ସଂସ୍କାର : 2024 ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ଜୋରଦାର ପ୍ରସ୍ତୁତି। ଗୁରୁବାର ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପି ରାଜଧାନୀ ଭୁବନେଶ୍ବରରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ବରମୁଣ୍ଡା ପଡିଆରେ ବିଜେଡି ଛାତ୍ର, ଯୁବ ଓ ମହିଳା ସମାବେଶ ଆୟୋଜନ କରିଥିବା ବେଳେ, ଜନତା ମଇଦାନରେ ବିଜେପି ଆୟୋଜନ କରିଛି ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମାବେଶ।
ବିଜେପିର ସମାବେଶରେ ଦଳର ରାଷ୍ଟ୍ରୀୟ ସଭାପତି ଜେ. ପି. ନଡ୍ଡା ଯୋଗଦେଇଛନ୍ତି। ସେହିପରି ବିଜେଡି ଆସନ୍ତା ଅକ୍ଟୋବର 2 ତାରିଖରୁ ଆରମ୍ଭ କରିବାକୁ ଯାଉଥିବା ଜନସଂପର୍କ ପଦଯାତ୍ରାରେ ଛାତ୍ର, ଯୁବ, ମହିଳାଙ୍କୁ ଉତ୍ସାହିତ କରିବା ପାଇଁ ଦଳର ବରିଷ୍ଠ ନେତା, ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ମନ୍ତ୍ର ପ୍ରଦାନ କରିବେ ।
ଦୁଇ ଦଳର ରାଜନୈତିକ କାର୍ଯ୍ୟକ୍ରମକୁ ନେଇ ଗୁରୁବାର ରାଜଧାନୀ ଭୁବନେଶ୍ବରରେ ପରିବେଶ ସରଗରମ ହୋଇଯାଇଥିଲା।
ରାଜ୍ୟରେ ବିଜେଡି ଏକ ନମ୍ବର ଦଳ ଭାବେ ସ୍ଥିତି ବଜାୟ ରଖିଥିବା ବେଳେ 2024 ନିର୍ବାଚନରେ ବିଜେଡି ଠାରୁ କ୍ଷମତା ଛଡାଇ ନେବା ପାଇଁ ବିଜେପି ପ୍ରସ୍ତୁତି ଆରମ୍ଭ କରିଛି । ଏହା ମଧ୍ୟରେ ବିଜେଡିର ଭୋଟହାର ବୃଦ୍ଧି ହୋଇଥିବାରୁ ଦଳୀୟ ନେତାଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।
ନିର୍ବାଚନ ପାଇଁ ଏବେଠାରୁ ରଣନୀତି ନିର୍ଦ୍ଧାରଣ କରି ଯୋଜନାବଦ୍ଧ ଭାବେ ନିର୍ବାଚନ ଲଢିବା ପାଇଁ ବିଜେପି କୌଶଳ ସ୍ଥିର କରିବାକୁ ଯାଉଛି ।
ଅନ୍ୟପକ୍ଷରେ ବିଜେଡି ଆସନ୍ତା ନିର୍ବାଚନରେ ରାଜ୍ୟକୁ ବିରୋଧୀ ମୁକ୍ତ କରି ଶତ ପ୍ରତିଶତ ଆସନ ଦଖଲ କରିବାକୁ ଯୋଜନା ତିଆରି କରିଛି। ତେବେ 2024 ନିର୍ବାଚନ ଲଢେଇରେ କିଏ ଜିତିବ , ତାହା ନିର୍ବାଚନର ରେଜଲ୍ଟ ହିଁ ସ୍ଥିର କରିବ ।