ଅଜ୍ଞାତ ଉତ୍ସ ଓ ଅଗ୍ରଗାମୀ ବାର୍ତ୍ତା : ଭଲ ଓ ମନ୍ଦ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ । ପ୍ରତ୍ୟେକ ଜିନିଷର ତେଣୁ ସକାରାତ୍ମକ ଓ ନକରାତ୍ମକ ଦିଗ ରହଛି । ଠିକ୍ ସେହିପରି କରୋନାଭାଇରସ ଯେତେବେଳେ ସାରା ବିଶ୍ଵରେ ମୃତ୍ୟୁର ତାଣ୍ଡବ ଲୀଳା କରୁଛି ସେଠି ତାକୁ ହୃଦୟହୀନ କହିବା ବି ଉଚିତ୍ ହେବନି । ସେଇ ହୃଦୟକୁ ନେଇ କରୋନା ଯୋଗୁ ରହିଥିବା କିଛି ଭଲ ପାର୍ଶ୍ଵ ପ୍ରତିକିୟାଗୁଡ଼ିକୁ ନିମ୍ନରେ ତାଲିକାଭୁକ୍ତ କରାଗଲା । କାରଣ ବିପଦରେ ପଡ଼ିଯିବାର ଆଶଙ୍କା, ଶିକାର ହେଇଯିବାର ଭୟ, ପ୍ରତି ମିନିଟରେ କରୋନା ସଂକ୍ରମିତଙ୍କ କରୁଣ ସ୍ଥିତି ଆଦି ଭିତରେ ସନ୍ତୁଳି ହେଉପଡୁଥିବା ଆମେ ସର୍ବସାଧାରଣମାନେ, ଆସନ୍ତୁ ଟିକେ ହାଲୁକାଫୁଲୁକା କରିନେବା ମନକୁ । ମାତ୍ର ସର୍ତ୍ତ, ଏସବୁକୁ ଦେହକୁ ନେବେନି ।
ପରୀକ୍ଷା : ସବୁବେଳେ ପିଲାମାନଙ୍କ ପାଇଁ ପରୀକ୍ଷା ଗୋଟେ ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ ହେଇ ରହିଆସିଛି । ଅନିଚ୍ଛାସତ୍ତ୍ୱେ ବି ପିଲାମାନେ ଏହି ପୁରୁଣାକାଳିଆ ଅପମାନଜନକ ଆନୁଷ୍ଠାନିକ ରୀତିକୁ ଆପଣେଇ ନିଜ ନିଜର ଶିକ୍ଷା ପୂରଣ କରୁଥିଲେ । ହେଲେ ଏସବୁ ବିନା ବି ସମ୍ଭବ ଦେଖିବାକୁ ମିଳିଲା, ଅର୍ଥାତ୍ କୌଣସି ପରୀକ୍ଷା ନଦେଇ ବି ପିଲାମାନେ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବେ । ଦେଖନ୍ତୁ, କିଛି ଭୁଲ ହେଲାନି !
ଘରୁ କାମ : ମେଟ୍ରୋ ସହରଗୁଡ଼ିକରେ ପ୍ରବଳ ଟ୍ରାଫିକ ଏବଂ ପ୍ରଦୂଷଣ ସମସ୍ୟା ପାଇଁ ଘରୁ କାମ କରିବା ଏକ ଆଦର୍ଶ ସମାଧାନ । କିନ୍ତୁ ପ୍ରାୟତଃ କମ୍ପାନୀଗୁଡ଼ିକର ବିଶ୍ଵାସ ଯେ ବାଇକ/ କାର ଚଲେଇ/ ସାର୍ବଜନିକ ଯାତାୟାତ ଦ୍ଵାରା, ଅଯଥା ଇନ୍ଧନ ଜାଳି, ବହୁ ଉତ୍ପାଦନକ୍ଷମ ସମୟ ନଷ୍ଟ କରି ପ୍ରତ୍ୟେକ ଦିନ କାମ କରିବାକୁ ଅଫିସ ଯିବା ଗୁରୁତ୍ତ୍ୱପୂର୍ଣ୍ଣ ଅଟେ । କିନ୍ତୁ ଯେତେବେଳେ କରୋନାଭାଇରସ ଆସିଲା ଆମେ ଅନୁଭବ କଲୁ ଯେ ଘରୁ କାମ କରିବା ସମ୍ଭବ । କାମ ସରୁଛି ମଧ୍ୟ ।
ଇ-ମିଟିଂ : ମିଟିଂରେ ସବୁବେଳେ ମୁହାଁମୁହିଁ ବସି ସାକ୍ଷାତକାର ନେବା-ଦେବା କିମ୍ବା ଆଲୋଚନା କରିବାର ଜିଦିକୁ ସ୍କାଏପେ ଦ୍ଵାରା ବି ପୂରଣ କରାଯାଇପାରେ ବୋଲି ଆବିଷ୍କାର ହେଲା । ଏହା ଯିବାଆସିବା ସମୟ, ବିସ୍କୁଟ ପାଣି, କଫି, ଚା’, ଏୟାର କଣ୍ଡିସିନର ଇତ୍ୟାଦି ସବୁ ସଞ୍ଚୟ କଲା ।
ମଲ୍ : ଚିତ୍ତବିନୋଦନ ତଥା ଉତ୍ତେଜନାମୁକ୍ତ ପାଇଁ ସର୍ବୋତ୍ତମ ସ୍ଥାନ ଭାବି ଆମେ ମଲ ଯାଉ । PVRକୁ ଦୌଡୁ ସିନେମା ଦେଖିବା ପାଇଁ । ସପିଂ କରିବା, ସିନେମା ଦେଖିବା, ନାନା ପ୍ରକାର ଖାଦ୍ୟ ଖାଇବା ଇତ୍ୟାଦି ପ୍ରକୃତରେ FOMO (ହଜିଯିବାର ଭୟ) ଦୂର କରେ ବୋଲି ଆମର ବିଶ୍ଵାସ ଥିଲା । ଆଜି ଜାଣିଲୁ ଯେ ଆମ ନିଜ ଘର ହିଁ ସର୍ବୋତ୍ତମ ସ୍ଥାନ ନିଜକୁ ଆବିଷ୍କାର କରିବା ପାଇଁ । ବିଶେଷକରି ଯେତେବେଳେ ଆମ ପିଲାମାନେ ପାଖରେ ଥାଆନ୍ତି ଓ ତାଙ୍କର କୌଣସି ହୋମୱାର୍କ ନଥାଏ । ପରିବାର ଭିତରେ ସମୟ ଅତିବାହିତ ସତରେ ସୁଖକର ।
ବିବାହ : ଆମର ବିଶ୍ଵାସ ଯେ ବିବାହ ସବୁବେଳେ ଗ୍ରାଣ୍ଡ୍ ଓ ୟାଦଗାର୍ ହେବା ଦରକାର । ନିଜର ସାମାଜିକ ସ୍ଥିତି ଏବଂ ଧନ ପରାକାଷ୍ଠା ଦେଖାଇବା ପାଇଁ ଏହା ଏକ ମାତ୍ର ସୁଯୋଗ । ହେଲେ ଆଜି ହେଜିଲୁ ଯେ ମାତ୍ର ୧୫ ଜଣଙ୍କୁ ନିମନ୍ତ୍ରଣ କରି ବି ସରଳତାର ସହିତ ସମ୍ମାନ ପୂର୍ବକ ବିବାହର ଆୟୋଜନ ସମ୍ଭବ ଅଟେ ।
ଅନ୍ତିମ ସଂସ୍କାର : ଅନ୍ତିମ ସଂସ୍କାର ପାଇଁ ଆଡମ୍ବର ପ୍ରୟୋଜନ ନୁହେଁ । ବର୍ତ୍ତମାନ ଜାଣିହେଉଛି ଯେ ଏହା କେବଳ ଏକ ବ୍ୟକ୍ତିଗତ ମୁହୂର୍ତ୍ତ ଯାହାକୁ ପରିବାରବର୍ଗ ଏବଂ ଘନିଷ୍ଠ ବନ୍ଧୁମାନଙ୍କ ମଧ୍ୟରେ ପାଳନ କରିହେବ ।
ପ୍ରାର୍ଥନା : ପ୍ରକୃତରେ ଭଗବାନଙ୍କୁ ମନେ ପକାଇବା, ତାଙ୍କ ସହ ବାର୍ତ୍ତାଳାପ କରିବା ପାଇଁ ଆନୁଷ୍ଠାନିକ ଭାବରେ କୌଣସି ମନ୍ଦିର, ଚର୍ଚ୍ଚ କିମ୍ବା ମସଜିଦକୁ ଯିବାର ଆବଶ୍ୟକତା ନାହିଁ । ଘରେ ରହି ବି ତାଙ୍କ ସ୍ତୁତି କରିହେବ, ପାଇଥିବା ସୁଖ ପାଇଁ କୃତଜ୍ଞ ହେବା ସହିତ ଦୁଃଖ ନ ଆସୁ ବୋଲି ପ୍ରାର୍ଥନା କରିହେବ ବୋଲି ଏବେ ଆମେ ଶିଖୁଛୁ ।
ଜନ୍ମଦିନ ଉତ୍ସବ : ଜନ୍ମଦିନ ଏକ ଉତ୍ସବ ନୁହେଁ ବରଂ ଅର୍ଥପୂର୍ଣ୍ଣ ପାରିବାରିକ ଘଟଣା । ଆମେ ଆମର ପିଲାମାନେ ଜୀବନ୍ତ ଏବଂ ସୁସ୍ଥତା ହିଁ ପାଳନ କରୁ । ଜନ୍ମଦିନ ଉତ୍ସବ ତ ପିତାମାତାମାନଙ୍କ ଭିତରେ ହେଉଥିବା କେବଳ ଏକ ପ୍ରତିଯୋଗିତା ଥିଲା ।
ଏହିପରି ଭାବରେ କରୋନା ଆସିବା ଯୋଗୁ ଟ୍ରାଫିକ୍ କମିଛି, ସହରରେ ଶାନ୍ତି, ପରିବାର ଏକାଠି, ଘର ରନ୍ଧା ଫେରିଛି, ପିଲାମାନେ ଖୁସି ଅଛନ୍ତି, ପତି-ପତ୍ନୀ ପୁଣି ପରସ୍ପର ସହିତ କଥାବାର୍ତ୍ତା ହେଉଛନ୍ତି । ଏହାକୁ କରୋନା ସମୟର ପ୍ରେମ କହିବାନି ତ ଆଉ କ’ଣ କହିବା !
ଏ ଭାଇରସ ଗୋଟେ ଦୁଇ ମାସ ଭିତରେ ନିଶ୍ଚିହ୍ନ ହୋଇଯିବ । କିନ୍ତୁ ଆମେ ଆଶା କରିପାରିବା ଯେ ଏହି ଭଲ ଅଭ୍ୟାସଗୁଡ଼ିକ ମଧ୍ୟରୁ ଅନ୍ୟୁନ କିଛି ତ ଆଗାମୀ ସମୟରେ ଅବ୍ୟାହତ ରହିବ ଆମ ଭିତରେ !