ସଂସ୍କାର : 80 ଓ 90 ଦଶକରେ ଭାରତରେ ଡିସ୍କୋ ମ୍ୟୁଜିକକୁ ଲୋକପ୍ରିୟ କରାଇଥିବା ଗାୟକ-ସଂଗୀତକାର ବାପି ଲାହିରିଙ୍କର ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ପରେ ଆଜି ମୃତ୍ୟୁ ହୋଇଯାଇଛି। ତାଙ୍କୁ ଚିକିତ୍ସା କରୁଥିବା ଜଣେ ଡାକ୍ତର କହିଥିଲେ ଯେ ବାପି ଲାହିରି ଗତକାଲି ରାତିରେ ଘରେ ଥିଲେ। ସେତେବେଳେ ସେ ନିଜକୁ ଅସୁସ୍ଥ ମନେ କରିଥିଲେ, ତା’ପରେ ତାଙ୍କୁ ଜୁହୁର ଏକ ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ସେଠାରେ ତାଙ୍କର ଦେହାନ୍ତ ହୋଇଛି।

ଆସନ୍ତାକାଲି ଅର୍ଥାତ ଗୁରୁବାର ଦିନ ବାପି ଲାହିରିଙ୍କ ଶେଷ ରୀତିନୀତି କରାଯିବ। ବାପିଙ୍କର ମୃତଦେହକୁ ତାଙ୍କ ମୁମ୍ବାଇସ୍ଥିତ ବାସଭବନରେ ରଖାଯାଇଛି ଏବଂ ଅନେକ ବଲିଉଡ ଓ ଟଲିଉଡ଼ ସେଲିବ୍ରେଟମାନେ ତାଙ୍କ ପରିବାର ନିକଟକୁ ଯାଇ ସମବେଦନା ଜଣାଇଛନ୍ତି।
ଏକ ସାକ୍ଷାତକାର ସମୟରେ ବାପି ଲାହିରି ପ୍ରକାଶ କରିଥିଲେ ଯେ, ରଣବୀର ସିଂ ତାଙ୍କ ବାୟୋପିକରେ ତାଙ୍କ ସ୍ଥାନରେ ଅଭିନୟ କରିବେ। ସୂଚନାଯୋଗ୍ୟ ଯେ ରଣବୀର ସିଂଙ୍କ ଫିଲ୍ମ ‘ଗୁଣ୍ଡେ’ ପାଇଁ ବାପି ଲାହିରି ‘ତୁନେ ମାରି ଏଣ୍ଟ୍ରିଆ’ ଗୀତଟି ଗାଇଥିଲେ।
69 ବର୍ଷିୟ ଗାୟକ ତଥା ଗୀତରଚନାକାର ବାପି ଲାହିରିଙ୍କ ଦେହାନ୍ତରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବାପି ଦା’ ମୁମ୍ବାଇର କ୍ରିଟିକେୟାର ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଗତ କିଛି ଦିନ ହେବ ବାପି ଦା ଅନେକ ରୋଗରେ ପୀଡିତ ଥିଲେ। ହସ୍ପିଟାଲର ଡାକ୍ତରଙ୍କ କହିବାନୁସାରେ, ଗତ ଏକ ବର୍ଷ ଧରି ସେ ଅବଷ୍ଟ୍ରକ୍ଟିଭ୍ ନିଦ୍ରା ଆପ୍ନିଆ ଏବଂ ଛାତି ସଂକ୍ରମଣରେ ଅସୁବିଧା ଭୋଗୁଥିଲେ। ଆଉ ବର୍ତ୍ତମାନ ଏହି ରୋଗ ତାଙ୍କ ମୃତ୍ୟୁର କାରଣ ହୋଇଛି।