ଭୁବନେଶ୍ୱର : ଦିନରାତି ଭଳି ଖୁସି ଓ ସଙ୍କଟ ସମୟ ଆସେ ଆଉ ଯାଏ । କରୋନା ସଂକ୍ରମଣକୁ ନେଇ ଏକଦା ଭୁବନେଶ୍ୱର ରେଡ଼ ଜୋନରେ ପରିଗଣିତ ହେଉଥିଲାବେଳେ ଆଜି କରୋନାମୁକ୍ତ ହେଲା । ଅର୍ଥାତ୍ ଭୁବନେଶ୍ୱରେ ଏବେ ଆଉ କୌଣସି ପଜିଟିଭ ମାମଲା ନାହିଁ । ସମସ୍ତ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି ।
ଚିକିତ୍ସିତ ହେଉଥିବା ୩ ଜଣ କରୋନା ଆକ୍ରାନ୍ତ ଆଜି ଡିସ୍ଚାର୍ଜ ହେବାପରେ ଏବେ ରାଜଧାନୀ ଭୁବନେଶ୍ୱର କରୋନା ମୁକ୍ତ ହୋଇଯାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି । ରାଜ୍ୟରେ ସମୁଦାୟ ୫୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଯେଉଁଥିରେ ସର୍ବାଧିକ ୪୦ ଜଣ ବ୍ୟକ୍ତି ହେଉଛନ୍ତି କେବଳ ଗଞ୍ଜାମ ଜିଲ୍ଲାରୁ ।
ସେହିପରି ଜଗତସିଂହପୁର ଜିଲ୍ଲା ମଧ୍ୟ କରୋନା ମୁକ୍ତ ହୋଇଛି ବୋଲି ସୂଚନା ମିଳିଛି । ଚିକିତ୍ସାଧୀନ ଥିବା ୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇ ଘରକୁ ଫେରିଥିବା ଥିବା ଜଗତସିଂହପୁରର ଜିଲ୍ଲାପାଳ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କ ଭିତରେ ଜଣେ ୭୦ ବର୍ଷ ବୟସ୍କ ବ୍ୟକ୍ତି ମଧ୍ୟ ଅନ୍ତର୍ଭୁକ୍ତ ।