କଟକ : ଛାତ୍ରୀଙ୍କ ଅର୍ଦ୍ଧନଗ୍ନ ଭିଡ଼ିଓ ଭାଇରଲ୍ କଲେ ଅଜଣା ଯୁବକ

ସଂସ୍କାର : ଆଜିକାଲି ସ୍କୁଲ ପିଲାମାନେ ବିଭିନ୍ନ ପ୍ରକାରର ସ୍ମାର୍ଟଫୋନ ଧରି ସୋସିଆଲ୍ ମିଡ଼ିଆରେ ସକ୍ରିୟ ହୋଇଯାଉଛନ୍ତି। ଆଉ ଏହି ସୋସିଆଲ୍ ମିଡ଼ିଆର ବ୍ୟବହାର କରିବା ଦ୍ୱାରା ସେମାନେ ବିଭିନ୍ନ ପ୍ରକାରର ଅସୁବିଧାର ଶିକାର ହେଉଛନ୍ତି। ଏମିତି ହିଁ ଏକ ବିପଦର ଶିକାର ହୋଇଛନ୍ତି କଟକର ଜଣେ ସ୍କୁଲ୍‌ ଛାତ୍ରୀ।

ଅଜଣା ଯୁବକଙ୍କ ସହିତ ଭିଡିଓ କଲିଂରେ କଥା ହେବା କଟକର ଜଣେ ସ୍କୁଲ୍‌ ଛାତ୍ରୀଙ୍କ ପାଇଁ ବିପଦ ସୃଷ୍ଟି କରିଛି। ଛାତ୍ରୀଙ୍କ ସେହି ଭିଡିଓ କଲ୍‌ର ଦୃଶ୍ୟକୁ ରେକର୍ଡ କରି ସେଥିରେ ଅର୍ଦ୍ଧନଗ୍ନ ଫଟୋ ଏଡିଟ୍‌ କରି ସେହି ଅଜଣା ଯୁବକ ଜଣକ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଛନ୍ତି। ଫଳରେ ଭିଡିଓଟି ଏବେ ଇନ୍‌ଷ୍ଟାଗ୍ରାମ୍‌ ସହିତ ଅନ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଯାଇଛି। ତେବେ ଏହି ଘଟଣାଟି ସିଡିଏ ଅଞ୍ଚଳରେ ଘଟିଛି। ଏନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ ଫେଜ୍‌-୨ ଥାନାରେ ଏତଲା ଦାୟର ହୋଇଛି । ଘଟଣାଟି ସ୍କୁଲ୍‌ ଛାତ୍ରୀଙ୍କ ସହିତ ଜଡ଼ିତ ଥିବାରୁ ପୁଲିସ ଏହାକୁ ସମ୍ବେଦନଶୀଳ ଭାବେ ଗ୍ରହଣ କରି ତଦନ୍ତ ଆରମ୍ଭ କରିଦେଇଛି।

ସୂଚନା ଅନୁଯାୟୀ, କଟକର ସିଡିଏ ସେକ୍ଟର-୧୦ ଅଞ୍ଚଳର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ସୋସିଆଲ୍‌ ମିଡିଆରେ ଏକାଧିକ ଆକାଉଣ୍ଟ ରହିଛି । ଏହା ମଧ୍ୟରୁ ଇନ୍‌ଷ୍ଟାଗ୍ରାମ୍‌ର ଆକାଉଣ୍ଟରେ ଛାତ୍ରୀଙ୍କ ଜଣେ ଯୁବକଙ୍କ ସହିତ ବନ୍ଧୁତା ହୋଇଥିଲା । ଛାତ୍ରୀ ଜଣକ ଚାଟିଂରେ ଉକ୍ତ ଯୁବକ ସହିତ କଥା ହେଉଥିଲେ । ପରେ ମୋବାଇଲ୍‌ ନମ୍ବର ଆଦାନପ୍ରଦାନ କରି ଫୋନ୍‌ରେ କଥା ହେବା ସହିତ ଏକାଧିକ ଥର ଭିଡିଓ କଲିଂରେ କଥା ହେବା ଆରମ୍ଭ କଲେ । ତେବେ କୌଣସି କାରଣରୁ ଛାତ୍ରୀ ଜଣକ ହଠାତ୍‌ ସେହି ଯୁବକଙ୍କ ସହିତ କଥା ହେବା ବନ୍ଦ କରିଦେଲେ । ଫଳରେ ଯୁବକ ଜଣକ ପ୍ରତିଶୋଧ ପରାୟଣ ହୋଇଉଠିଲେ । ଯୁବକ ଜଣକ ପୂର୍ବରୁ ଭିଡିିଓ କଲିଂ ବେଳର ଦୃଶ୍ୟକୁ ରେକର୍ଡ କରି ରଖିଥିଲେ । ଉକ୍ତ ଦୃଶ୍ୟକୁ ସେ ଏଡିଟ୍‌ କରି ତାହାକୁ ଅର୍ଦ୍ଧନଗ୍ନ ଭିଡିଓରେ ପରିଣତ କରିଦେଲେ । ଏହାପରେ ଉକ୍ତ ଏଡିଟ୍‌ ଭିଡିିଓକୁ ପ୍ରଥମେ ଛାତ୍ରୀଙ୍କ ପାଖକୁ ପଠାଇ ପରେ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଦେଲେ ।

ଇନ୍‌ଷ୍ଟାଗ୍ରାମ୍‌ରେ ଅର୍ଦ୍ଧନଗ୍ନ ଭିଡିଓଟି ଛଡ଼ାଯିବା ପରେ ଏହା ବିଜୁଳି ବେଗରେ ଭାଇରାଲ୍‌ ହୋଇଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ଅଧିକ ଯାଞ୍ଚ କରିବାରୁ ଅଭିଯୁକ୍ତ ଯୁବକ ଜଣକ ରାଜ୍ୟ ବାହାରର ବୋଲି ଜଣାପଡ଼ିଛି । ତେଣୁ ଏହି ଘଟଣାରେ ଖୁବ୍‌ଶୀଘ୍ର ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *