ଗ୍ରେଟର ନୋଏଡାର ବିସରାଖରେ ରହୁଥିବା ଜଣକ ଘରୁ ରବିବାର ଦିନ ରାତିରେ ତାଙ୍କ ୨୪ ବର୍ଷ ବୟସ୍କା ଗର୍ଭବତୀ ବୋହୂ ନିଖୋଜ ହୋଇଯାଇଥିଲେ ଯାହାଙ୍କ ମୃତଦେହ ମୃତଦେହ ମଙ୍ଗଳବାର ରାତିରେ ଗାଜିଆବାଦର ଇନ୍ଦିରାପୁରମରେ ମିଳିଛି । ଆଚମ୍ବିତ କଲା ଭଳି କଥା ହେଉଛି ମୃତଦେହଟି ଏକ ସୁଟକେସ ଭିତରେ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି ।
ପୁରୁଣା କଳୁଷିତ ପ୍ରଥା କିଛି ଏବେ ବି ତାର ପତିଆରା ମେଲାଇ ସମାଜରେ ରାଜୁତି କରୁଛି ଯାହାର ପ୍ରମାଣ ଏ ଘଟଣା । ଯୌତୁକ ପ୍ରଥା ଯେ କେତେ ନିରୀହଙ୍କ ଜୀବନ ନେଲାଣି ତାହାର ହିସାବ ନାହିଁ । ମଣିଷର ଆଧୁନିକତା ତାକୁ ଯୌତୁକ ଲୋଭରୁ ନିବୃତ୍ତ କରିପାରୁନି । ଆଉ ଲୋଭ ଶେଷରେ ତାକୁ ଅମାନବୀୟ ଲୋମଟାଙ୍କୁରା କାଣ୍ଡ ଭିଆଇବାରେ ଖୋରାକ ଯୋଗାଉଛି । ଏଭଳି ନାରକୀୟ କାଣ୍ଡ ଘଟିଛି ଗାଜିଆବାଦରେ । ଯୌତୁକ ଟଙ୍କା ପାଇଁ ଗର୍ଭବତୀ ଅବସ୍ଥାରେ ଥିବା ବୋହୂଙ୍କୁ ମାରି ଦେଇଛନ୍ତି ଶାଶୁଘର ଲୋକେ ।
ସୂଚନା ଅନୁଯାୟୀ ମୃତ ମହିଳା ମାଳା ନଭେମ୍ବର ୨୦୧୭ ରେ ଶିବମଙ୍କୁ ପ୍ରେମ ବିବାହ କରିଥିଲେ । ଦୁହେଁ ଫେସବୁକ୍ ମାଧ୍ୟମରେ ଉଭୟଙ୍କୁ ସାକ୍ଷାତ କରିଥିଲେ । ଶିବମଙ୍କ ପରିବାର ଲୋକେ ଏ ବିବାହରେ ଅରାଜି ଥିଲେ । DLF ମଲରେ ଏକ ଲୁଗା ଶୋ’ରୁମରେ ଶିବମ ସେଲସମ୍ୟାନ୍ ଭାବେ କାମ କରୁଥିବାବେଳେ ଶିବମଙ୍କ ପରିବାରର ବିନା ଅନୁମତିରେ ମାଳା ତାଙ୍କୁ ବାହା ହେଇଥିଲେ । ମାତ୍ର ବିବାହର କେଇଟା ମାସ ପରେ ଫିକା ପଡ଼ିଥିଲା ଶିବମଙ୍କ ପ୍ରେମ । ମାଳାଙ୍କୁ ସହିବାକୁ ପଡ଼ିଥିଲା ପ୍ରତିଦିନ ଶାଶୁଘର ଲୋକଙ୍କ ନିର୍ଯାତନା । ପେଟର ୫ ମାସର ଗର୍ଭକୁ ଧରିଥିଲାବେଳେ ମାଳା ପ୍ରତି ଅତ୍ୟାଚାର ବଢିଗଲା ।
ଶେଷରେ ବିବାହରେ ବାପଘରୁ ଉପହାରରେ ଆଣିଥିବା ସୁଟକେଶରେ ମାଳାଙ୍କୁ ମାରି ମୋଡ଼ାମୋଡ଼ି କରି ପୁରାଇଲା ସ୍ୱାମୀ ଶିବମ । ଏହାପରେ ସୁଟକେଶକୁ ରାଜରାସ୍ତା NH-୨୪ ଇନ୍ଦ୍ରପୁରମରେ ଛାଡ଼ି ପୋଲିସରେ ଦେଲା ନିଖୋଜ ଏତଲା । ତେବେ ଗାଜିଆବାଦର ଡେପୁଟି ପୋଲିସ ଅଧୀକ୍ଷକ କହିଛନ୍ତି ଯେ ସୂଚନା ପାଇ ଇନ୍ଦିରାପୁର କାନୱାନିରେ ଥିବା ଏକ ଡ୍ରେନ୍ରେ ଜଣେ ମହିଳାଙ୍କ ମୃତଦେହ ଭର୍ତ୍ତି ସୁଟକେସ ଜବତ କରାଗଲା ଓ ଦେଖିଲାବେଳକୁ ମୃତ ମହିଳାଙ୍କ ହାତ, ଗୋଡ଼ ବନ୍ଧା ହୋଇଛି । ମୃତଦେହକୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ବିସରାକ ଥାନାର ଷ୍ଟେସନ ହାଉସ ଅଧିକାରୀ ଅଖିଳେଶ ତ୍ରିପାଠୀଙ୍କ କହିବାନୁଯାୟୀ ମାଳାଙ୍କ ସ୍ୱାମୀ, ତାଙ୍କ ଦୁଇ ଭାଇ ଏବଂ ତାଙ୍କ ପିତାମାତାଙ୍କ ବିରୋଧରେ ଭାରତୀୟ ଦଣ୍ଡ ବିଧାନ ଧାରା ୩୦୪ ବି (ଯୌତୁକ ମୃତ୍ୟୁ) ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି । ସେ ପାଞ୍ଚ ଜଣଯାକ ଫେରାର ଅଛନ୍ତି ତେଣୁ ତାଙ୍କୁ ଧରିବାକୁ ଏକ ଦଳ ଗଠନ କରାଯାଇଛି ।