ସଂସ୍କାର : ବ୍ଲାକମେଲର ଅର୍ଚ୍ଚନା ସାଜିଥିଲା ରାଜନେତା ଆଉ ବଡ଼ବଡ଼ିଆଙ୍କ ହ୍ବାଇଟ କୁଇନ । କଳା ଟଙ୍କାକୁ ଧଳା କରୁଥିଲା ଅର୍ଚ୍ଚନା ନାଗ। ଯାହାକି ବର୍ତ୍ତମାନ ଅଭିଯୋଗ ହୋଇଛି। ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ବେଳେ ତାଜୁବ ହୋଇଯାଇଛି ଏହି ମାମଲାରେ ତଦନ୍ତ କରୁଥିବା ପୋଲିସ। ବର୍ତ୍ତମାନ ପୋଲିସ ଅର୍ଚ୍ଚନାଙ୍କ ବ୍ୟାଙ୍କ ଆକାଉଣ୍ଟର ହୋଇଥିବା ପ୍ରାୟ ୫ ବର୍ଷର ଆର୍ଥିକ କାରବାରକୁ ତନ୍ନ ତନ୍ନ କରି ଯାଞ୍ଚ କରିଛି । ଏହାକୁ ନେଇ ବଡ଼ବଡ଼ିଆଙ୍କ ଛାତିରେ ପଶିଛି ଛନକା।
ଯାଞ୍ଚ ସମୟରେ ପୋଲିସକୁ ହାଇ ପ୍ରୋଫାଇଲ ଟ୍ରାଞ୍ଜାକ୍ସନ ସମ୍ପର୍କରେ ସୂଚନା ମିଳିଛି । ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଅନାମଧେୟ ଆକାଉଣ୍ଟରୁ ବଡ ପରିମାଣର ଟଙ୍କା ଆସିଥିବା ଜାଣିବାକୁ ପାଇଛି ପୋଲିସ । ଏହି ଆକାଉଣ୍ଟରେ ବଡ ଏମାଉଣ୍ଟର ନେଣଦେଣ ହୋଇଛି । ଏହି ହାଇପ୍ରୋଫାଇଲ ଟ୍ରାଞ୍ଜାକ୍ସନରେ ପାଓ୍ବାର କରିଡରର କିଛି ନେତା, ମନ୍ତ୍ରୀ ଓ ସରକାରୀ ବାବୁ ସାମିଲ ଥିବା ସନ୍ଦେହ କରାଯାଉଛି । ଏହା ମଧ୍ୟ ସନ୍ଦେହ କରାଯାଉଛି ଯେ ନେତା ମନ୍ତ୍ରୀଙ୍କ କଳା ଟଙ୍କାକୁ ଧଳା କରିବାର ମାଧ୍ୟମ ସାଜିଥିଲେ ଅର୍ଚ୍ଚନା ।
ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ କିଛି ଚାଟାର୍ଡ ଆକାଉଣ୍ଟାଣ୍ଟ ଏବଂ ଫାଇନାନ୍ସିଆଲ ଆଡଭାଇଜରଙ୍କ ସହାୟତା ନେଇଛି ପୋଲିସ । ବଡ କଥା ହେଲା ଏହାର ତଦନ୍ତ କରିବା ପାଇଁ ଇଡିର ସହାୟତା ନିଆଯିବ କି ? ଇନକମ ଟାକ୍ସ ବିଭାଗର ସହାୟତା ନିଆଯିବ କି ? ସେ ନେଇ ପ୍ରଶ୍ନ ଉଠିଛି । କାରଣ ଅର୍ଚ୍ଚନାଙ୍କ ସମ୍ପତି ୫୦ କୋଟିର ହୋଇଥିବା ବେଳେ ବ୍ୟାଙ୍କ ଆକାଉଣ୍ଟରେ ୨୫ରୁ ୩୦ କୋଟିର କାରବାର ହୋଇଥିବା ସୂଚନା ରହିଛି ।
ସେପଟେ ବିରୋଧୀ କହିଛନ୍ତି ଅର୍ଚ୍ଚନାଙ୍କ ଅସଲ ସତ ଯଦି ପଦାକୁ ଆସେ ତେବେ ଏହି ସରକାର ଭାଙ୍ଗିଯିବ । ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂହ ସାଲୁଜା ଏହି ମନ୍ତବ୍ୟ ଦେଇଥିବା ବେଳେ ଏହି କଥାରେ ସ୍ବର ମିଳାଇଛି ବିଜେପି। ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତି କହିଛନ୍ତି, “ଅର୍ଚ୍ଚନା କେଳେଙ୍କାରୀରେ ଦୁଇ ଡଜନରୁ ଅଧିକ ନେତା ମନ୍ତ୍ରୀ ସାମିଲ ଅଛନ୍ତି । ଯଦି ଅସଲ ସତ ସାମନାକୁ ଆସେ ଏ ସରକାର ଆଉ ରହିବ ନାହିଁ।