ତାଲାବନ୍ଦର ୯ମ ଦିନରେ ରାଜ୍ୟ ସରକାରଙ୍କର ଏକ ବଡ଼ ଘୋଷଣା । ଆଗାମୀ ୪୮ ଘଣ୍ଟା ପାଇଁ ଭୁବନେଶ୍ୱର ଓ ଭଦ୍ରକ ସହରକୁ ସଂପୂର୍ଣ୍ଣ ବନ୍ଦ ରହିବ । ଆଜି ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ଲାଗୁ ହେବ ବୋଲି ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି ।
ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୬ଟି କରୋନା ପଜିଟିଭ୍ ଚିହ୍ନଟ ହୋଇସାରିଥିବାରୁ ଏହି ସହର ବନ୍ଦ ଡାକରା । କାରଣ ୬ଟି ମାମଲା ମଧ୍ୟରୁ ୪ଟି ଭୁବନେଶ୍ୱରରେ ମିଳିଥିଲାବେଳେ ଗୋଟିଏ ଭଦ୍ରକର । ତା’ଛଡ଼ା ୫ମ କରୋନା ଆକ୍ରାନ୍ତ ବ୍ୟକ୍ତି ନା ଦେଶ ବାହାରକୁ ଯାଇଥିଲେ ନା ରାଜ୍ୟ, ତଥାପି ତାଙ୍କ ଦେହରେ କରୋନା ପଜିଟିଭ ଚିନ୍ତା ବଢାଇଛି । ତାଜା ଖବର ଅନୁଯାୟୀ, ୬ଷ୍ଠ କରୋନା ରୋଗୀ ଚିହ୍ନଟ ପରେ ବିପଦ ଘନେଇ ଆସୁଛି । କଟକରେ ୬ଷ୍ଠ କରୋନା ରୋଗୀ ଚିହ୍ନଟ ପରେ ମୁଖ୍ୟ ଶାସନ ସଚିବଙ୍କ ସୂଚନା ଯେ ଭୁବନେଶ୍ଵର, ଭଦ୍ରକ ସମେତ କଟକରେ ବି ଲାଗୁ ହେବ ୪୮ ଘଣ୍ଟିଆ ସମ୍ପୁର୍ଣ୍ଣ ଶଟ୍ ଡାଉନ୍ ।
ଦିଆଯାଇଥିବା ସମସ୍ତ ପୁରୁଣା ପାସ୍ ରଦ୍ଦ କରାଯିବ ଏହି ୪୮ ଘଣ୍ଟିଆ ଶଟ୍ ଡାଉନ୍ ସମୟରେ ଏବଂ ଜରୁରୀ ସେବା ପାଇଁ ସ୍ୱତନ୍ତ୍ର ପାସ୍ ମିଳିବ । ଏହାସହିତ ଶଟ୍ ଡାଉନ୍ ବେଳେ ଯିଏ ଘରୁ ବାହାରି ବାହାରେ ବୁଲିବ ପୁଲିସ ତା ଉପରେ ମାମଲା ରୁଜୁ କରିବ, ଜୋରିମାନା ଆଦାୟ କରିବ ଓ ତାକୁ ନେଇ ସେମାନଙ୍କୁ ୧୪ ଦିନ ଯାଏଁ ସଙ୍ଗରୋଧରେ ରଖାଯିବ ବୋଲି ମଧ୍ୟ ସୂଚନା ଦେଇଛନ୍ତି ଅସିତ ତ୍ରିପାଠୀ ।
ଏ ସମ୍ପର୍କରେ ଡିଜିପି ଅଭୟ କହିଛନ୍ତି ଯେ ୪୮ ଘଣ୍ଟିଆ ଶଟ୍ ଡାଉନ୍ ସମୟରେ କେବଳ ଔଷଧ ଦୋକାନକୁ ଛାଡ଼ିଦେଲେ ସମସ୍ତ ଗ୍ରୋସରୀ, ଫଳ ଓ ପନିପରିବା, ମାଛ, ମାଂସ, ଅଣ୍ଡା ଓ କ୍ଷୀର ଦୋକାନ ମଧ୍ୟ ବନ୍ଦ ରହିବ । ତଥାପି କେଉଁ ଔଷଧ ଦୋକାନ ଖୋଲିବ ତାହା ସ୍ଥାନୀୟ ଅଧିକାରୀ ନିଷ୍ପତ୍ତି ନେବେ ।
ଅତି ଜରୁରୀ ନଥିଲେ ହସ୍ପିଟାଲ ନଯିବା ଓ ଅତି ଆବଶ୍ୟକ ହେଲେ ହସ୍ପିଟାଲ ଯିବାକୁ ଆମ୍ବୁଲାନ୍ସର ସଂଖ୍ୟାକୁ ବଢେଇ ଦିଆଯିବ ବୋଲି ଡିଜିପି କହିଛନ୍ତି । ଯଦିଓ ଜାତୀୟ ରାଜପଥରେ ମାଲ ପରିବହନ ସେବା ଅବ୍ୟାହତ ରହିବ, ଏହି ଶଟ୍ ଡାଉନ୍ ଏକ ପ୍ରକାର କର୍ଫ୍ୟୁ ବୋଲି ଡିଜିପି ଅଭୟ କହିଛନ୍ତି ।