କରୋନା ସଙ୍କଟରେ ସାରା ବିଶ୍ଵ ଯେତେବେଳ ହାହାକାରରେ, କରୋନାରୁ ମୁକ୍ତି ପାଇଁ ଔଷଧ ଓ ଟିକା ଯୋଗାଡ଼ିବାରେ ସମଗ୍ର ବିଶ୍ଵର ବୈଜ୍ଞାନିକ ତଥା ଗବେଷକମାନେ ଦିନରାତି ଏକାଠି କରି ଅନୁସନ୍ଧାନ କରୁଛନ୍ତି, ଠିକ୍ ସେହି ସମୟରେ ନିଜ ତରଫରୁ ଦୃଢ ଦାବି କରିଛନ୍ତି ଜଣେ ବାବା । ତାଙ୍କ ଦାବି ଅନୁସାରେ ଯଦି ତାଙ୍କୁ ସୁଯୋଗ ଦିଆଯାଏ ତେବେ ସେ କରୋନା ଭାଇରସକୁ ଭଗେଇ ଦେବେ ।
ଯେତେବେଳେ କରୋନା ଏବଂ କରୋନା ସମ୍ପର୍କିତ କୌଣସି ଗୁଜବକୁ ପ୍ରଚାର ପ୍ରସାରକୁ କର ନାହିଁ ବୋଲି ରାଜ୍ୟ ସରକାର ବାରମ୍ବାର ସଚେତନ କରାଉଛନ୍ତି ସେ ସମୟରେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ନିଜେ ବିଜ୍ଞାପନ କରୁଥିବା କେତେକ ମିଛ ଦାବି । ସେଥିମଧ୍ୟରୁ ଭୁବନେଶ୍ୱରର ଆର୍ତ୍ତତ୍ରାଣ ବାବା ଅନ୍ୟତମ ।
କିଛି ଦିନ ତଳେ ବାବା ରାମଦେବ କରୋନା ଔଷଧ ପ୍ରସ୍ତୁତ କରିଥିବା ନେଇ ଦାବି କରିଥିଲେ ଯଦିଓ ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଫଳରୁ ସେ ନିଜ ଦାବିରୁ ଓହରିଲେ । ଏବେ ଭୁବନେଶ୍ଵର ସ୍ଥିତ ବାବା ଆର୍ତ୍ତ୍ରତାଣ ଦାଶ ମାସେ ଭିତରେ କରୋନା ରୋଗ ଦୂର କରିଦେବେ ବୋଲି ଦାବି କରିଛନ୍ତି । ଏମିତିକି ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ମାଧ୍ୟମରେ ସରକାର ଅନୁମତି ମାଗିଛନ୍ତି ।
କେବଳ ସେତିକି ନୁହେଁ ଚ୍ୟାଲେଞ୍ଜ କରି କହିଛନ୍ତି ଯେ କେବଳ ତାଙ୍କ ସହିତ କଥା ହେଲେ ହିଁ କରୋନା ରୋଗୀ ପଜିଟିଭରୁ ନେଗେଟିଭ ହେଇଯିବେ । ଏମିତିକି ସୋସିଆଲ ମିଡ଼ିଆରେ ଜାରି କରାଯାଇଥିବା ତାଙ୍କ ଭିଡ଼ିଓ ଦେଖିଥିବା କରୋନା ଆକ୍ରାନ୍ତ ବି ଆରାମ ପାଇବ । ଦେଶର ପ୍ରଧାନମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଯେ ଥରେ ସୁଯୋଗ ଦେଲେ ନିଜର ଦୈବୀ ଶକ୍ତି ଦ୍ଵାରା ସେ କରୋନା ରୋଗୀଙ୍କୁ ଠିକ କରିଦେବେ ।
ଭିଡ଼ିଓ ମାଧ୍ୟମରେ ବାବା ଆର୍ତ୍ତତ୍ରାଣ ସିଧା ଚ୍ୟାଲେଞ୍ଜ କରୁଛନ୍ତି ଓ ସରକାରଙ୍କୁ କହୁଛନ୍ତି ଯେ ଆପଣମାନେ ତ ମଦ ଦୋକାନ ଖୋଲିବ, ମନ୍ଦିର ବନ୍ଦ କରିବ, କେମିତି ଜାଣିବ ଦୈବୀ ଶକ୍ତିର କେତେ ଶକ୍ତି ! ଥରେ ସୁଯୋଗ ଦିଅ, ଦୁନିଆ ଦେଖୁ ଯେ ଭଗବାନ ସତରେ ଅଛନ୍ତି ଓ କରୋନା ଦେଶ ଛାଡ଼ି ପଳେଇବ ।