ସଂସ୍କାର : ରାଜ୍ୟ ରାଜଧାନୀରେ ଗାଡି ଚଢୁଛନ୍ତି କି ? ତେବେ ଲଗାନ୍ତୁ ଗାଡିର ଗତିରେ ବ୍ରେକ୍। ନ ହେଲେ ଗଣିବେ ମୋଟା ଅଙ୍କର ତଣ୍ଡ। ଏମିତିକି ହୋଇପାରେ ଲାଇସେନ୍ସ ରଦ୍ଦ। ଏକଥା ଆମେ କହୁନୁ। ଆଜି ରାଜ୍ୟ ରାଜଧାନୀର ଟ୍ରାଫିକ ନିୟମରେ କିଛିଟା ପରିବର୍ତ୍ତନ ହୋଇଛି। ତେବେ ଚାଲନ୍ତୁ ଜାଣିବା କଣ ହୋଇଛି ଟ୍ରାଫିକ ନିୟମରେ ପରିବର୍ତ୍ତନ।
ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିଲେ ସାବଧାନ! ସିଧା ମୋବାଇଲକୁ ଯିବ ଚାଲାଣ। ବଡ଼ କଥା ହେଲା ଘଣ୍ଟା ପ୍ରତି ୫୦ କିମିରୁ ଅଧିକ ବେଗରେ ଗାଡ଼ି ଯାଉଥିଲେ ୭ ହଜାର ଟଙ୍କା ଜରିମାନା ଗଣିବେ ଆପଣ। ଲାଇସେନ୍ସ ମଧ୍ୟ ବାତିଲ ହେବ। ଯଦି ତିନିଥର ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ ବାତିଲ ହୁଏ ତା’ହେଲେ ସବୁଦିନ ପାଇଁ ଆପଣ ଆଉ ଗାଡି ଚଢ଼ିପାରିବେନି। ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଟ୍ରାଫିକ ପୋଲିସ।
ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ଭୁବନେଶ୍ୱରର ୧୩ଟି ସ୍ଥାନରେ କ୍ୟାମେରା ଲଗାଇଥିବା ବେଳେ ଆଇନ ଉଲ୍ଲଂଘନକାରୀ ଆଉ ବର୍ତ୍ତି ପାରିବେନି। ରାଜ୍ୟ ଗଣମାଧ୍ୟମର ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦ୍ରୁତ ଗତି ଓ ମୋବାଇଲ ଫୋନ୍ରେ କଥାବାର୍ତ୍ତା ସମୟରେ ଗାଡ଼ି ଚାଳନା ପାଇଁ ଦୁର୍ଘଟଣା ବଢ଼ୁଛି। ଏହା ଚାଳକଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ତେଣୁ ନିୟମ ଉଲ୍ଲଂଘନକାରୀଙ୍କ ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି। ୧୩ଟି ଛକରେ ଅତ୍ୟାଧୁନିକ ଏଏନପିଆର/ଟିଭିଡିଏସ୍ ସିସିଟିଭି କ୍ୟାମେରା ଖଞ୍ଜା ଯାଇଛି। ସେହି ସବୁ ଛକରେ ଯଦି ଗାଡ଼ିର ବେଗ ୫୦କିମିରୁ ଅଧିକ ହୁଏ, ତା’ହେଲେ ସିସିଟିଭି କ୍ୟାମେରା ଜରିଆରେ ସମ୍ପୃକ୍ତ ଗାଡ଼ି ଚାଳକଙ୍କ ମୋବାଇଲକୁ ଏସଏମ୍ଏସ ଯୋଗେ ଚାଲାଣ ପଠାଯିବ। ଜରିମାନା ବାବଦରେ ୭ ହଜାର ଟଙ୍କା ରଖାଯାଇଛି।
ତେବେ ଯଦି ସମ୍ପୃକ୍ତ ଗାଡ଼ି ଚାଳକ ତାଙ୍କର ଡ୍ରାଇଭିଂ ଲାଇସେନ୍ସ ଦେଖାଇବେ ତେବେ ଜରିମାନା ରାଶି ୨ ହଜାର ଟଙ୍କାକୁ କମାଇ ଦିଆଯିବ। କିନ୍ତୁ ଡ୍ରାଇଭିଂ ଲାଇସେନ୍ସ ୩ ମାସ ପାଇଁ ବାତିଲ କରାଯିବ। ଏଭଳି ତିନିଥର ବାତିଲ ହେଲେ, ଚତୁର୍ଥ ଥର ବେଳକୁ ଡ୍ରାଇଭିଂ ଲାଇସେନ୍ସ ସବୁଦିନ ପାଇଁ ରଦ୍ଦ କରାଯିବ ବୋଲି କୁହାଯାଇଛି। ତେବେ ରାଜ୍ୟ ରାଜଧାନୀରେ କ୍ୟାମେରା ଖଞ୍ଜା ଯାଇଥିବା ଟ୍ରାଫିକ ପୋଷ୍ଟ ଗୁଡିକ ହେଲା ପଟିଆ, ପାଓ୍ୱାର ହାଉସ୍ ଛକ, କଳିଙ୍ଗ ଷ୍ଟାଡିୟମ୍ , କ୍ୟାପିଟାଲ ହସ୍ପିଟାଲ, କିଟ୍ ଛକ, କିଟ୍ କ୍ୟାମ୍ପସ ନମ୍ବର-୩ , ଶିଶୁଭବନ ଛକ, ବାଣୀବିହାରଠାରୁ ଶିଶୁଭବନ ଛକ, କ୍ୟାପିଟାଲ ଛକ, ଶାସ୍ତ୍ରୀନଗର ଛକ, ରାଜମହଲ ଛକ,
ଟ୍ରାଇଡେଣ୍ଟ ହୋଟେଲ ଓ ନାକାଗେଟ୍ ଆଦି। ଆହୁରି କ୍ୟାମେରା ସଂଖ୍ୟା ବଢ଼ାଯିବ ବୋଲି ମଧ୍ୟ ସୂଚନା ରହିଛି।