ଆତ୍ମାହୁତି ଉଦ୍ୟମ କରିଥିବା ଏଏନ୍‌ଏମ୍‌ କର୍ମୀ ଉଦ୍ଧାର : ଜବତ ହୋଇଥିବା ସୁଇସାଇଡ଼ ନୋଟରେ ଲେଖିଥିଲେ, ମୋର ୬,୪୪୬ ଜଣ ଭଉଣୀଙ୍କୁ …

ରାଜଧାନୀ ଭୁବନେଶ୍ଵର ଲୋୟର ପିଏମ୍‌ଜି ନିକଟରେ ଗତ ୨୦ ଦିନ ହେବ ଏଏନ୍‌ଏମ୍‌ ସ୍ୱାସ୍ଥ୍ୟ କର୍ମୀଙ୍କ ଆନ୍ଦୋଳନ ଚାଲିଛି ଯାହା କ୍ରମେ ଉଗ୍ର ରୂପ ନେବାରେ ଲାଗିଛି । ସବୁଦିନ ପରି ଆଜି ମଧ୍ୟ ଧାରଣା ସ୍ଥଳରେ ସ୍ୱାସ୍ଥ୍ୟ କର୍ମୀମାନେ ନାରାବାଜି ଚଳାଇଥିଲେ । ହେଲେ ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ରିତୁପ୍ରଜ୍ଞା ନାମ୍ନୀ ଜଣେ ମହିଳା ଅଚାନକ ଧାରଣାସ୍ଥଳରୁ ଉଠିପଡ଼ି ଏକ ବୋତଲରେ ରଖିଥିବା କିରାସିନି ନିଜ ଉପରେ ଢାଳି ହୋଇ ପଡ଼ିଥିଲେ । ତେବେ ଅନ୍ୟ ଆନ୍ଦୋଳନକାରୀ ତଥା ପୋଲିସ ଘେରିଯାଇ ତାଙ୍କୁ କାବୁ କରିବାରେ ସଫଳ ହୋଇଥିଲେ ଏବଂ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦିଆଯାଇଥିଲା ।

ଏହି ଘଟଣାର କିଛି ସମୟ ପରେ ଭବାନୀ ନାମକ ଆଉ ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ ଧାରଣାସ୍ଥଳରୁ ଉଠି କଂଗ୍ରେସ ଭବନ ଆଡ଼କୁ ଦୌଡ଼ିଥିଲେ ଏବଂ ଚଳନ୍ତା ଗାଡ଼ି ସାମ୍ନାକୁ ଡେଇଁ ପଡ଼ିବାକୁ ଉଦ୍ୟମ କରିଥିଲେ । ହେଲେ ପୋଲିସ ତାଙ୍କୁ ମଧ୍ୟ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ତେବେ ପୋଲିସକୁ ମିଳିଛି ଏକ ସୁଇସାଇଡ଼ ନୋଟ ।

ସୁଇସାଇଡ଼ ନୋଟରେ ଲେଖା ଅଛି ଯେ ମୁଁ ରିତୁପ୍ରଜ୍ଞା ସାହୁ । କୋଭିଡ୍‌-୧୯ ଆସିବା ପୂର୍ବରୁ ଘରୋଇ ସଂସ୍ଥାରେ ଚାକିରି କରିଥିଲି । କରୋନା ବିପତ୍ତିବେଳେ ସରକାରୀ ଚାକିରି ଲୋଭ ଦେଖାଇ ମୋତେ କୋଭିଡ୍‌ କେୟାର ହୋମ୍‌ (ସିସିଏଚ୍‌)ରେ ଖଟାଇଲେ । ଏବେ ଦେଇଥିବା ପ୍ରତିଶ୍ରୁତିରୁ ଓହରି ଯାଉଛନ୍ତି । ମୁଁ ମଲେ ରାଜ୍ୟ ସରକାର ଓ ସ୍ୱାସ୍ଥ୍ୟମନ୍ତ୍ରୀ ଦାୟୀ ରହିବେ । ଏତିକି ଅନୁରୋଧ ରହିଲା ଯେ, ମୁଁ ମଲା ପରେ ମୋର ୬,୪୪୬ ଜଣ ଭଉଣୀଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯିବ ।

ଖବର ମୁତାବକ ମୃତ୍ୟୁକୁ ଆଦରି ନେବାକୁ ଉଦ୍ୟମ କରିଥିବା ଦୁଇଜଣ ଯାକ ମହିଳା ଜଗତସିଂହପୁର ଏବଂ ବାଲେଶ୍ଵର ଅଞ୍ଚଳର । କୋଭିଡ୍‌-୧୯ ପଞ୍ଚାୟତସ୍ତରୀୟ ନିଯୁକ୍ତିପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ (ଏଏନ୍‌ଏମ୍‌) ସଂଘର ସଭାନେତ୍ରୀ ମଧୁସ୍ମିତା ବଡୁଙ୍କ କହିବାନୁଯାୟୀ ଅନ୍ୟୁନ ୨୦୨୪ ଯାଏଁ କୋଭିଡ୍‌ ଲଢ଼େଇରେ ସାମିଲ୍‌ ସ୍ୱାସ୍ଥ୍ୟକର୍ମୀଙ୍କୁ ରଖିବାକୁ କେନ୍ଦ୍ର ସରକାର କହିଥିବା ବେଳେ ରାଜ୍ୟ ସରକାର ଆମକୁ ଠକି ଦେଇଛନ୍ତି । ମିଥ୍ୟା ପ୍ରଲୋଭନ ଦେଖାଇ ଏବେ ବ୍ୟବସ୍ଥିତ ନିଯୁକ୍ତି ପ୍ରକ୍ରିୟା ଅନୁଯାୟୀ ଚାକିରି ମିଳିବ ବୋଲି କହୁଛନ୍ତି । ତେଣୁ ଏ ଆନ୍ଦୋଳନ ଆଗକୁ ଆହୁରି ତେଜିବ ।

Leave a Reply

Your email address will not be published. Required fields are marked *