ସାମୁଦ୍ରିକ ବାତ୍ୟା‌ ‘ନିଭାର୍‌’ ସ୍ଥଳଭାଗରେ ପହଞ୍ଚିବାକୁ ରହିଲା ଆଉ ୪୮ ଘଣ୍ଟା : ଜାଣନ୍ତୁ ଓଡ଼ିଶାରେ ଏହାର କ’ଣ ପ୍ରଭାବ ରହିବ

ଭାରତ ମହାସାଗର ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଏକ ଲଘୁଚାପ ବଳୟ । ଏହି ଲଘୁଚାପ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ବାତ୍ୟାର ରୂପ ନେବ । ପାଣିପାଗ ବିଜ୍ଞାନୀ ଏହି ବାତ୍ୟାର ନାମ ‘ନିଭାର୍‌’ ଦେଇଛନ୍ତି ଯେତେବେଳେ କି ଓଡ଼ିଶା ଉପ‌ରେ ଏହି ବାତ୍ୟାର କୌଣସି ପ୍ରତ୍ୟେକ୍ଷ ପ୍ରଭାବ ପଡ଼ିବ ନାହିଁ ।

ତେବେ ବାତ୍ୟା ନିଭାର୍ ୨୫ ତାରିଖ ଦିନ ଅପରାହ୍ନ ମଧ୍ୟରେ ପଣ୍ଡିଚେରୀ ଓ ତାମିଲନାଡୁ ଦେଇ ଉପକୂଳ ଅତିକ୍ରମ କରିବ । ଏହା ପ୍ରଭାବରେ ହାତଗଣତି କେତୋଟି ଜିଲ୍ଲାକୁ ଛାଡ଼ିଦେଲେ ରାଜ୍ୟର ଅଧିକାଂଶ ସ୍ଥାନରେ କେବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ବର୍ଷା ଯୋଗୁଁ ରାଜ୍ୟ‌ରେ ଶୀତ କମିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ସେପଟେ ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ତାମିଲନାଡୁ ସମେତ ଦକ୍ଷିଣ ଭାରତରେ ଏହି ବାତ୍ୟା ନିଭାର୍ ବିଶେଷ ପ୍ରଭାବ ପକାଇବ ।

ରାଜ୍ୟରେ ନିଭାର୍ ଯୋଗୁ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ କେବଳ ବର୍ଷା ହେବ । ସୁନ୍ଦରଗଡ଼, କେନ୍ଦ୍ରାପଡ଼ା ଓ ଭଦ୍ରକ ଆଦି ଜିଲ୍ଲାକୁ ଛାଡ଼ିଦେଲେ ରାଜ୍ୟର ପ୍ରାୟ ସବୁ ଜିଲ୍ଲା‌‌‌‌‌ରେ ବର୍ଷା ହେବ । କୋରାପୁଟ, କଳାହାଣ୍ଡି ଓ ବଲାଙ୍ଗୀରରେ ମଧ୍ୟମ ଧରଣର ବର୍ଷା ହେବାକୁ ଥିବାବେଳେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ । ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, କେନ୍ଦୁଝର, ଦେବଗଡ଼, ମୟୂରଭଞ୍ଜ ଓ ବାଲେଶ୍ଵରରେ ହାଲ୍‌କା ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି । ଗୋପାଳପୁରରେ ସର୍ବାଧିକ ୯.୬ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ପୁରୀ ଜିଲ୍ଲା ଅସ୍ତରଙ୍ଗଠାରେ ୯ ମିମି ଓ ମୟୂରଭଞ୍ଜ ଜିଲ୍ଲାର ଶ୍ୟାମାଖୁଣ୍ଟାରେ ୮ ମିମି ବର୍ଷା ରେକର୍ଡ କରାଯାଇଛି । ଆଜି ସକାଳେ ଭବାନୀପଟଣା ଓ ଫୁଲବାଣୀଠାରେ ଘନ କୁହୁଡ଼ି ଦେଖାଯାଇଥିଲାବେଳେ କୁହୁଡ଼ିର ସାନ୍ଦ୍ରତା ଅଧିକ ଥିଲା ।

Leave a Reply

Your email address will not be published. Required fields are marked *