ଗଣେଶ ଚତୁର୍ଥୀ ପୂର୍ବରୁ ବହାରୀନରେ ଗଣେଶ ମୂର୍ତ୍ତି ଭାଙ୍ଗିବା ଅଭିଯୋଗରେ ଜଣେ ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବହାରୀନର ଜଣେ ୫୪ ବର୍ଷୀୟ ମହିଳା ମାନାମା ଜୁଫେରର ସୁପରମାର୍କେଟରେ କେତେଗୁଡ଼ିଏ ଗଣେଶ ମୂର୍ତ୍ତି ଭାଙ୍ଗି ଦେଇଥିଲେ । ସୋସିଆଲ ମିଡ଼ିଆରେ ଭିଡ଼ିଓଟି ଭାଇରାଲ ହେବାରେ ଲାଗିଛି । ଭିଡ଼ିଓଟିରେ ମହିଳା ଜଣକ ରାଗି ମୂର୍ତ୍ତିଗୁଡ଼ିକୁ ଉଠାଇ ତଳେ ପକାଇ ଦେବା ସହିତ ଜଣେ ଦୋକାନୀଙ୍କ ଉପରେ ଚିଲାଉଥିବା ମଧ୍ୟ ଦେଖିବାକୁ ମିଳିଛି ।
ଉକ୍ତ ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ବୋଲି ବହାରୀନ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଟ୍ଵିଟ କରି ସୂଚନା ଦେଇଛନ୍ତି । ଦୋକାନକୁ କ୍ଷତି ପହଞ୍ଚାଇବ ଏବଂ ଏକ ନିର୍ଦ୍ଦିଷ୍ଟ ଧର୍ମ ତଥା ପରମ୍ପରାକୁ ଅପମାନିତ କରିବା ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଆରବୀୟ ଭାଷାରେ ‘ଏହା ଏକ ମୁସଲମାନ ଦେଶ’ ବୋଲି କହୁଥିବାର ଦେଖିବାକୁ ମିଳିଛି ଭିଡ଼ିଓଟିରେ । ଏହି ଘଟଣା ସମ୍ପର୍କରେ ରୟାଲ ପରାମର୍ଶଦାତା ଅହମ୍ମଦ ଅଲ ଖଲିଫାଙ୍କ ତରଫରୁ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସେ ଏହି ଘଟଣାକୁ ନିନ୍ଦା କରିଛନ୍ତି । ସେ ଟ୍ଵିଟ୍ କରି କହିଛନ୍ତି ଯେ ଧାର୍ମିକ ପ୍ରତୀକ ଭାଙ୍ଗିବା ବହାରେନବାସୀଙ୍କ ସ୍ୱଭାବ ନୁହେଁ । ଏହା ଏକ ଘୃଣ୍ୟ ଅପରାଧ ଏବଂ ଏହାକୁ ଦୃଢ ବିରୋଧ ମଧ୍ୟ କରାଯାଇଛି । ଏଠାରେ ସମସ୍ତ ଧର୍ମ, ସମ୍ପ୍ରଦାୟର ଲୋକମାନେ ମିଳିମିଶି ରୁହନ୍ତି ।
ସୂଚନା ଅନୁଯାୟୀ ବହାରେନରେ ବହୁ ସଂଖ୍ୟାରେ ଭାରତୀୟ ଅଛନ୍ତି । ଏଠାରେ ସମୁଦାୟ ୧.୩ ନିୟୁତ ଜନସଂଖ୍ୟା ମଧ୍ୟରୁ ପ୍ରାୟ ୪ ଲକ୍ଷ ଲୋକ ଭାରତୀୟ । ୨୦୧୦ ଜନଗଣନା ଅନୁଯାୟୀ, ବହାରେନର ମୋଟ ଜନସଂଖ୍ୟାର ୯.୮ ପ୍ରତିଶତ କେବଳ ହିନ୍ଦୁ । ବହାରେନ ଏକ ଇସଲାମିକ ଦେଶ କିନ୍ତୁ ଏଠାରେ ପର୍ଯ୍ୟାପ୍ତ ଧାର୍ମିକ ସହନଶୀଳତା ଅଛି । ବହାରେନରେ ଅନେକ ହିନ୍ଦୁ ମନ୍ଦିର ଅଛି । ବହାରେନର ସର୍ବପୁରାତନ ମନ୍ଦିର ହେଉଛି ଶ୍ରୀନଥଜୀ ମନ୍ଦିର ଯାହା ପ୍ରାୟ ୨୦୦ ବର୍ଷ ପୁରୁଣା ।
ଇଣ୍ଡୋନେସିଆ ହେଉଛି ବିଶ୍ଵର ସର୍ବାଧିକ ମୁସଲମାନ ଜନସଂଖ୍ୟା ବିଶିଷ୍ଟ ଦେଶ କିନ୍ତୁ ଏଠାରେ ହିନ୍ଦୁ ଦେବତାମାନଙ୍କୁ ମଧ୍ୟ ପୂଜା କରାଯାଏ । ଏଠାରେ ଭଗବାନ ଗଣେଶଙ୍କୁ କଳା ଏବଂ ଜ୍ଞାନର ଭଗବାନ ଭାବରେ ବିବେଚନା କରାଯାଏ । ଏହି କାରଣରୁ ଏଠିକା ମୁଦ୍ରାରେ ବି ଭଗବାନ ଗଣେଶଙ୍କ ପ୍ରତିମୂର୍ତ୍ତି ଅଙ୍କା ଯାଇଥିଲା ।