ବର୍ତ୍ତମାନ ସୋସିଆଲ ମିଡ଼ିଆ ସାଜିଛି ଉତ୍ତମ ଓ ବ୍ୟାପକ ମାଧ୍ୟମ ଯେଉଁଠି ନେତା, ଅଭିନେତା ତଥା ସମାଜର ପ୍ରଭାବଶାଳୀ ବ୍ୟକ୍ତିମାନେ ମନ ଇଚ୍ଛା ମତାମତ ଓ ପ୍ରତିକ୍ରିୟା ରଖୁଛନ୍ତି । ଫଳରେ ଅନେକ ସମୟରେ ନିଜ ମନ୍ତବ୍ୟ ପାଇଁ ସେମାନଙ୍କୁ ସମାଲୋଚନା ବା ଟ୍ରୋଲ ହେବାକୁ ପଡୁଛି । ନିକଟରେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ସେହିପରି ଏକ ଟ୍ରୋଲର ଶିକାର ହେଇଛନ୍ତି ।
ସୂଚନା ଅନୁଯାୟୀ ଜୁଲାଇ ୩ ତାରିଖ ରାତି ଅଧରେ ବିଜେଡ଼ି ସାଂସଦ ଅନୁଭବ ମହାନ୍ତି ଏକ ଟ୍ୱିଟ୍ କରିଛନ୍ତି ଯେଉଁଥିରେ ଶତାଧିକ ଫ୍ୟାନ୍ ଏବଂ ଫଲୋଅର୍ସ ଲାଇକ୍ ଓ କମେଣ୍ଟ କରିଛନ୍ତି । କିନ୍ତୁ ଏ ଟ୍ୱିଟ୍ ଯୋଗୁ ସାଂସଦଙ୍କୁ ଅପଦସ୍ତ ହେବାକୁ ବି ପଡ଼ିଛି, କାରଣ ଲୋକେ ମନଇଚ୍ଛା ତାଙ୍କୁ ଟ୍ରୋଲ୍ କରିବାରେ ଲାଗିଛନ୍ତି ।
ବିଜେଡ଼ି ସାଂସଦ ଅନୁଭବ ମହାନ୍ତି ଜଣେ ଲୋକପ୍ରିୟ ଅଭିନେତା ମଧ୍ୟ । ଅଭିନେତା ଓ ନେତା ଉଭୟଙ୍କ ଜୀବନଶୈଳୀ ଭିନ୍ନ । ତେଣୁ ଜଣେ ସାଂସଦ ହେଇ ଅଧରାତିରେ ଏଭଳି ଟ୍ୱିଟକୁ ଜନସାଧାରଣ ସହଜେ ଗ୍ରହଣ କରିପାରୁ ନାହାନ୍ତି । ସେ ଟ୍ୱିଟ ପୁଣି ବଲିଉଡ଼ ଅଭିନେତା ସଲମାନ ଖାନଙ୍କୁ ପ୍ରେମ ନିବେଦନ ।
ନିଜ ଟ୍ୱିଟରେ ସଲମାନ ଖାନଙ୍କୁ ଟ୍ୟାଗ୍ କରି ଅନୁଭବ ଲେଖିଛନ୍ତି ଯେ “ସାର୍ / ଭାଇଜାନ୍ ! ମୁଁ କ’ଣ ଆପଣଙ୍କଠାରୁ ଗୋଟିଏ ବି ଲାଇକ ପାଇବାକୁ ଯୋଗ୍ୟ ନୁହେଁ ? ଦୟାକର । ଆପଣଙ୍କୁ ଭଲପାଏ ଭାଇଜାନ୍ । ଯଦିଓ ଆପଣ ମୋତେ କେବେ ପସନ୍ଦ କରନ୍ତି ନାହଁ ।”
ପ୍ରତିକ୍ରିୟା ରଖିବାକୁ ଯାଇ ସୁଧାଂଶୁ ଶେଖର ନାମକ ଜଣେ ୟୁଜର ଲେଖିଛନ୍ତି, “ଅନୁଭବ ମହାନ୍ତି ମୁଁ ଆପଣଙ୍କ ନିର୍ବାଚନମଣ୍ଡଳୀ କେନ୍ଦ୍ରାପଡ଼ାର ଜଣେ ନାଗରିକ ହୋଇଥିବାରୁ ଆଜି ଦୁଃଖିତ । ଏହା ଅତ୍ୟନ୍ତ ଲଜ୍ଜାଜନକ ଯେ ଜଣେ ଲୋକସଭା ସାଂସଦ ହୋଇ ଅପରାଧୀକ ମାମଲାରେ ଜଡ଼ିତ ଥିବା ଜଣେ ଲୋକକୁ ଲାଇକ୍ ମାଗୁଛନ୍ତି ! ଯାହାର ଲିଙ୍କ୍ ଦାଉଦ୍, ୟାକୁବ୍ ମେନନ୍ ସହ ରହିଛି ! ତୁମକୁ ଲଜ୍ଜା ଲାଗିବା କଥା..ଛି ..ଛି ।”
ଅନୁଭବଙ୍କ ଟ୍ଵିଟରେ କ୍ଷୁବ୍ଧ ହୋଇ ରାଜେନ୍ଦ୍ର ହଜାରିଆ ନିଜର ପ୍ରତିକ୍ରିୟା ରଖିଛନ୍ତି, “କାମ, ଧନ୍ଦା ନାହିଁ କି… ଲାଇକ୍ ପାଇଁ ସଲମାନଙ୍କୁ ଅନୁରୋଧ କରୁଛନ୍ତି… ଗୋଟେ ଟ୍ୱିଟ୍ କରୁନାହାନ୍ତି ଓଡ଼ିଶାର ରୋଜଗାର ପାଇଁ, କେନ୍ଦ୍ରାପଡ଼ାର ଉନ୍ନତି ପାଇଁ.. ଧନ୍ୟ ନବୀନ ବାବୁ ଆପଣଙ୍କ ଚୟନ ।” ଏମିତି ଲେଖି ରାଜେନ୍ଦ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ୟାଗ୍ ମଧ୍ୟ କରିଛନ୍ତି ।”