ସଂସ୍କାର : ଦୁନିଆରେ ସବୁଠୁ ପ୍ରିୟ ଡାକ ହେଉଛି ମାଆ ଡାକ। ଆଉ ଏହି ଡାକ ଶୁଣିବା ପାଇଁ ପ୍ରତ୍ୟେକ ମହିଳାଙ୍କର ସବୁଠୁ ବଡ଼ ଇଛା ରହିଥାଏ। ତେବେ ଅନେକାଂଶରେ ଦେଖାଯାଏ ଯେ, ଯେଉଁ ବୟସରେ ଲୋକମାନେ ନାତି ନାତୁଣୀଙ୍କ ସହିତ ଖେଳନ୍ତି, ସେହି ବୟସରେ କେତେକ ମହିଳା ମାଆ ଡାକ ଶୁଣନ୍ତି। ତେବେ ଏହି ସମାନ ମାମଲା ବର୍ତ୍ତମାନ ସାମ୍ନାକୁ ଆସିଛି। ଜଣେ ୭୦ ବର୍ଷୀୟ ବୃଦ୍ଧା ମହିଳା ଏକ ସନ୍ତାନ ଜନ୍ମ ଦେଇଛନ୍ତି। ସେ ୪୫ ବର୍ଷ ଧରି ଏକ ଶିଶୁର ମା ହେବା ପାଇଁ ଅପେକ୍ଷା କରିଥିବା ଜଣାପଡିଛି। ତେବେ ପ୍ରାୟ ୪୫ ବର୍ଷ ପରେ ଜଣେ ବୃଦ୍ଧ ମହିଳାଙ୍କ ଇଚ୍ଛା ପୂରଣ ହୋଇଛି।
ତେବେ ସୂଚନା ଅନୁଯାୟୀ ଗୁଜୁରାଟର କୁଚ୍ର ରାପନା ମୋରା ଗାଁର ବାସିନ୍ଦା ଜିତୁବେନ୍ ରବାରୀଙ୍କୁ ୭୦ ବର୍ଷ ବୟସରେ ମା ହେବାର ସୌଭାଗ୍ୟ ମିଳିଛି। ନିଜ ରାଜ୍ୟର ଗଣମାଧ୍ୟମକୁ ମହିଳା କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଜୀବନ ଅସମ୍ପୂର୍ଣ୍ଣ ଥିଲା, ମା ହେବା ପରେ ଏହା ସମ୍ପୂର୍ଣ୍ଣ ହୋଇଛି। ତେବେ ଏହି ଖବର ପରେ କିଛି ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବୃଦ୍ଧ ଦମ୍ପତି ଟେଷ୍ଟ ଟ୍ୟୁବ୍ ମାଧ୍ୟମରେ ବାପା-ମା ହୋଇଛନ୍ତି। ଜନ୍ମ ପରେ ଉଭୟ ମା ଏବଂ ଶିଶୁ ସୁସ୍ଥ ଅଛନ୍ତି।
ଏହି ପରିପ୍ରେକ୍ଷୀରେ ଡାକ୍ତର କହିଛନ୍ତି ଯେ ଦମ୍ପତିଙ୍କ ବୟସ ବହୁତ ଅଧିକ, ତେଣୁ ସନ୍ତାନ ଜନ୍ମ ହେବାର ଆଶା ବହୁତ କମ୍ ଥିଲା। ଉଭୟେ ଡାକ୍ତରଙ୍କୁ କହିଥିଲେ ଯେ ଆପଣ ଆପଣଙ୍କ ପାର୍ଶ୍ୱରୁ ଚେଷ୍ଟା କରନ୍ତୁ, ତା’ପରେ ଆମର ଭାଗ୍ୟ। ଶେଷରେ ଭାଗ୍ୟ ସେମାନଙ୍କ ସାଥ ଦେଲା ଏବଂ ଆଜି ସେ ଏକ ଶିଶୁର ବାପା-ମା ହୋଇପାରିଛନ୍ତି।