ଥାପ୍ପଡ଼, ଆର୍ଟିକିଲ୍ ୧୫ ଏବଂ ମୁଲ୍କ ଭଳି ଫିଲ୍ମ କରି ବିଗତ କିଛି ସମୟ ହେବ ଚର୍ଚ୍ଚାରେ ଥିବା ବଲିଉଡ଼ ନିର୍ଦ୍ଦେଶକ ଅନୁଭବ ସିହ୍ନାଙ୍କୁ ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂ ଦେଇଛନ୍ତି କଡ଼ା ଜବାବ । ‘ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ନଗ୍ନ ନାଚ ହୁଏ’ କହିଥିବା ନିର୍ଦ୍ଦେଶକ ଅନୁଭବଙ୍କ ବୟାନ ଉପରେ ଅଭିନେତ୍ରୀ ଅକ୍ଷରା ସିଂ ରାଗି ନିଆଁ । ଅକ୍ଷରା କହିଲେ ଭୋଜପୁରୀରେ ଯଦି ନଗ୍ନ ନାଚ ହେଉଛି ତେବେ ଆପଣଙ୍କ ବଲିଉଡ଼ରେ କଣ ପୂଜା ହୁଏ ? ତେବେ ଅକ୍ଷରା ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ତଥା ଭାରତୀୟ ଜନତା ପାର୍ଟି ସାଂସଦ ରବି କିଶନଙ୍କ ଡ୍ରଗ୍ସ ଉପରେ ଦେଇଥିବା ବିବୃତ୍ତିକୁ ସମର୍ଥନ କରିଛନ୍ତି ।
ଅକ୍ଷରା ସିଂ କହିଛନ୍ତି ଯେ ରବି କିଶନ ଜୀ ତାଙ୍କ ନାଁ ନଗ୍ନ ନାଚ କରି କମେଇ ନାହାନ୍ତି । ପ୍ରଥମେ ଆପଣ ନିଜ ଇଣ୍ଡଷ୍ଟ୍ରିକୁ ଦେଖନ୍ତୁ, ପରେ ଅନ୍ୟ କାହାକୁ ଆଙ୍ଗୁଠି ଦେଖେଇବେ । ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଶେୟାର କରି ଅକ୍ଷରା ସିଂ କହିଛନ୍ତି ଯେ ଯଦି ଇଣ୍ଡଷ୍ଟ୍ରିର ସୁଧାର ପ୍ରସଙ୍ଗ ନେଇ କିଏ କିଛି କହୁଛନ୍ତି, ତେବେ ଏଥିରେ କ’ଣ ଭୁଲ୍ କେଉଁଠି ?
ଅନୁଭବ ସିହ୍ନାଙ୍କ ବିବୃତ୍ତିକୁ ନେଇ ଅକ୍ଷରା ତାଙ୍କ ଭିଡ଼ିଓରେ କହିଛନ୍ତି ଯେ ଅନୁଭବ ସିହ୍ନା ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ନଗ୍ନ ନାଚ ଭଳି ଖରାପ ଶବ୍ଦ ବ୍ୟବହାର କରିଛନ୍ତି । ତାଙ୍କୁ ଲୋକେ ଫିଲ୍ମ ‘ଥାପ୍ପଡ଼’ ପାଇଁ ଜାଣନ୍ତି ଓ ଶୁଣିଛି ଯେ ସେ ମହିଳା ସଶକ୍ତିକରଣ ପାଇଁ କାମ କରନ୍ତି । ହେଲେ ସେ କିପରି ଏହିପରି ଭାଷା ବ୍ୟବହାର କରିପାରିଲେ ! ସେ ତାଙ୍କ ମାତୃଭାଷାକୁ ଗାଳି ଦେଉଛନ୍ତି !
ଏକ ତୀକ୍ଷ୍ଣ ସ୍ୱରରେ ଆକ୍ରମଣ କରି ଅକ୍ଷରା କହିଛନ୍ତି ଯେ ଆପଣ ନିଶ୍ଚିତ ଭାବରେ ଭଲ କାମ କରୁଥିବେ ହେଲେ ଅନ୍ୟ କାର୍ଯ୍ୟକୁ ନିନ୍ଦା କରିବାର ଅଧିକାର ଆପଣଙ୍କର ନାହିଁ । ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିର ଅବସ୍ଥା ଖରାପ ଥିବାବେଳେ ଆପଣ କେଉଁଠି ଥିଲେ ? ଆଜି ଯେତେବେଳେ ଦିଗ୍ଗିଜମାନେ ଭୋଜପୁରୀରେ କାମ କରି ତାକୁ ଏକ ପରିଚୟ ଦେଲେ ଆଉ ଆପଣ ୪ ଦିନ ହେବ ଆସି ତା ଉପରକୁ ଆଙ୍ଗୁଠି ଉଠେଇ ଦେଲେ ?