ପୋକସୋ କୋର୍ଟ (Pocso Court) ଦେଇଛି ବଡ଼ ରାୟ । ଜଣେ ୨୦ ବର୍ଷୀୟ ଯବକଙ୍କୁ ବର୍ଷେ ଯାଏଁ ଜେଲ ଦଣ୍ଡ ସହିତ ୧୫୦୦୦ ଟଙ୍କା ଜରିମାନା ପାଇଁ ରାୟ ଦେଇଛି କୋର୍ଟ । ଜଣେ ନାବାଳିକାକୁ ଦେଖି ଆଖି ମାରିବା ଏବଂ ଫ୍ଲାଇଂ କିସ୍ ଦେବା ମଧ୍ୟ ଯୌନ ଉତ୍ପୀଡ଼ନ ଭାବରେ ବିବେଚନା କରାଯାଇପାରେ ଏବଂ ଏହି କାରଣରୁ କୋର୍ଟ ଦେଇଛି ଏମିତି ରାୟ । ତେବେ ଅଭିଯୁକ୍ତ ଦେଇଥିବା ଜରିମାନା ଟଙ୍କାରୁ ୧୦୦୦୦ ଟଙ୍କା ପୀଡ଼ିତାକୁ ଦିଆଯିବ ବୋଲି ଜଣାପଡ଼ିଛି ।
ମିଳିଥିବା ଏକ ରିପୋର୍ଟ ଅନୁସାରେ ୧୪ ବର୍ଷୀୟ ଜଣେ ନାବାଳିକା ନିଜ ବୟାନରେ କୋର୍ଟଙ୍କୁ କହିଛନ୍ତି ଯେ ଫେବୃୟାରୀ ୨୯ ତାରିଖ ଦିନ ସେ ତାଙ୍କ ଭଉଣୀ ସହିତ କୌଣସି ସ୍ଥାନକୁ ଯାଉଥିଲେ । ପଡ଼ୋଶୀ ଅଞ୍ଚଳରେ ରହୁଥିବା ଅଭିଯୁକ୍ତ ଯୁବକ ଜଣଙ୍କ ତାଙ୍କୁ ଚାହିଁ ଫ୍ଲାଇଂ କିସ କରିବା ସହିତ ଆଖି ବି ମାରିଥିଲେ । ପୂର୍ବରୁ ମଧ୍ୟ ସମାନ କାମ ଅଭିଯୁକ୍ତ ଜଣକ କରିସାରିଥିଲା ଏବଂ ସେପାଇଁ ତାକୁ ବୁଝାସୁଝା ମଧ୍ୟ କରାଯାଇଥିଲା । ହେଲେ ତା ଆଚରଣରେ କୌଣସି ପରିବର୍ତ୍ତନ ଦେଖା ଯାଇ ନଥିଲା । ବାରମ୍ବାର ସମାନ ଘଟଣା ଘଟିବାରୁ ଶେଷରେ ପୀଡ଼ିତା ବାଧ୍ୟ ହୋଇ ପୋଲିସର ଦ୍ଵାରସ୍ଥ ହୋଇଥିଲେ ।
ତେବେ ମାମଲାର ଶୁଣାଣି ବେଳେ ପ୍ରତିପକ୍ଷ ଓକିଲ କହିଛନ୍ତି ଯେ ପୀଡ଼ିତା କରିଥିବା ଅଭିଯୋଗକୁ ଯୌନ ଉତ୍ପୀଡ଼ନ ଆଖ୍ୟା ଦେଇ ହେବନି । ଓକିଲ ମଧ୍ୟ ଅଭିଯୋଗ କରିଛନ୍ତି ଯେ ପୋଲିସ ଏହି ମାମଲାର ସଠିକ୍ ଅନୁସନ୍ଧାନ କରି ନାହିଁ । ତେବେ କୋର୍ଟ ଏହି ପ୍ରତିପକ୍ଷଙ୍କ ଆବେଦନକୁ ଅଣଦେଖା କରି ନିଜର ରାୟ ଶୁଣାଇ ଦେଇଛନ୍ତି । କୋର୍ଟ କହିଛି ଯେ ଅଭିଯୁକ୍ତକୁ ଅନେକ ଥର ଏପରି କାର୍ଯ୍ୟକଳାପରୁ ନିବୃତ୍ତ ରହିବାକୁ କୁହାଯାଇଥିବା ପ୍ରମାଣ ରହିଛି । ଏହାବ୍ୟତୀତ କାହାକୁ ଆଖି ମାରିବା କିମ୍ବା ଫ୍ଲାଇଂ କିସ୍ କରିବା ବି ଏକ ଅପରାଧ ।