୧୦ ବର୍ଷରେ ୯ ଶହ ବୀମା ପଲିସି ବିକିଛନ୍ତି ବିରଞ୍ଚି , ପତ୍ନୀଙ୍କ ନାମରେ ରହିଛି ବିରଞ୍ଚିଙ୍କ ବୀମା ବ୍ୟବସାୟ

ସଂସ୍କାର : ଭିଜିଲାନ୍ସ ଜାଲରେ ରହିଛନ୍ତି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ସାହୁ। ତେବେ କୋଟିପତି ବ୍ୟକ୍ତିଗତ ସଚିବଙ୍କ କଳାଧନର ତାଲିକା ଦିନକୁ ଦିନ ବଢ଼ିବାରେ ଲାଗିଛି। ତେବେ ଗତ ଜୁଲାଇ ୩୦ ତାରିଖ ଦିନ ଭିଜିଲାନ୍ସ ବିରଞ୍ଚିଙ୍କ ଘରେ ଚଢାଉ କରିବା ବେଳେ, ଟଙ୍କା ସହିତ ଅନେକ କାଗଜପତ୍ର ଭିଜିଲାନ୍ସ ହାତରେ ଲାଗିଥିଲା। କିନ୍ତୁ ସବୁଠୁ ଚର୍ଚ୍ଚାରେ ଅଛି ବିରଞ୍ଚିଙ୍କ ବୀମା ବ୍ୟବସାୟ। କାରଣ ସେ ଏହି ବୀମା ବ୍ୟବସାୟରୁ କୋଟି କୋଟି ଟଙ୍କା ଆଦାୟ କରୁଥିଲେ ବୋଲି ଚର୍ଚ୍ଚା ହେଉଛି। ଆଉ ସେ ଏହି ବୀମା ବ୍ୟବସାୟ ତାଙ୍କ ପତ୍ନୀଙ୍କ ନାମରେ କରିଛନ୍ତି। ଯାହାକି ଭିଜିଲାନ୍ସ ହାତରେ ପ୍ରମାଣ ଲାଗିଥିବା କାଗଜପତ୍ର କହୁଛି।

ବିରଞ୍ଚି ଚାକିରୀ କରିବା ସହିତ ଗତ ୧୦ ବର୍ଷ ମଧ୍ୟରେ ୯ ଶହଟି ପଲିସି ବୀମା ବିକିଛନ୍ତି। ତେବେ ଏହି ବୀମା ବ୍ୟବସାୟରେ ମୋଟ ଉପରେ ବିରଞ୍ଚିଙ୍କୁ କେତେ ଟଙ୍କା ମିଳିଛି ଆଉ ସେ ଏହି ଲାଭ ଟଙ୍କାର ରିଟର୍ଣ୍ଣ ଫାଇଲ କରିଛନ୍ତି କି ନାହିଁ ତାହାର ତଦନ୍ତ ଆୟକର ବିଭାଗ କରିବ ବୋଲି ଭିଜିଲାନ୍ସ ଏସ୍ପି ସୂଚନା ଦେଇଛନ୍ତି।

ତେବେ ଗତ ଜୁଲାଇ ୩୦ ତାରିଖ ଦିନ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ସାହୁଙ୍କ ଘରେ ଚଢ଼ାଉ କରିଥିଲା। ଆଉ ଏହି ଚଢ଼ାଉରେ ଭିଜିଲାନ୍ସ ୩ କୋଟି ୮୦ ଲକ୍ଷର ସମ୍ପତ୍ତି ଠାବ କରିଛି। ବିରଞ୍ଚିଙ୍କ ଘରୁ ଚଢ଼ାଉ ସମୟରେ ନଗଦ ୨୫ ଲକ୍ଷ ଟଙ୍କା ମିଳିଥିଲା। ଏହା ସହ ଦେଢ଼ କେଜି ସୁନା ଗହଣା ମିଳିଥିଲା।

Leave a Reply

Your email address will not be published. Required fields are marked *