ମନ୍ତ୍ରୀ ପୁଅ ପିଲାଙ୍କ ଉପରକୁ ଫୁଟାଇଲା ଗୁଳି, ପିଲେ ଭୟଭୀତ

ସଂସ୍କାର : ମନ୍ତ୍ରୀଙ୍କ କ୍ଷେତରେ ଖେଳିବା ମହଙ୍ଗା ପଡିଲା ପିଲାଙ୍କୁ। ନିଜ କ୍ଷେତରେ ପିଲାମାନେ ଖେଳୁଥିବାର ଦେଖି ରାଗିଗଲେ ମନ୍ତ୍ରୀଙ୍କର ପୁଅ। ଆଉ ରାଗିଯାଇ ପିଲାଙ୍କ ଉପରକୁ ଗୁଳିଚାଳନ କରିଦେଲେ ମନ୍ତ୍ରୀ ମହାଶୟଙ୍କର ପୁଅ। ଏପରି ଏକ ସମ୍ବେଦନଶୀଳ ଘଟଣା ଘଟିଛି ବିହାର ରାଜ୍ୟରେ।

ବିହାରର ପର୍ଯ୍ୟଟନ ମନ୍ତ୍ରୀ ନାରାୟଣ ପ୍ରସାଦଙ୍କ ପୁଅ ତାଙ୍କ କ୍ଷେତରେ କ୍ରିକେଟ ଖେଳୁଥିବା ପିଲାମାନଙ୍କୁ ଘଉଡାଇବା ପାଇଁ ଫାଙ୍କା ଗୁଳିଚାଳନା କରିବା ଘଟଣା ବର୍ତ୍ତମାନ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି।

ତେବେ ପୁଅର ଭୁଲକୁ ଘଉଡାଇବା ପାଇଁ ଶ୍ରୀ ପ୍ରସାଦ ଅଭିଯୋଗ କରିଛନ୍ତି, ସ୍ଥାନୀୟ ଜନସାଧାରଣ ତାଙ୍କ ଜମିକୁ ଜବର ଦଖଲ କରୁଛନ୍ତି। ତେବେ ରବିବାର ଦିନ ବିହାରର ପଶ୍ଚିମ ଚମ୍ପାରନ ଜିଲାର ହରଦିଆ ଗ୍ରାମରେ ଏହି ଘଟଣା ଘଟିଛି।

ସୁଚନାଅନୁଯାୟୀ, ମନ୍ତ୍ରୀଙ୍କ କ୍ଷେତରେ ଖେଳୁଥିବା ପିଲାଙ୍କୁ ସେଠାରୁ ଚାଲିଯିବାକୁ ତାଙ୍କ ପୁଅ ବବଲୁ ପ୍ରସାଦ କହିଥିଲେ। ଏପରିକି ସେ କିଛି ସ୍ଥାନୀୟ ଲୋକଙ୍କୁ ମାଡ ମାରିଥିବା ମଧ୍ୟ କୁହାଯାଉଛି। ତାହାପରେ ସେ ନିଜର ପିସ୍ତଲ କାଢି ଫାଙ୍କା ଗୁଳିଚାଳନା କରିଥିଲେ। ଏଥିରେ କେତେକ ସ୍ଥାନୀୟ ଲୋକ ଆହତ ହୋଇଥିବା କୁହାଯାଉଛି। ଏପରିକି ଅନେକ ପିଲାମାନେ ଭୟଭୀତ ହୋଇଯାଇଥିବା ଶୁଣିବାକୁ ମିଳିଛି।

କିନ୍ତୁ ଯେତେବେଳେ ଗ୍ରାମବାସୀ ଏହି ଘଟଣା ଜାଣିଲେ, ତାହା ପରେ ସେମାନେ ମନ୍ତ୍ରୀଙ୍କ ବାସଭବନରେ ପହଞ୍ଚି ତାଙ୍କ ଗାଡି ଭଙ୍ଗାରୁଜା କରିବା ସହିତ ପୁଅ ବବଲୁଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି। ପୁଲିସ ସେଠାରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାଇ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ମନ୍ତ୍ରୀ ଶ୍ରୀ ପ୍ରସାଦ କହିଛନ୍ତି ଯେ ସ୍ଥାନୀୟ ଗ୍ରାମବାସୀ ତାଙ୍କ ଜମି ଜବରଦଖଲ କରୁଥିବାବେଳେ ଏହାକୁ ବିରୋଧ କରିବାରୁ ସେମାନେ ତାଙ୍କ ସାନଭାଇଙ୍କୁ ମାଡ ମାରିଥିଲେ। ଏହା ପରେ ତାଙ୍କ ପରିବାରର ଅନ୍ୟ କେତେକ ସଦସ୍ୟଙ୍କୁ ମଧ୍ୟ ଗ୍ରାମବାସୀ ମାଡ ମାରିଥିବା ମନ୍ତ୍ରୀ ଅଭିଯୋଗ କରିଛନ୍ତି।

ଏହା ଜାଣିବା ପରେ ତାଙ୍କ ପୁଅ ବବଲୁ ନିଜର ପଞ୍ଜିକୃତ ପିସ୍ତଲ ସହିତ ସେଠାରେ ପହଞ୍ଚିଥିଲା। ତା’ ଉପରକୁ ମଧ୍ୟ ଗ୍ରାମବାସୀ ଢେଲାପଥର ମାଡ କରିଥିଲେ। ଏପରିକି ସେମାନେ ତାଙ୍କ ଗାଡି ମଟର ଭଙ୍ଗାରୁଜା କରିଛନ୍ତି। ଏହି ଘଟଣାକୁ ନେଇ ବିରୋଧୀ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ସମାଲୋଚନା କରିଛି।

Leave a Reply

Your email address will not be published. Required fields are marked *