ମହିଳା କେଉଁଠି ଏବଂ କେତେ ସୁରକ୍ଷିତ ? କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେବା ସମୟରେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ

ନୂଆପଡ଼ା ଜିଲ୍ଲାରୁ ସାମ୍ନାକୁ ଆସିଛି ଦୁଃଖଦ ଘଟଣା । କେବଳ ବାହାରେ କିମ୍ବା ସ୍ଵାଭାବିକ ଅବସ୍ଥାରେ ନୁହେଁ କରୋନାର ମହାମାରୀର କରାଳ ସମୟରେ ଜଣେ ଆକ୍ରାନ୍ତ ଯୁବତୀ ଯିଏକି କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି, ତାଙ୍କୁ ବି ହୋଇଛି ବଳାତ୍କାର ଉଦ୍ୟମ । ତେବେ ଏନେଇ ଥାନାରେ ଏକ ମାମଲା ରୁଜୁ ହେବା ସହିତ ଅଧିକ ତଦନ୍ତ ଚାଲିଥିବା ନେଇ ସଦର ଆଇ.ଆଇ.ସି. ସଂଯୁକ୍ତା ବାର୍ଲାଙ୍କ ତରଫରୁ ସୂଚନା ମିଳିଛି ।

ଘଟଣାଟି ଏହିପରି । ଗୁରୁବାର ଦିନ ଜଣେ ଯୁବତୀ କୋଭିଡ଼ ସଂକ୍ରମିତ ହେଲାପରେ ସ୍ଥାନୀୟ ସିଲଦା ସ୍ଥିତ ଜିଲ୍ଲା କୋଭିଡ଼ ହସ୍ପିଟାଲ ଭର୍ତ୍ତି ହୋଇଥିଲେ । ରାତି ପ୍ରାୟ ୨ ଟାବେଳେ ଜଣେ କୋଭିଡ଼ ସଂକ୍ରମିତ ଯୁବକ ତାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ଏବଂ ଯୁବତୀ ଜଣକ ପ୍ରତିବାଦ କରିବାରୁ ଅଭିଯୁକ୍ତ ଶେଷରେ ତାଙ୍କୁ ଛାଡ଼ି ଦେଇଥିଲେ । ଏହାପରେ ଗତକାଲି ପୀଡ଼ିତା ଯୁବତୀ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ସୂଚନା ଦେବା ସହିତ ଖବର ଯାଇ ପହଞ୍ଚିଥିଲା ପୋଲିସ ନିକଟରେ ।

ଖବର ପାଇ ପୂର୍ବାହ୍ନରେ ପ୍ରଶାସନ ତରଫରୁ ସଦର ଅତିରିକ୍ତ ତହସିଲଦାର ଅଶେଷା ବାଗ ଜଣେ ମହିଳା ମାଜିଷ୍ଟ୍ରେଟ ଭାବରେ ଘଟଣାସ୍ଥଳ ଜିଲ୍ଲା କୋଭିଡ଼ ହସ୍ପିଟାଲରେ ପହଞ୍ଚିଥିଲେ । ପୀଡ଼ିତାଙ୍କ ବୟାନ ରେକର୍ଡ କରିଥିଲେ । ସେହିପରି ସଦର ଥାନା ଆଇ.ଆଇ.ସି. ସଂଯୁକ୍ତ ବାର୍ଲା ମଧ୍ୟ ସେଠାରେ ଯୁବତୀଙ୍କୁ ପଚରାଉଚୁରା କରିଥିଲେ ।

ଘଟଣା ନେଇ ସଦର ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହେଲା । ତେବେ ଅଭିଯୁକ୍ତ ଯୁବକକୁ ଅନ୍ୟତ୍ର କୋଭିଡ଼ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେ କୋଭିଡ଼ରୁ ଆରୋଗ୍ୟ ହେଲାପରେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରଶାସନ ତରଫରୁ ଡିଆଇପିଆରଓ ଅଜୟ ପଟ୍ଟନାୟକ ପ୍ରେସ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *