ପୁଣିଥରେ ଘଟିଛି ଗଣ ବଳାତ୍କାର : ବଳାତ୍କାର କରି ମାଆ ଓ ଶିଶୁକୁ କେନାଲକୁ ଫିଙ୍ଗି ଦେଲେ

ବଳାତ୍କାର ସତେ ଯେମିତି ଏକ ଖେଳରେ ପରିଣତ ହେଲାଣି । ଉତ୍ତର ପ୍ରଦେଶର ହାଥରସ ଘଟଣାର ନିଆଁ ଏଯାଏଁ ଥମିନି ପୁଣି ଖବର ଆସିଛି ବିହାରର ବକ୍ସାର ଜିଲ୍ଲାରୁ । ଜଣେ ଦଲିତ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଛି, ଦୁଷ୍କର୍ମ ପରେ ତାକୁ ମାରିବାକୁ ଚେଷ୍ଟାରେ ଆକ୍ରମଣ କରି କେନାଲକୁ ଫିଙ୍ଗି ଦିଆଯାଇଛି । ତେବେ ଲୋମଟାଙ୍କୁରା କଥା ଏହିକି ଯେ ମହିଳା ଜଣକ ସାଙ୍ଗରେ ଥିଲେ ୫ ବର୍ଷର ଶିଶୁ । ତାକୁ ମଧ୍ୟ ମହିଳାଙ୍କ ସହିତ କେନାଲକୁ ଫୋଫାଡ଼ି ଦିଆଯାଇଛି ।

କେନାଲ ଭର୍ତ୍ତି ପାଣିରେ ବୁଡ଼ିଯିବାରୁ ୫ ବର୍ଷର ଶିଶୁର ମୃତ୍ୟୁ ଘଟିଥିବାବେଳେ ମହିଳା ଜଣଙ୍କୁ ଗୁରୁତର ଭାବରେ ଚିକିତ୍ସା ପାଇଁ ପାଟନାଠାରୁ ୧୩୫ କିଲୋମିଟର ଦୂରରେ ଥିବା ଜିଲ୍ଲାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଅଧିକାରୀଙ୍କ କହିବାନୁଯାୟୀ ଏହି ଘଟଣାରେ ସମ୍ପୃକ୍ତ ଥିବା ୭ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରାଯାଇଛି । ତେବେ ୭ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ କେବଳ ଦୁଇ ଜଣଙ୍କୁ ଚିହ୍ନଟ କରାଯାଇଛି ।

ରିପୋର୍ଟ ଅନୁସାରେ ମହିଳାଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି । ଗୋଟିଏ FIR ଦାଖଲ ହୋଇଥିଲାବେଳେ ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତ ଗିରଫ ହୋଇଛି । ଏହାସହିତ ଶିଶୁର ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ବୋଲି ପୋଲିସ ଅଧିକାରୀ କେ.କେ ସିଂ ସୂଚନା ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ଏହି ମାମଲାରେ ଅନ୍ୟାନ୍ୟ ବିବରଣୀ ଖୁବ ଶୀଘ୍ର ମିଳିବ । ତେବେ ସୂଚନା ଥାଉ ଯେ ଗତ ମାସରେ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଭାରତରେ ଗତବର୍ଷ ଅର୍ଥାତ ୨୦୧୯ରେ ପ୍ରତିଦିନ ହାରାହାରି ୮୭ ଟି ବଳାତ୍କାର ମାମଲା ସାମ୍ନାକୁ ଆସିଛି । ଏହାବ୍ୟତୀତ ମହିଳାଙ୍କୁ ନେଇ ଅପରାଧିକ ମାମଲା ସଂଖ୍ୟା ୪୦୫୮୬୧ ଯାହା ୨୦୧୮ ତୁଳନାରେ ୭ ପ୍ରତିଶତ ଅଧିକ ।

Leave a Reply

Your email address will not be published. Required fields are marked *