ଦେଶର ଚାରିଆଡ଼େ କରୋନା ପୁଣିଥରେ ନିଜର କାୟା ବିସ୍ତାର କରୁଥିବା ବେଳେ ରାଜଧାନୀ ଦିଲ୍ଲୀରେ ଅପମିଶ୍ରିତ ଖାଦ୍ୟ ଲୋକଙ୍କ ଜୀବନକୁ ବିପଦ ମୁହଁକୁ ଠେଲିଦେବା ଘଟଣା ସାମ୍ନାକୁ ଆସିଛି । ସାରା ଦେଶରେ ଚୈତ୍ର ନବରାତ୍ର ଆରମ୍ଭ ହୋଇଯାଇଛି ଏବଂ ଏହି ପର୍ବରେ ପୂର୍ବ ଦିଲ୍ଲୀରେ ନବରାତ୍ର ବ୍ରତ ରଖିଥିବା ଲୋକେ କୁଟ୍ଟୁ ଅଟା (ବକୱିଟ୍) ପ୍ରସ୍ତୁତ ଖାଦ୍ୟ ଖାଇ ୫୦୦ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି । ତେବେ ସେମାନଙ୍କୁ ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ଏହି ମାମଲାରେ ଜଣେ ଦୋକାନୀ ବିରୋଧରେ ମୋକଦ୍ଦମା ରୁଜୁ କରିଛି।
ସୂଚନାଥାଉ ଯେ ବ୍ରତ ଉପବାସରେ ଉତ୍ତର ଭାରତୀୟ ଲୋକେ ବିଶେଷ ଧରଣର ମଞ୍ଜିରୁ ପ୍ରସ୍ତୁତ ଅଟାକୁ ବିଭିନ୍ନ ଖାଦ୍ୟ ପ୍ରସ୍ତୁତି ଲାଗି ଉପଯୋଗ କରିଥାନ୍ତି । ନବରାତ୍ର ପ୍ରଥମ ଦିନ ଉପବାସ କରିଥିବା ଲୋକେ ତେଣୁ କୁଟ୍ଟୁ ଅଟାରେ ପ୍ରସ୍ତୁତ ଖାଦ୍ୟ ଖାଇବା ପରେ ଅସୁସ୍ଥ ହୋଇପଡ଼ିଥିଲେ । ଏହାପରେ ପୂର୍ବ ଦିଲ୍ଲୀ ଡିସିପି ଦୀପକ ଯାଦବ ଏହି ମାମଲାରେ କଲ୍ୟାଣପୁରର ଏକ କିରାଣୀ ଦୋକାନୀ ବିରୋଧରେ ମୋକଦ୍ଦମା ରୁଜୁ କରିଥିଲେ ବୋଲି ଜଣାପଡ଼ିଛି । ତେବେ ଏହି ଘଟଣାର ଶିକାର ହୋଇଛନ୍ତି ମୋଟ ୫୨୬ ଜଣ ଏବଂ ସମସ୍ତେ ନାନା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି ।
ମିଳିଥିବା ଖବର ଅନୁସାରେ ଅସୁସ୍ଥ ହୋଇଥିବା ସମସ୍ତ ଲୋକ ଲାଲବାହାଦୂର ଶାସ୍ତ୍ରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ବୁଧବାର ଦିନ ମାତ୍ର ୪-୫ ଜଣଙ୍କୁ ଛାଡ଼ି ଅନ୍ୟମାନେ ହସ୍ପିଟାଲରୁ ଡିଶ୍ଚାର୍ଜ ହୋଇଗଲେଣି । ତେବେ କେବଳ କଲ୍ୟାଣପୁର ନୁହେଁ ପୂର୍ବ ଦିଲ୍ଲୀର ତ୍ରୈଲୋକ୍ୟପୁର ଓ ଅନ୍ୟ ଅଞ୍ଚଳରେ ମଧ୍ୟ ଲୋକେ ସମାନ ଖାଦ୍ୟ ଖାଇ ଅସୁସ୍ଥ ହୋଇପଡ଼ିଛନ୍ତି ବୋଲି ଜଣାପଡ଼ିଛି ।
ଅନ୍ୟପକ୍ଷରେ ଡିସିପି ଯାଦବ କହିଛନ୍ତି ଯେ କଲ୍ୟାଣପୁରର ବଣ୍ଟି ଜେନେରାଲ ଷ୍ଟୋର ମାଲିକ ବିରୋଧରେ IPC ଧାରା ୨୭୩ (ଖାଦ୍ୟ ଅପମିଶ୍ରଣ) , ୨୮୪( ବିଷାକ୍ତ ଖାଦ୍ୟକୁ ନେଇ ବେପରୁଆ ମନବୃତ୍ତି) ଏବଂ ୩୩୭ (ଲୋକଙ୍କ ସୁରକ୍ଷାକୁ ବିପଦରେ ପକାଇବା) ରେ ଥାନାରେ ମୋକଦ୍ଦମା ରୁଜୁ କରାଯାଇ ମାମଲାର ତଦନ୍ତ କରାଯାଉଛି । ତେବେ ମାମଲାଟି ଅପମିଶ୍ରଣର ହୋଇପାରେ ନଚେତ ଖରାପ ସାମଗ୍ରୀ ଯୋଗୁ ଏହା ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି ।