ଅଳ୍ପ ସମୟ ବ୍ୟବଧାନରେ ରାଜଧାନୀ ଭୁବନେଶ୍ଵର ଭରତପୁର-ଚନ୍ଦକା ରାସ୍ତା କଡ଼ରୁ ମିଳିଥିବା ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାରେ ନୂଆ ମୋଡ଼ । ପୋଲିସକୁ ମିଳିଲା ନୂଆ ସୁରାଗ୍ । ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ ତଣ୍ଟି ଚିପି ହତ୍ୟା କରିବା ପରେ ମୁଣ୍ଡ କାଟି ନେଇଥିଲେ ଦୁର୍ବୃତ୍ତ । ଅଧିକ ତଥ୍ୟ ପାଇଁ କିନ୍ତୁ ଆଉ ଥରେ ମୃତଦେହର ପୋଷ୍ଟମର୍ଟମ କରାଇଛି ଚନ୍ଦକା ଥାନା ପୋଲିସ ।
ରିପୋର୍ଟ ଅନୁଯାୟୀ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ପୋଷ୍ଟମର୍ଟମ କରାଯାଇଥିବା ବେଳେ ଦ୍ଵିତୀୟ ଥର ଏମ୍ସରେ କରାଯାଇଛି । କେବଳ ସେତିକି ନୁହେଁ । ତଦନ୍ତକୁ ଆହୁରି ଗଭୀର କରିବା ପାଇଁ ବିଭିନ୍ନ ସ୍ଥାନରେ ମହିଳାଙ୍କ ମୃତଦେହର ପୋଷ୍ଟର ମାରିଛି ଚନ୍ଦକା ଥାନା ପୋଲିସ । ନିରୁଦ୍ଧିଷ୍ଟ ହୋଇଥିବା ମହିଳାମାନଙ୍କ ସୂଚନା ଦେବା ପାଇଁ ୮୨୮୦୩୩୮୩୨୩ ଏବଂ ୮୨୮୦୩୩୮୨୯୬ ନମ୍ବର ଦୁଇଟି ଜାରି କରିଛି ପୋଲିସ ।
ତେବେ ସୂଚନାଥାଉ ଯେ ଗତ ୪ ତାରିଖ ଦିନ ସକାଳୁ ସକାଳୁ ଏହି ମାମଲା ସାରା ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଦାଶପୁର ଅଞ୍ଚଳ ରାସ୍ତା କଡ଼ରୁ ମିଳିଥିଲା ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ । ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଲାପରେ ଘଟଣାସ୍ଥଳରେ ପହଞ୍ଚିଥିଲା କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ । ମୃତଦେହ ନିକଟରୁ ବି ମିଳିଥିଲା କିଛି ଶାଢ଼ୀ, ଡ୍ରେସ୍, ବେଡ଼ସିଟ୍, ରକ୍ତଲଗା ଛୁରୀ ଏବଂ ଗ୍ଲୋବ୍ସ୍ ।