ସଂସ୍କାର : ତଣ୍ଡ ଗଣିବେ ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ତାଙ୍କ ରାଜନେତା ପତି ଅନୁଭବ ମହାନ୍ତି। ଏହି ଦୁଇ ଷ୍ଟାର୍ କପଲ୍ ନିଜର ବିବାଦ ପାଇଁ କୋର୍ଟର ଦ୍ୱାରସ୍ତ ହୋଇଛନ୍ତି। କିନ୍ତୁ ଉଭୟ କୋର୍ଟର ସମୟ ଅଧିକ ନେଉଛନ୍ତି। କୋର୍ଟର କାରବାରରେ ଅଯଥା ବିଳମ୍ବ କରୁଥିବାରୁ ବର୍ତ୍ତମାନ ଟଙ୍କା ଗଣିବେ ଉଭୟ।

ସାଂସାଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶୀନୀ ଉଭୟ ୫ ହଜାର ଟଙ୍କା ଲେଖାଏଁ ଜମା କରିବାକୁ କଟକ ଫ୍ୟାମିଲ କୋର୍ଟ ନିର୍ଦେଶ ଦେଇଛନ୍ତି । ଆସନ୍ତା ୧୪ ତାରିଖ ସୁଦ୍ଧା ଏହି ରାଶି ଥାନାରେ ଦାଖଲ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି। ବର୍ଷା ଓ ଅନୁଭବ ଦାୟର କରିଥିବା ପୃଥକ ଆବେଦନକୁ କଟକ ପରିବାର ଅଦାଲତ ଗ୍ରହଣ କରିବା ସହିତ ଉଭୟଙ୍କୁ ୫ ହଜାର ଟଙ୍କା ଲେଖାଏଁ ସରକାରୀ ଖାତରେ ଜମା କରିବାକୁ ନିର୍ଦେଶ ଦେଇଛନ୍ତି।

ସାକ୍ଷ୍ୟ ଗ୍ରହଣ ପାଇଁ ଅନୁମତି ଲୋଡି ବର୍ଷା ଦାୟର କରିଥିବା ଆବେଦନକୁ ଅଦାଲତ ଗ୍ରହଣ କରିବା ସହିତ ସର୍ତମୂଳକ ଅନୁମତି ଦେଇଛନ୍ତି । ମାମଲାର ତ୍ୱରିତ ଫଇସଲା ପାଇଁ ବର୍ଷା ଅଦାଲତରେ ସହଯୋଗ କରିବେ ବୋଲି ସର୍ତାରୋପ କରାଯାଇଛି। ଅଦାଲତ କହିଛନ୍ତି ବର୍ଷା ଅଦାଲତରେ କୌଣସି ମିଥ୍ୟା ସତ୍ୟପାଠ ଦାଖଲ କରିବେ ନାହିଁ ଓ ଅଯଥା ଶୁଣାନୀ ଘୁଂଚାଇବାକୁ ପ୍ରାର୍ଥନା କରିବେ ନାହିଁ । ଏଥିସହିତ ଛାଡପତ୍ର ଆବେଦନରେ ବିବାହ ସ୍ଥାନ ସଂଶୋଧନ ପ୍ରସଙ୍ଗ ନେଇ ଅନୁଭବଙ୍କ ତରଫରୁ ଦାୟର ଆବେଦନକୁ ଅଦାଲତ ଗ୍ରହଣ କରି ଏଥିପାଇଁ ସର୍ତମୂଳକ ଅନୁମତି ଦେଇଛନ୍ତି ।