ଆଉ ଜଣେ ଚାଷୀ କଲେ ଆତ୍ମହତ୍ୟା ; ଋଣ ବୋଝ ସହି ନପାରି କଲେ ଆତ୍ମହତ୍ୟା

ସଂସ୍କାର : କେତେ ଯେ ଦୁଃଖ କଷ୍ଟ ସହି ଜମିରେ ଚାଷ କରି ଆମ ଚାଷୀ ଭାଇମାନେ ଆମର ଖାଦ୍ୟକୁ ତିଆରି କରନ୍ତି ଆପଣ ମାନେ ଠିକ ଭଲ ଭାବରେ ଜାଣିଥିବେ। ଆଉ ସେହି ଚାଷୀ ଯେତେବେଳେ ଆମକୁ ଛାଡି ଚାଲିଯାଏ ତେବେ ସମସ୍ତଙ୍କ ଆଖିରେ ଲୁହ ଆସିଯାଇଥାଏ। କିନ୍ତୁ ଯେତେବେଳେ ଭଗବାନଙ୍କ ଡ଼କରା ନ ଆସୁଣୁ ସେ ନିଜର ପ୍ରାଣକୁ ନିଜ ହାତରେ ହତ୍ୟା କରେ ସେତେବେଳେ ଆମ ମାନଙ୍କୁ ବେଶି କଷ୍ଟ ହୋଇଥାଏ।ଶୀତ, କାକର , ବର୍ଷା ଆଉ ଖରା ସହି ଆମର ଯିଏ ଖାଦ୍ୟ ପ୍ରସ୍ତୁତ କରେ , ସେ ଯେତେବେଳେ ଆତ୍ମହତ୍ୟା କରେ ସେତେବେଳେ ଆମକୁ ବେଶୀ କଷ୍ଟ ହୋଇଥାଏ। ଏପରି ହିଁ ଜଣେ ଚାଷୀ ଆଜି ଆତ୍ମହତ୍ୟା କରିଛନ୍ତି। ଆଉ ସେ ଆତ୍ମହତ୍ୟା କରିବାର କାରଣ ହେଉଛି ଋଣ ଭାର।ଋଣ ବୋଝ ସହି ନପାରି ଜୀବନ ହାରିଲେ ଜଣେ ବୃଦ୍ଧ ଚାଷୀ।

ବିଂଝାରପୁର ଥାନା ଅନ୍ତର୍ଗତ ବରୀ ବ୍ଲକ ବୋଦୁଅ ପଞ୍ଚାୟତ କନ୍ତିଆ ଗ୍ରାମରେ ଘଟିଛି ଏହି ଦୁର୍ଭାଗ୍ୟ ତଥା ଦୁଃଖଭରା ଘଟଣା। ମୃତ ଚାଷୀ ଜଣକଙ୍କ ନାମ ହେଲା କନ୍ତିଆ ଗ୍ରାମର ଯଦୁନାଥ ମଲ୍ଲିକ। ବୟସ ୬୧ ବର୍ଷ। ଆଜି ତାଙ୍କର ବିଲ ନିକଟରେ ଥିବା ଏକ ଗଛରେ ତାଙ୍କ ମୃତଦେହ ଝୁଲୁଥିବାର ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଖବର ପାଇ ବିଂଝାରପୁର ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ୩୫/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ନିମନ୍ତେ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ପଠାଇଛି।

ସୂଚନା ଅନୁସାରେ , ଯଦୁନାଥ ଗତ ତିନିବର୍ଷ ହେଲା ଚାଷରେ କ୍ଷତି ସହୁଥିଲେ। ଚାଷ ବାବଦରେ ବିଭିନ୍ନ ଲୋକଙ୍କଠାରୁ ୩-୪ ଲକ୍ଷ ଟଙ୍କା ସେ ଧାରକରଜ କରିଥିଲେ। ଏଥିପାଇଁ ସବୁବେଳେ ସେ ଚାପରେ ରହୁଥିଲେ। ଆଜି ସକାଳେ ବିଲକୁ ଯାଇ ଚାଷର ଅବସ୍ଥା ଦେଖି ସେ ମାନସିକ ଭାରସାମ୍ୟ ହରାଇ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ପୁଅ ବିଂଝାରପୁର ପୋଲିସକୁ କହିଛନ୍ତି। ଏ ସଂପର୍କରେ ଆଇଆଇସି ଅମରେନ୍ଦ୍ର ଦାଶ କହିଛନ୍ତି ଯେ, ଘଟଣାର ତଦନ୍ତ ଚାଲିଛି, ଆତ୍ମହତ୍ୟାର କାରଣ ଏବେ ଜଣାପଡ଼ିନାହିଁ। ତେବେ ଆମେ ଯଥା ସମ୍ଭବ ଏହାର କାରଣ ଖୋଜିବାକୁ ଚେଷ୍ଟା ଚଳାଇଛୁ।

Leave a Reply

Your email address will not be published. Required fields are marked *