ବଳି ପଡ଼ିଛି ଭବିଷ୍ୟତର ସ୍ଵପ୍ନ । ଭାବପ୍ରବଣତା ଓ ମାନବିକତା ଆଗରେ ହାରିଯାଇଛି ଲାଭକ୍ଷତିର ହିସାବ । ଏସବୁର ଜ୍ଵଳନ୍ତ ଉଦାହରଣ ସାଜିଛନ୍ତି ସୁରତର ଜଣେ ଛୋଟିଆ ଦୋକାନୀ । ଜନତା କର୍ଫ୍ୟୁ ପରେ ହୋଇଥିବା ଲକଡାଉନ ଯୋଗୁ ସୁରତରେ ଥିବା ନିଜ ଓଡ଼ିଆ ଭାଇଭଉଣୀ ଖଟିଖିଆମାନେ କେମିତି ଖାଇବେ ସେନେଇ ଆରମ୍ଭ କଲେ ରସୋଡ଼ା (ମାଗଣାରେ ଭୋଜନ ବିତରଣ କାର୍ଯ୍ୟକ୍ରମ) । ୫୦୦ ରୁ ଆରମ୍ଭ କରି ଏବେ ସେ ଦୈନିକ ପ୍ରାୟ ୪୦୦୦ ଲୋକଙ୍କୁ ଖାଇବା ଯୋଗାଉଛନ୍ତି ।
ଏକ ସାକ୍ଷାତକାରରେ ଭାବପ୍ରବତାର ସହିତ ସେ କହିଲେ ଯେ ତାଙ୍କ ପତ୍ନୀ ନିଜ ୪ ବର୍ଷର ପୁଅକୁ ଇଂରାଜୀ ମିଡ଼ିୟମରେ ପଢାଇବା ପାଇଁ ସଞ୍ଚୟ କରିଥିଲେ ପ୍ରାୟ ୧ ଲକ୍ଷ ୨୫ ହଜାର ଟଙ୍କା । କିନ୍ତୁ ଯେତେବେଳେ କରୋନା ମହାମାରୀ ସଙ୍କଟ, ଲକଡାଉନ ବ୍ୟବସ୍ଥା ଓ ଦିନମଜୁରିଆଙ୍କ ଅସୁବିଧା କଥା କହିଲି, ପତ୍ନୀ ବି ଖୁସି ଖୁସି ବଢେଇ ଦେଲେ ସବୁତକ ସଞ୍ଚିତ ଟଙ୍କା ଏହି ଭୋଜନ ବିତରଣ କାର୍ଯ୍ୟକ୍ରମ ପାଇଁ ।
ନିଜ ପଇସାରେ ପ୍ରଥମେ ଆରମ୍ଭ କରିଥିଲି ରସୋଡ଼ା, କିନ୍ତୁ ସାହାଯ୍ୟର ହାତ ବି ମିଳିଥିଲା ସାଙ୍ଗସାଥିଙ୍କ ଠାରୁ ପରେ ପରେ । ଦ୍ଵିତୀୟ ଲକଡାଉନବେଳେ ବି ଅଳ୍ପ କେତେଜଣ ସାଙ୍ଗ ସାହାଯ୍ୟ କଲେ । ହେଲେ ତୃତୀୟ ଲକଡାଉନ ହେଲାରୁ ପାଖରେ ଥିବା ପଇସା ସରିବା ସହିତ ସାଙ୍ଗ ସହଯୋଗ ବି କମିସାରିଥାଏ ଯଦିଓ ମନ ଦୃଢ କରିଥିଲି ଯେ ଲକଡାଉନ ଶେଷ ଯାଏଁ ଏ ଭୋଜନ ବିତରଣ କାର୍ଯ୍ୟକ୍ରମ ଚାଲୁରଖିବି ।
ସୁରତରେ ବିଗତ ୨୭ ବର୍ଷ ଧରି ରହି ଆସୁଥିବାବେଳେ ତାଙ୍କର ଗୋଟିଏ ଛୋଟ ଦୋକାନ ଅଛି । ଏହି ଓଡ଼ିଆ ବ୍ୟକ୍ତି ଜଣକ ବାରମ୍ବାର ଭାବପ୍ରବଣ ହେଇ କହୁଥିଲେ ଯେ ଭଗବାନଙ୍କ ଆଶୀର୍ବାଦ ରହିଲେ ପୁଅ ତାର ପଢିବ, କିନ୍ତୁ ଏ ଦୁଃସମୟରେ ଭୋକିଲା ପେଟର ଭୋକ ଚିହ୍ନିବା ପ୍ରାଥମିକତା ଥିଲା । ଏ କାର୍ଯ୍ୟ କରି ମୁଁ ଓ ମୋ ପତ୍ନୀ ସମେତ ମୋ ପରିବାର ସମସ୍ତେ ଆତ୍ମସନ୍ତୋଷ ପାଉଛୁ, ଖୁସି ଅଛୁ ।