ଏହି ବଲିଉଡ୍ ଅଭିନେତ୍ରୀ ସମ୍ବଲପୁରୀ ଶାଢୀ ପିନ୍ଧି ସୋସିଆଲ ମିଡ଼ିଆରେ ବୁଣାକାରଙ୍କୁ କଲେ ପ୍ରଶଂସା

ଆଜି ମୁକ୍ତିଲାଭ କରିବ ବଲିଉଡ ଫିଲ୍ମ “ଶକୁନ୍ତଳା ଦେବୀ” । ଫିଲ୍ମର ପ୍ରମୋସନ୍ ଅବସରରେ ଏକ ସ୍ୱତନ୍ତ୍ର ସମ୍ବଲପୁରୀ ଶାଢୀ ପିନ୍ଧି ଅଭିନେତ୍ରୀ ବିଦ୍ୟା ବାଲାନ ଖୁବ ସୁନ୍ଦର ଦିଶୁଛନ୍ତି । ସୋସିଆଲ ମିଡ଼ିଆରେ ଟ୍ଵିଟ୍ କରି ନିଜର ଶାଢୀ ପିନ୍ଧା ଫଟୋ ଦେବା ସହିତ ଏକ ଭିଡ଼ିଓ ମାଧ୍ୟମରେ ସମସ୍ତ ସମ୍ବଲପୁରୀ ବୁଣାକାରମାନଙ୍କୁ ଖୁବ ପ୍ରଶଂସା ମଧ୍ୟ କରୁଥିବା ନଜରକୁ ଆସିଛି ।

ବାରମ୍ବାର ଟ୍ଵିଟ୍ ହେଉଥିବା ଭିଡ଼ିଓରେ ବିଦ୍ୟା କହୁଛନ୍ତି ଯେ ଏହି ଶାଢୀ ତାଙ୍କୁ ବହୁତ ଭଲଲାଗିଥିବାରୁ ଆଜି ଭଳି ଦିନରେ ସେ ଏହାକୁ ପିନ୍ଧିଛନ୍ତି ଓ ଏ ସମ୍ବଲପୁରୀ ଶାଢୀ ପିନ୍ଧି ସେ ଖୁବ ଖୁସି ଅଛନ୍ତି । ଏହାସହିତ ସେ ସବୁ ସମ୍ବଲପୁରୀ ଶାଢୀର ବୁଣାକାରମାନଙ୍କୁ ଶୁଭେଚ୍ଛା ଓ କୃତଜ୍ଞତା ଜଣାଇଛନ୍ତି । “ଶକୁନ୍ତଳା ଦେବୀ” ଫିଲ୍ମ ରିଲିଜ୍ ଦିନ ହିଁ ସେ ଏହି ସମ୍ବଲପୁରୀ ଶାଢୀ ପିନ୍ଧି ପାରିବାର ସୁଯୋଗ ପାଇଥିବାରୁ ଅବ୍ୟକ୍ତ ଖୁସି ବୟାନ କରୁଛନ୍ତି ।  

ତେବେ ସୂଚନା ଅନୁଯାୟୀ ଶାଢୀଟିକୁ ସୋନପୁର କେନ୍ଦୁପାଲିର ରମାକାନ୍ତ ମେହେର ବୁଣିଥିବାବେଳେ ଭୁବନେଶ୍ୱର ଭିତ୍ତିକ ଉତ୍କଳ ମିତ୍ର ସଂସ୍ଥା ଏହାର ବ୍ରାଣ୍ଡିଂ କରିଛି । ମଲବେରୀ ସିଲକ ସୂତାରେ ଏହି ବାନ୍ଧ ଶାଢୀଟି ବୁଣିବା ପାଇଁ ଶ୍ରୀ ମେହେରଙ୍କୁ ମାସେ ସମୟ ଲାଗିଥିଲା । ଏବେ ଏହି “ଶକୁନ୍ତଳା ଦେବୀ” ଫିଲ୍ମ ଜରିଆରେ ସାରା ଦୁନିଆରେ ସମ୍ବଲପୁରୀ ଶାଢୀର ଲୋକପ୍ରିୟତା ଆହୁରି ବଢିବ ବୋଲି ଆଶା ।

ସୂଚନା ଥାଉ କ ଆଜି ରିଲିଜ୍ ହେବାକୁ ଯାଉଛି ବିଦ୍ୟା ବାଲାନଙ୍କ ଫିଲ୍ମ “ଶକୁନ୍ତଳା ଦେବୀ” । ଅନ୍ୟପକ୍ଷରେ ଆସନ୍ତାକାଲି ବିଶ୍ୱବ୍ୟାପୀ ପାଳିତ ହେବାକୁ ଯାଉଛି ସମ୍ବଲପୁରୀ ଦିବସ ।   

Leave a Reply

Your email address will not be published. Required fields are marked *