ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ୟାଭିତରେ ୧୫ ଦିନ ବିତିଗଲାଣି । ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ସେ ନେଇ ଏବେ ବି ତଦନ୍ତ ଜାରି ରହିଛି । ଜିଆରପି ପୋଲିସ ଏଯାଏଁ କୌଣସି ସୁରାଗ କିନ୍ତୁ ପାଇ ପାରୁନାହିଁ । ଯଦି ବି ଆଦିତ୍ୟ ଆତ୍ମହତ୍ୟା କରିନାହାନ୍ତି ଓ ତାଙ୍କୁ କେହି ଷଡ଼ଯନ୍ତ୍ର କରି ହତ୍ୟା କରିଛି ତେବେ ବି ପୋଲିସ ଖୋଜି ପାରିନି ଏହା ପଛର ମାଷ୍ଟର ମାଇଣ୍ଡ । କିନ୍ତୁ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଉପରେ ଏବେ ସନ୍ଦେହ ଘନୀଭୂତ ହେଉଛି ।
ସୂଚନା ଅନୁଯାୟୀ ନିଜ ଉପରେ ଲାଗିଥିବା ସମସ୍ତ ସନ୍ଦେହ ଜଣକ ଅଭିଯୋଗକୁ ଖଣ୍ଡନ କରି ବିଦ୍ୟାଶ୍ରୀ ଏସବୁ ମିଛ ଓ ଅପପ୍ରଚାର ବୋଲି ଖୋଲାଖୋଲି ଗଣମାଧ୍ୟମକୁ ଜଣାଇଛନ୍ତି । ବିଦ୍ୟାଶ୍ରୀଙ୍କ କହିବାନୁଯାୟୀ ସେ ଗୋଟିଏ ଖୋଲା ବହି ଓ ତାଙ୍କ ପେଟରେ କିଛି କଥା ରହେନି । ଆମ ଦାମ୍ପତ୍ୟ ଜୀବନରେ ଅସନ୍ତୋଷ ଥିଲା କି ନା ଓ ଆଦିତ୍ୟ ମୋ ଭିତରେ କେବେ ମାନମାଳିନ୍ୟ ଘଟିଥିଲା କି ନା ସେନେଇ ପୋଲିସ ବି ଘର ମାଲିକ, ସାଙ୍ଗସାଥୀ ଓ ପରିବାରକୁ ପଚାରି ସାରିଲେଣି ହେଲେ କୌଣସି ପ୍ରମାଣ ପାଇ ନାହାନ୍ତି ।
ବିଦ୍ୟାଶ୍ରୀଙ୍କ କହିବା କଥା ଯେ ଆଦିତ୍ୟଙ୍କ ବନ୍ଧୁ ବିକାଶ ଓ ପପୁ ଯଦିଓ ତାଙ୍କୁ ଭାଇ ଭଳି ଦେଖୁଥିଲେ ଓ ଅନ୍ତରଙ୍ଗ ଥିଲେ, ମାତ୍ର ବେଶୀ ସମୟ ସେ କାମକୁ ନେଇ କଥା ହୁଅନ୍ତି । ମାତ୍ର ବଲାଙ୍ଗୀରରେ ରହୁଥିବା ତାଙ୍କ କଲେଜ ବେଳର ବନ୍ଧୁ ସହିତ ସେ ପ୍ରତ୍ୟେକ ଦିନ ଭିଡ଼ିଓ କଲ କରି କଥା ହୁଅନ୍ତି । ସେ ବି କହୁଛନ୍ତି ଯେ ଆଦିତ୍ୟଙ୍କୁ ହତ୍ୟା କରାଯାଇଛି । ଏପଟେ ମୋ ନାମରେ ମିଥ୍ୟା ପ୍ରଚାର ହେଉଛି । କାଳେ ଡାଇରୀରେ ଦୁଇ ପୃଷ୍ଠା ମୁଁ ଲେଖିଛି ଯଉଟା ମିଛ ।
ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଆଦିତ୍ୟ ଖୁବ ବିଚଳିତ ହୋଇ ପଡ଼ିଥିଲେ ଓ ସେ କେବେ ବି ଆତ୍ମହତ୍ୟା କରିପାରିବେନି ବୋଲି ଏବେ ବି ଜୋର ଦେଇ ବିଦ୍ୟାଶ୍ରୀ କହୁଛନ୍ତି । ପୁରୁଷୋତ୍ତମ ଏକ୍ସପ୍ରେସର ପାଇଲଟ ମନା କରିଦେଇଛି ସେଦିନ ରାତିରେ ଟ୍ରେନ କାହାକୁ ଧକ୍କା ନେଇନଥିଲା, ଅର୍ଥାତ ଏହା ସମ୍ପୂର୍ଣ୍ଣ ହତ୍ୟାକାଣ୍ଡ । ଏନେଇ CBI ତଦନ୍ତ ହେଉ ବୋଲି ଏବେ ବିଦ୍ୟାଶ୍ରୀ ଦାବି କରିଛନ୍ତି ।