ଶିଶୁଟି ଝିଅ ନା ପୁଅ ୬ ବର୍ଷ ଯାଏଁ ପରିବାର ଲୋକେ ଦ୍ଵନ୍ଦ୍ଵରେ : କଟକ SCB ହସ୍ପିଟାଲରୁ ସାମ୍ନାକୁ ଆସିଛି ଏମିତି ଏକ ବିରଳ ବିସ୍ମୟ

ଶିଶୁଟିକୁ ୬ ବର୍ଷ ହେଲାଣି ହେଲେ ପରିବାର ଲୋକେ ଏବେ ବି ଦ୍ଵନ୍ଦ୍ଵରେ ଯେ ସେ ପୁଅ ନା ଝିଅ । ଏମିତି ଏକ ବିସ୍ମୟ ବିରଳ ଖବର ଆସିଛି ପୁରୀ ଜିଲ୍ଲା କାକଟପୁର ଅଞ୍ଚଳରୁ । ଶିଶୁଟିର ଯୌନାଙ୍ଗ ସ୍ଥାନରେ ରହିଛି ଉଭୟ ପୁରୁଷ ଓ ମହିଳାଙ୍କ ଯୌନାଙ୍ଗ, ଯାହା ପ୍ରାକୃତିକ ଭାବେ ଜନ୍ମରୁ ସୃଷ୍ଟି ହୋଇଛି ।

ସୂଚନା ଅନୁଯାୟୀ ଜନ୍ମ ପରେ ସେତେଟା ଅସୁବିଧାର ସମ୍ମୁଖୀନ ହୋଇ ନଥିଲେ ଶିଶୁଟିର ପିତାମାତା । ବୟସ ବଢ଼ିବା ସହିତ କିନ୍ତୁ ବଢିଚାଲିଛି ଉଭୟ ଯୌନାଙ୍ଗ । ପ୍ରଥମେ ପୁଅ ବୋଲି ଭାବୁଥିବାବେଳେ ଏବେ ସେ ଝିଅ କି ପୁଅ ଦ୍ଵନ୍ଦ୍ଵ ଉପୁଯାଉଛି । କାରଣ ଶିଶୁଟିର ଯୌନାଙ୍ଗ ସ୍ଥଳୀରେ ଅସ୍ୱାଭାବିକ ପରିବର୍ତ୍ତନ ଘଟିଛି । ଶେଷରେ ପରିବାର ଲୋକେ ଶିଶୁ ନେଇ ରାଷ୍ଟ୍ରୀୟ ବାଲ୍‌ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନରେ SCB କୁ ଆସିଛନ୍ତି । ଅଲ୍‌ଟ୍ରାସାଉଣ୍ଡ ପରେ ଜଣାପଡ଼ିଛି ଯେ ଶିଶୁଟିର ଗର୍ଭାଶୟ ନାହିଁ । ଅର୍ଥାତ୍‌ ପୂର୍ଣ୍ଣ ରୂପେ ସେ ମହିଳା ନୁହେଁ ।

ଅପରପକ୍ଷରେ ପରିବାର ଲୋକେ ଶିଶୁଟିକୁ ପୁରୁଷ କରିବାକୁ ଚାହୁଁଥିବାରୁ ଯୌନାଙ୍ଗ ସ୍ଥଳୀରେ ଅପରେସନ କରାଯିବ ବୋଲି ଯୋଜନା ହୋଇଛି । ମହିଳା ଯୌନାଙ୍ଗକୁ ବନ୍ଦ କରାଯିବ ବୋଲି ରାଷ୍ଟ୍ରୀୟ ବାଲ୍‌ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ପରିଚାଳକ ସତ୍ୟନାରାୟଣ ତ୍ରିପାଠୀ କହିଛନ୍ତି । ଏହାସହିତ ପ୍ଲାଷ୍ଟିକ ସ‌ର୍ଜରୀ ବିଭାଗର ପ୍ରଫେସର ଡାକ୍ତର ବିଭୂତି ଭୂଷଣ ନାୟକଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଟିମ୍‌ ଗଠନ କରାଯିବାର ବ୍ୟବସ୍ଥା ମଧ୍ୟ ହୋଇଥିବାବେଳେ ଡିସେମ୍ବର ଶେଷ ସପ୍ତାହ କିମ୍ବା ଆସନ୍ତାବର୍ଷ ଜାନୁୟାରୀ ମାସ ପ୍ରଥମ ସପ୍ତାହରେ ଏହି ବିରଳ ଅସ୍ତ୍ରୋପଚାର ହେବ ।

ତେବେ ଡାକ୍ତର ନାୟକଙ୍କ କହିବାନୁସାରେ ଶିଶୁଟି ହରମାଫେରୋଡାଇଟ୍‌ ରୋଗରେ ପୀଡ଼ିତ । ଏଥିରେ ଜଣଙ୍କଠାରେ ଉଭୟ ପୁରୁଷ ଓ ମହିଳାଙ୍କ ଯୌନାଙ୍ଗ ରହିଥାଏ । ଶିଶୁର ଜେନେଟିକ ଅନୁଧ୍ୟାନ ପରେ ତାର ମାନସିକତାକୁ ମଧ୍ୟ ଅନୁଶୀଳନ କରାଯାଏ । ଯଦି ସେ ପୁରୁଷ ହେବାକୁ ଚାହେଁ ତା ଯୌନାଙ୍ଗର ବିକାଶ କରାଯିବା ସହିତ ହରମୋନ୍‌ ଆଦି ଦିଆଯାଇ ପୁରୁଷ କରାଯାଇଥାଏ । ଯଦି ମହିଳା ହେବାକୁ ଚାହୁଁଥାଏ, ତେବେ ବି ଯୌନାଙ୍ଗକୁ ଠିକ୍‌ କରାଯାଇ ମହିଳା କରାଯାଇଥାଏ । ଚିକିତ୍ସା ପରେ ଏହି ରୋଗ ଠିକ୍‌ ହୋଇଯିବ ବୋଲି ଡାକ୍ତର ନାୟକ ଦୃଢୋକ୍ତି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *