ଗତ ଦୁଇ ସପ୍ତାହ ଭିତରେ ଚୀନ ବ୍ୟତୀତ କାରୋନାଭାଇରସ (COVID-୧୯) ମାମଲା ୧୩ ଗୁଣ ବୃଦ୍ଧି ପାଇଥିବାବେଳେ ପ୍ରଭାବିତ ଦେଶ ସଂଖ୍ୟା ତିନି ଗୁଣ ବଢିଛି । ବର୍ତ୍ତମାନ ସୁଦ୍ଧା ୧୧୪ଟି ଦେଶରେ ୧୧୮୦୦୦ ରୁ ଅଧିକ ମାମଲା ରହିଥିବାବେଳେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୪୨୯୧ ରହିଛି । ୧୦୦୦ରୁ ଅଧିକ ପୀଡ଼ିତ ଡାକ୍ତରଖାନାରେ ଜୀବନ ପାଇଁ ସଂଗ୍ରାମ ମଧ୍ୟ କରୁଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୧୧ ତାରିଖ ଅପରାହ୍ନରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) COVID-୧୯ କୁ ମହାମାରୀ ଘୋଷଣା କରିଛି ।
ଏହା କେବଳ ଜନସ୍ୱାସ୍ଥ୍ୟ ସଙ୍କଟ ନୁହେଁ, ବରଂ ବିଶ୍ଵବ୍ୟାପୀ ବିସ୍ତାର ହେବାର ଆଶଙ୍କା ରହିଛି । ସ୍ୱାସ୍ଥ୍ୟ ବ୍ୟତୀତ ଏହି ସଙ୍କଟ ଅର୍ଥନୈତିକ, ରାଜନୈତିକ, ସାମାଜିକ ଆଦି ପ୍ରତ୍ୟେକ କ୍ଷେତ୍ରକୁ ସ୍ପର୍ଶ କରିବ ବୋଲି ଏକ ଗଣମାଧ୍ୟମ ସମ୍ମିଳନୀରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଡାଇରେକ୍ଟର ଜେନେରାଲ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସସ୍ କହିଛନ୍ତି । ଏହାସହିତ ସେ କହିଛନ୍ତି ଯେ ପ୍ରତ୍ୟେକ କ୍ଷେତ୍ର ତଥା ପ୍ରତ୍ୟେକ ବ୍ୟକ୍ତି ଏହି ଲଢେଇରେ ସାମିଲ ହେବା ଜରୁରୀ ।
ଆଗାମୀ ଦିନଗୁଡ଼ିକରେ ଏହି ମାମଲା ସଂଖ୍ୟା, ଲୋକଙ୍କ ମୃତ୍ୟୁ ସଂଖ୍ୟା ଏବଂ ପ୍ରଭାବିତ ଦେଶମାନଙ୍କ ସଂଖ୍ୟା ଆହୁରିରୁ ଆହୁରି ଅଧିକ ହେବ ବୋଲି ଆଶଙ୍କା କରାଯାଇପାରେ । ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ (WHO) ଘଣ୍ଟା ଘଣ୍ଟା ଧରି ଏହି ବିସ୍ଫୋରଣର ମୂଲ୍ୟାୟନ କରିଆସୁଛି । କରୋନା ଭାଇରସର ବିସ୍ତାର, ଗମ୍ଭୀରତା ଏବଂ ନିଷ୍କ୍ରିୟତାର ସ୍ତର ଦ୍ୱାରା ଗଭୀର ଚିନ୍ତାରେ ବି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ । ଏହି ପରିପ୍ରେକ୍ଷୀରେ ତେଣୁ COVID-୧୯କୁ ଏକ ମହାମାରୀ ଭାବରେ ବର୍ଣ୍ଣିତ କରାଯାଇପାରିବ ବୋଲି କହିଛନ୍ତି ମହାନିର୍ଦ୍ଦେଶକ ।

“ମହାମାରୀ” ହାଲୁକା କିମ୍ବା ବେପରୁଆ ଭାବରେ ବ୍ୟବହାର କରିବା ଶବ୍ଦ ନୁହେଁ । ଏହାର ଅପବ୍ୟବହାର ଅଯଥା ଭୟ ସୃଷ୍ଟି କରେ । ଲଢିବା ପୂର୍ବରୁ ହାରିଯିବାକୁ ବୁଝାଏ । ଅନାବଶ୍ୟକ ଯନ୍ତ୍ରଣା ଏବଂ ମୃତ୍ୟୁକୁ ଆଡ଼କୁ ନେଇଯାଏ । ହେଲେ କରୋନା ଭାଇରସ ଦ୍ଵାରା ଏହା ପ୍ରଥମ ମହାମାରୀ ଯେଉଁଟା ନିୟନ୍ତ୍ରଣ କରାଯାଇପାରିବ । ପ୍ରଥମ ମାମଲାଗୁଡ଼ିକ ବିଷୟରେ ଅବଗତ ହେଲା ପରଠୁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ (WHO) ସମ୍ପୂର୍ଣ୍ଣ ସତର୍କ ରହିଛି । ଦେଶଗୁଡ଼ିକ ଜରୁରୀ କାର୍ଯ୍ୟାନୁଷ୍ଠାନମାନ ଗ୍ରହଣ କରୁ ବୋଲି ଆହ୍ଵାନ ଦେଉଛି । ଧୈର୍ଯ୍ୟର ସହିତ ସଠିକ ପଦକ୍ଷେପ ନେବା ଓ ବିଶ୍ଵ ନାଗରିକମାନଙ୍କୁ ସୁରକ୍ଷା ଦେବା ପାଇଁ ଆମେ ସବୁବେଳେ ସଜାଗ ଓ ଆପଣଙ୍କ ସହିତ ଅଛୁ । ଏକାଠି ମିଶି ଏ ବିପଦରୁ ରକ୍ଷା ପାଇବା ସମ୍ଭବ ।