ହିନ୍ଦୁ ପରମ୍ପରା ହେଉ କି ସଂସ୍କୃତି, କାହିଁ କେଉଁ କାଳରୁ ଏକାଧିକ ପତ୍ନୀ ଗ୍ରହଣ ନିତି ଚାଳିଆସୁଛି । କିନ୍ତୁ ସମୟାନୁକ୍ରମେ ତାହା ପରିବର୍ତ୍ତିତ ହୋଇଯାଇଛି । ଆଇନ ଅନୁସାରେ ଜଣକୁ ଛାଡ଼ପତ୍ର ଦେଲାପରେ ଯାଇ ସାମାଜିକ ଭାବରେ ଜଣେ ଯୋଗ୍ୟ ହେବ ଦ୍ଵିତୀୟ ଥର ବିବାହ ପାଇଁ । ତେବେ ଲୋକେ ସର୍ଟକର୍ଟ ପ୍ରତି ବେଶୀ ଆକର୍ଷିତ । କିନ୍ତୁ ମଣିଷ ଭୁଲିଯାଏ ଯେ ସର୍ଟକର୍ଟ ସବୁବେଳେ ବିପଥଗାମୀ କରାଏ, ଅପରାଧ ଆଡ଼କୁ ବାଟ କଢାଏ ।
ପ୍ରାୟ ଦଶ ମାସ ପରେ ବ୍ୟକ୍ତି ଜଣକ ଆଗଭର ହେଲେ ଦ୍ଵିତୀୟ ଥର ବିବାହ କରିବାକୁ । ଏକଥା ଜାଣିଲା ପରେ ଶ୍ଵଶୁର ଘରକୁ ଡକାଇଲେ ଜ୍ଵାଇଁଙ୍କୁ । ସେପଟେ ଝିଅର ମୃତ୍ୟୁକୁ ଦଶ ମାସ ପୂରୁଥିବା ନେଇ କିଛି ରୀତିନୀତି ବି ଥାଏ । ଜ୍ଵାଇଁ କିନ୍ତୁ ମଦ୍ୟପାନ କରି ପହଞ୍ଚିଲେ ଓ ନିଶା ଯୋଗୁ ସେ ନିଜେ ସ୍ଵୀକାର କରିଥିଲେ ଯେ ଦ୍ଵିତୀୟ ବିବାହ ପାଇଁ ସେ ତାଙ୍କ ଝିଅକୁ ହତ୍ୟା କରିଥିଲେ । କେବଳ ସେତିକି ନୁହେଁ, ଶ୍ଵଶୁର ସତ୍ୟନାରାୟଣଙ୍କ ଆଉ ଦୁଇ ଝିଅଙ୍କୁ ବି ସେ ମାରିଦେବେ ବୋଲି ଧମକ ଦେଲେ ।
ବାପ କେମିତି ଭଲା ସହି ପାରିଥାନ୍ତା ଏ ସତ୍ୟକୁ, ଝିଅ ପ୍ରତି ଅବିଚାରକୁ । ଏକ ଧାରୁଆ ଅସ୍ତ୍ରରେ ଜ୍ଵାଇଁର ବେକ କାଟି ଦେଇଥିଲେ ସତ୍ୟନାରାୟଣ ଓ କଟା ମୁଣ୍ଡ ଧରି ପୋଲିସ ଷ୍ଟେସନରେ ହାଜର ହୋଇଥିଲେ । ଆତ୍ମସମର୍ପଣ କରି ସବୁ ଘଟଣା ବଖାଣିଛନ୍ତି ଝିଅର ବାପା । ତେବେ ଘଟଣାଟି ଗତ ଶନିବାର ଦିନ ଘଟିଛି । ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାର ରାଉତୁଲପୁଡି ମଣ୍ଡଳର ଧରା ଜଗନ୍ନାଧପୁରମ୍ ଗ୍ରାମରେ ଅଭିଯୁକ୍ତ ପାଲା ସତ୍ୟନାରାୟଣ ତାଙ୍କ ଜ୍ଵାଇଁ ଲାଛନାଙ୍କୁ ହତ୍ୟା କରିଛନ୍ତି ଓ ଆତ୍ମସପର୍ପଣ କରିଛନ୍ତି ପୋଲିସ ପାଖରେ ।
ସୂଚନା ଅନୁଯାୟୀ ଅଗଷ୍ଟ ୮ ତାରିଖରେ ମୃତ ଝିଅର ପିତା ପାଲା ସତ୍ୟନାରାୟଣ ଝିଅର ମୃତ୍ୟୁକୁ ଦଶ ମାସ ପୂରଣ ହେଉଥିବା ନେଇ ରୀତିନୀତି ସମ୍ପନ୍ନ କରିବାକୁ ଜ୍ଵାଇଁ ଲାଛନାଙ୍କୁ ଘରକୁ ଡାକିଥିଲେ । କିନ୍ତୁ ଲାଛନା ମଦ ପିଇ ସତ୍ୟନାରାୟଣଙ୍କ ଘରେ ପହଞ୍ଚି ସବୁ ସତ ଶ୍ଵଶୁରଙ୍କୁ ଜଣାଇ ଦେଇଥିଲେ । ଘରେ ଥିବା ସତ୍ୟନାରାୟଣଙ୍କ ଅନ୍ୟ ଦୁଇ ଝିଅଙ୍କୁ ନେଇ ମଧ୍ୟ ହତ୍ୟା ଯୋଜନା କରୁଛନ୍ତି ବୋଲି କହିବାରୁ ରକ୍ତମୁଖା ହେଇଯାଇଥିଲେ ଶ୍ଵଶୁର । ଗୋଟାଏ ଚୋଟରେ ମୁଣ୍ଡ ଗଣ୍ଡି ଦୁଇ ଗର କରି କଟା ମୁଣ୍ଡ ଧରି ପୋଲିସ ପାଖରେ ହାଜର । ଏ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।