ସଂସ୍କାର : କର୍ଣ୍ଣାଟକର ଶିବାମୋଗାରେ ଜଣେ ଯୁବକଙ୍କୁ କରାଯାଇଛି ନିର୍ମମ ଭାବରେ ହତ୍ୟା। ଯୁବକ ଜଣକଙ୍କର ବୟସ ୨୬ ବର୍ଷ ହେବ ବୋଲି ଜଣାପଡିଛି। ସେ ବଜରଙ୍ଗ ଦଳର ଜଣେ ଆଗଧାଡ଼ିର କର୍ମକର୍ତ୍ତା ଥିଲେ। ତେବେ ହତ୍ୟା କରାଯାଇଥିବା ଯୁବକଙ୍କର ନାମ ହର୍ଷ ବୋଲି ଜାତୀୟ ଗଣମାଧ୍ୟମ ସୁତ୍ରରୁ ଜଣାପଡିଛି। ତେବେ ହର୍ଷଙ୍କର ମୃତ୍ୟୁ ପରେ ସହରରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି। ହର୍ଷଙ୍କୁ ହତ୍ୟା କରାଯାଇଥିବାର ଖବର ଲୋକଲୋଚନକୁ ଆସିବା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ଏହି ଘଟଣାକୁ ବିରୋଧ କରି ଶିବାମୋଗା ସହରର ସିଗେହାଟି ଅଞ୍ଚଳରେ ଅନେକ ଗାଡିରେ ନିଆଁ ଲାଗିଯାଇଛି।
ତେବେ ଗତ ରବିବାର ରାତି ପ୍ରାୟ ୯ ଟା ସମୟରେ କର୍ଣ୍ଣାଟକର ଶିବମୋଗାରେ ଏହି ଘଟଣା ଘଟିଛି। ବଜରଙ୍ଗ ଦଳର ଅନ୍ୟ କର୍ମକର୍ତାମାନେ ସାଥି ହର୍ଷର ମୃତ୍ୟୁକୁ ବିଶ୍ୱାସ କରି ପାରୁନାହାନ୍ତି। ଅନ୍ୟ କର୍ମକର୍ତାମାନେ ରାଜ ରାସ୍ତାକୁ ଓହ୍ଲାଇଛନ୍ତି। ତେବେ ପ୍ରାଥମିକ ସନ୍ଧାନରୁ ପୋଲିସ ଜାଣିବାକୁ ପାଇଛି ଯେ, ହର୍ଷଙ୍କର ମୃତ୍ୟୁ ହିଜାବ୍ ବିବାଦ ସହ ଜଡିତ। କାରଣ ହର୍ଷ ନିଜ ଫେସବୁକ୍ ପ୍ରୋଫାଇଲରେ ହିଜାବ ବିରୁଦ୍ଧରେ ଏକ ପୋଷ୍ଟ ଲେଖିଥିଲେ। ଆଉ ଯାହାକୁ ନେଇ ଏହି ତୁମୁଳକାଣ୍ଡ ସୃଷ୍ଟି ହୋଇଛି ବୋଲି ବିବେଚନା କରାଯାଉଛି।
ଅନ୍ୟପକ୍ଷରେ ବୃତ୍ତି ଅନୁଯାୟୀ ହର୍ଷ ଜଣେ ଟେଲର ଥିଲେ ଏବଂ ତାଙ୍କ ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ ହର୍ଷଙ୍କୁ ଧମକପୂର୍ଣ୍ଣ କଲ୍ ଆସୁଥିଲା। ସମ୍ପୃକ୍ତ ଅପରାଧୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରି ଅନେକ ସଂଗଠନ ଶିବାମୋଗାସ୍ଥିତ ମ୍ୟାକଗାନ ହସ୍ପିଟାଲରେ ପୋଷ୍ଟମର୍ଟମ ଘର ସମ୍ମୁଖରେ ଧାରଣାରେ ବସିଛନ୍ତି। କର୍ଣ୍ଣାଟକରେ ଚାଲିଥିବା ହିଜାବ୍ ବିବାଦ କାରଣରୁ ପରିବେଶ ଉତ୍ତେଜନାପୂର୍ଣ୍ଣ ହୋଇପଡିଛି। ଏଭଳି ପରିସ୍ଥିତିରେ ବଜରଙ୍ଗ ଦଳ କର୍ମୀଙ୍କ ହତ୍ୟା, ଆହୁରି ପରିସ୍ଥିତିକୁ ଖରାପ କରିଦେଇଛି। ବର୍ତ୍ତମାନ ପୋଲିସ ସତର୍କ ରହିଛି ଏବଂ ସମଗ୍ର ରାଜ୍ୟର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡ଼ି କରିଛି।