ସଂସ୍କାର : ଆସନ୍ତାକାଲି ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଆଉ ଅକ୍ଟୋବର ୩ ତାରିଖରେ ଏହାର ଫଳାଫଳ ଘୋଷଣା ହେବ। ୨୦୧୯ ମସିହାର ସାଧାରଣ ନିର୍ବାଚନ ପରେ ଏହା ହେଉଛି ରାଜ୍ୟରେ ଚତୁର୍ଥ ଉପନିର୍ବାଚନ ଏବଂ ପଞ୍ଚମ ନିର୍ବାଚନ। କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ବିଧାୟକ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ ଏଠାରେ ନିର୍ବାଚନ କମିଶନ ନିର୍ବାଚନକୁ ସ୍ଥଗିତ ରଖିଥିଲେ। ସାଧାରଣ ନିର୍ବାଚନର ବହୁତ ଦିନ ପରେ ଏଠାରେ ବିଜୁ ଜନତା ଦଳ ସାନି ପ୍ରାର୍ଥୀ ଦେଇଥିଲା। ଆଉ ଏହି ଉପନିର୍ବାଚନରେ ବାଜିମାତ୍ କରିଥିଲା। ଏହି ନିର୍ବାଚନରେ ବିଜେପି ଦଳ କଡ୍ଡା ଟକ୍କର ଦେଇଥିଲେ ହେଁ ଜିତିପାରିନଥିଲା।
ସେହିଭଳି ବିଜେପୁର, ବାଲେଶ୍ୱର ଏବଂ ତ୍ରିତୋଲ୍ ଉପନିର୍ବାଚନରେ ବିଜେପି ଶୋଚନୀୟ ପରାଜୟ ହୋଇଥିଲା। ଗୋଟିଏ ପକ୍ଷରେ ବିଜେପିର ଗଡ଼ କୁହାଯାଉଥିବା ବାଲେଶ୍ୱରରେ ମଧ୍ୟ ବିଜେଡି ବାଜିମାତ୍ କରିନେଇଥିଲା। ତେବେ ପିପିଲି ଉପନିର୍ବାଚନର ତାରିଖ ଘୋଷଣା ହେବା ପରେ ପରେ ବିଜେଡି ବଡ଼ ଜୋରଦାର ଭାବରେ ନିର୍ବାଚନ ପ୍ରଚାର କରିଛି। ବର୍ତ୍ତମାନ ସେମାନେ ଦାବି କଲେଣି ଯେ, ସେମାନେ ( ବିଜେଡି) ୪୦ ହଜାର ଭୋଟ ବ୍ୟବଧାନରେ ଜିତିବେ। ଅନ୍ୟପକ୍ଷରେ ଅନ୍ୟ କୌଣସି ରାଜନୈତିକ ଦଳ ଏତେ ଦୃଢ଼ତାର ସହ ନିଜର ବିଜୟ ସମ୍ପର୍କରେ ପୂର୍ବାନୁମାନ କରିପାରିନାହାନ୍ତି।
ଅନ୍ୟପଟେ ବିଜେଡି ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ନିଜର ସଜବାଜକୁ ତ୍ରୀବ କରିଛି। ଯାହାକି ବିଜେପି ଭଳି ଅନ୍ୟ ରାଜନୈତିକ ଦଳ ପାଇଁ ଚିନ୍ତାର କାରଣ ସାଜିଲାଣି। ସେପଟେ ବିଜେପି ମଧ୍ୟ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ କାମ ଆରମ୍ଭ କଲାଣି, କିନ୍ତୁ ସେତେଟା ପ୍ରଭାବ ପଡ଼ିନାହିଁ। ଆମେ ଏକ ପ୍ରକାରରେ କହି ପାରିବା ଯେ, ଓଡିଶା ରାଜନୀତିକୁ ବର୍ତ୍ତମାନ ନିର୍ବାଚନୀ ଉଷ୍ମତା ଫେରିଛି।
ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୧ ବର୍ଷ ଧରି ରାଜ୍ୟ ଶାସନରେ ଅଛନ୍ତି। ୨୦୦୦ ମସିହାରେ ଜନ୍ମଗ୍ରହଣ କରିଥିବା ପିଲାମାନେ ଆଜି ଜଣେ ଜଣେ ଭୋଟର୍ । ଏତେ ପରିବର୍ତ୍ତନ ମଧ୍ୟରେ ଗୋଟିଏ ଚିତ୍ର ସେମାନଙ୍କ ପାଇଁ ଅପରିବର୍ତ୍ତିତ ରହିଛି, ତାହା ହେଲା ରାଜ୍ୟ ଶାସନର ମୁଖିଆ ବଦଳିନାହାନ୍ତି। ସେତେବେଳେ ନବୀନ ନୂଆ ନୂଆ ମୁଖ୍ୟମନ୍ତ୍ରୀ ହୋଇଥିଲେ ଆଉ ବର୍ତ୍ତମାନ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ଆକଳନ କରିହେବ ନାହିଁ।
ଅନ୍ୟପକ୍ଷରେ ୨୦୨୪ ମସିହାରେ ପରବର୍ତ୍ତୀ ବିଧାନସଭା ନିର୍ବାଚନ ହେବ। ଏହି ଫାଇନାଲ ମ୍ୟାଚ୍ ପୂର୍ବରୁ ପଞ୍ଚାୟତ ଓ ପୌର ନିର୍ବାଚନକୁ ସେମି ଫାଇନାଲ ବୋଲି କୁହାଯାଇପାରେ। ସ୍ୱାଭାବିକ ଭାବେ ସରକାରୀ ଦଳ ଅପେକ୍ଷା ବିରୋଧୀ ଦଳ କିଭଳି ଏହି ମ୍ୟାଚ୍ ଖେଳିବ, ତାହା ଉପରେ ସମସ୍ତଙ୍କର ନଜର। ବର୍ତ୍ତମାନ ୨୦୨୪ ମସିହାର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ପ୍ରସ୍ତୁତି ଆରମ୍ଭ କରିଦେବା ଦରକାର ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। କାରଣ ମୁଖ୍ୟ ବିରୋଧୀ ଦଳ ଭାବରେ ବର୍ତ୍ତମାନ ବିଜେପି ହିଁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛି। ଅନ୍ୟପଟେ ଆସନ୍ତାକାଲି ପିପିଲି ଉପ ନିର୍ବାଚନ ହେଉଥିବା କାରଣରୁ ଏହାର ଫଳାଫଳ ଉପରେ ସାରା ଓଡ଼ିଶାର ଲୋକଙ୍କର ନଜର। କାରଣ ଲୋକେ କହୁଛନ୍ତି ଯେ, ଦେଖିବା ଏଥର ପିପିଲିରେ ଗୋଟିଏ ବାପାର ପୁଅ ଜିତୁଛି ନା ଗେରୁଆ ପତାକାର ବିଜୟ ହେଉଛି। ତେବେ ପିପିଲିରେ ଆସନ୍ତାକାଲି ନିର୍ବାଚନ ଟକ୍କର ଜୋରଦାର୍ ହେବ ଏଥିରେ ସନ୍ଦେହ ନାହିଁ।