ସଂସ୍କାର : ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଟିମ୍ ଇଣ୍ଡିଆର ଟେଷ୍ଟ ଦଳ ଘୋଷଣା କରାଯାଇଛି। ଏହା ସହ ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କୁ ଏକ ନୂତନ ଦାୟିତ୍ବ ଦିଆଯାଇଛି। ଟି-୨୦ ଇଣ୍ଟରନ୍ୟାସନାଲ ପରେ ତାଙ୍କୁ ବର୍ତ୍ତମାନ ଟିମ୍ ଇଣ୍ଡିଆର ଦିନିକିଆ ଅଧିନାୟକ ରୂପେ ନିଯୁକ୍ତି ଦିଆଯାଇଛି। ବିରାଟ କୋହଲିଙ୍କ ଠାରୁ ଦିନିକିଆ ଅଧିନାୟକତ୍ୱ ପ୍ରତ୍ୟାହାର କରାଯାଇଛି। ଅଲ ଇଣ୍ଡିଆ ଚୟନ କମିଟି ବୁଧବାର ଏହି ନିଷ୍ପତ୍ତି ନେଇଛି।
ରୋହିତ ଶର୍ମା ଟି-୨୦ ବିଶ୍ୱକପ ପରେ ଟିମ୍ ଇଣ୍ଡିଆର ନୂତନ ଟି-୨୦ ଅଧିନାୟକ ହୋଇଥିଲେ। ତେବେ ମୁଖ୍ୟ କାରଣ ଏହା ଯେ ୨୦୨୩ ବିଶ୍ୱକପ କୁ ଆଖି ଆଗରେ ରଖି ରୋହିତଙ୍କୁ ଟିମ୍ ଇଣ୍ଡିଆର ଅଧିନାୟକ କରାଯାଇଛି। ଖବର ମୁତାବିକ ବିରାଟ ଙ୍କୁ ଅଧିନାୟକ ପଦରୁ ଇସ୍ତଫା ଦେବା ପାଇଁ 48 ଘଣ୍ଟା ସମୟ ଦେଇଥିଲା BCCI କିନ୍ତୁ ସେ ଏହା କରି ନଥିଲେ ପରେ ବାଧ୍ୟ ହୋଇ ଏହି ନିର୍ଣ୍ଣୟ ନିଆଯାଇଛି ବୋଲି ଜଣା ପଡିଛି ।
ସୂଚନାଯୋଗ୍ୟ ଯେ, ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ନ୍ୟୁଜିଲ୍ୟାଣ୍ଡକୁ ୩-୦ ରେ ପରାସ୍ତ କରିଛି। ଏହାପୂର୍ବରୁ ଚଳିତ ବର୍ଷ ବିରାଟ କୋହଲିଙ୍କ ନେତୃତ୍ୱରେ ଟି-୨୦ ବିଶ୍ୱକପ ରେ ଭାରତର ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା। କ୍ରମାଗତ ଦୁଇଟି ମ୍ୟାଚ୍ରେ ଦଳ ପରାସ୍ତ ହୋଇଥିଲା ଏବଂ ଏହି କାରଣରୁ ଦଳ ସେମିଫାଇନାଲରେ ମଧ୍ୟ ପହଞ୍ଚି ପାରି ନଥିଲା। ଯଦିଓ ବିଶ୍ୱକପ ପୂର୍ବରୁ ବିରାଟ ଟିମ୍ ଇଣ୍ଡିଆର ଟି-୨୦ ଦଳର ଅଧିନାୟକତ୍ୱ ଛାଡିବାକୁ ଘୋଷଣା କରିସାରିଥିଲେ। ବିରାଟ କହିଥିଲେ ଯେ, ସେ ଟି-୨୦ ବିଶ୍ଵକପ ପରେ ଟି-୨୦ କ୍ରିକେଟର ଅଧିନାୟକ ପଦ ଛାଡିବେ।
ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ତିନୋଟି ଦିନିକିଆ ମ୍ୟାଚରେ ରୋହିତ ଶର୍ମା ଟିମ ଇଣ୍ଡିଆର ଅଧିନାୟକ ଦାୟିତ୍ବ ଗ୍ରହଣ କରିବେ। ଜାନୁଆରୀରେ ଦୁଇ ଦେଶ ମଧ୍ୟରେ ଦିନିକିଆ ସିରିଜ୍ ଖେଳାଯିବ। ଏହାପୂର୍ବରୁ ଭାରତକୁ ଦକ୍ଷିଣ ଆଫ୍ରିକା ସହିତ ତିନିଟି ଟେଷ୍ଟ ସିରିଜ୍ ଖେଳିବାକୁ ପଡିବ। ଏହି ଟେଷ୍ଟ ସିରିଜ୍ ୨୬ ଡିସେମ୍ବରରୁ ଆରମ୍ଭ ହେବ। ଦକ୍ଷିଣ ଆଫ୍ରିକାରେ ଭାରତ ୨୦ ଟି ଟେଷ୍ଟ ଖେଳିଛି। ଏଥିମଧ୍ୟରୁ ସେମାନେ କେବଳ ତିନୋଟି ଜିତିଛନ୍ତି।
ଦକ୍ଷିଣ ଆଫ୍ରିକା ଓ ଇଣ୍ଡିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଆସନ୍ତା ଡିସେମ୍ବର ୨୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ସେଞ୍ଚୁରିଅନର ସୁପରସ୍ପୋର୍ଟ ପାର୍କରେ ଖେଳାଯିବ । ସେହିଭଳି ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ , ଜାନୁଆରୀ ୦୩ ରୁ ୦୭ ପର୍ଯ୍ୟନ୍ତ ଜୋହାନ୍ସବର୍ଗର ୱାନଡର୍ସ ଷ୍ଟାଡିୟମରେ ଖେଳାଯିବ। ଆଉ ତୃତୀୟ ଟେଷ୍ଟ, ୧୧ ଜାନୁଆରୀ ରୁ ୧୫ ଜାନୁଆରୀ ପର୍ଯ୍ୟନ୍ତ କେପ୍ ଟାଉନ୍ ର ନ୍ୟୁଲାଣ୍ଡସ୍ ରେ ଖେଳାଯିବ। ଏଥି ସହିତ, ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ୧୯ ଜାନୁଆରୀରେ, ଦ୍ୱିତୀୟ ଦିନିକିଆ ୨୧ ଜାନୁଆରୀରେ ଏବଂ ୨୩ ଜାନୁଆରୀରେ ଶେଷ ଦିନିକିଆ ମ୍ୟାଚ୍ ଖେଳାଯିବ।