ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଏହି ବିବୃତ୍ତି ପରେ ବଲିଉଡ଼ ଇଣ୍ଡଷ୍ଟ୍ରିରେ ବଡ଼ ହଙ୍ଗାମା : ମୁମ୍ବାଇ ସମର୍ଥନରେ ସେଲିବ୍ରେଟ୍ସଙ୍କ ଟ୍ଵିଟ୍ ପରେ ଟ୍ଵିଟ୍ …

ଗୋଟିଏ ପଟେ ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲାର ତଦନ୍ତ CBI କରୁଥିବାବେଳେ ଅନ୍ୟପକ୍ଷରେ ଏହାକୁ ନେଇ ବାରମ୍ବାର ବୟାନବାଜି ବି ଚାଲିଛି । ଏହି ପ୍ରସଙ୍ଗରେ ଅଭିନେତ୍ରୀ କଙ୍ଗନା ରାନାୱତ ଅତି ମାତ୍ରାରେ ସ୍ୱର ଉଠାଇଛନ୍ତି । ବଲିଉଡ଼ର ବଡ଼ ବଡ଼ ତାରକାଙ୍କଠାରୁ ଆରମ୍ଭ କରି ଷ୍ଟାର କିଡ୍ସ, ନେପୋଟିଜିମ୍ ଏବଂ ମୁମ୍ବାଇ ମାଫିଆ ଭଳି ପ୍ରସଙ୍ଗ ଉପରେ ବିବୃତ୍ତି ଦେଲା ପରେ କଙ୍ଗନା ଏବଂ  ଶିବସେନା ନେତା ସଞ୍ଜୟ ରାଉତଙ୍କ ଭିତରେ କଥା କଟାକଟି ଆରମ୍ଭ ହେଇଯାଇଛି ।

କଙ୍ଗନା କହିଥିଲେ ଯେ ସେ ବର୍ତ୍ତମାନ ମୁମ୍ବାଇ ପୋଲିସକୁ ଡରୁଛନ୍ତି । ଏହାର ଜବାବରେ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ ଯଦି ମୁମ୍ବାଇରେ କଙ୍ଗନାକୁ ଡର ଲାଗୁଛି ତେବେ ସେ ଆଉ ଫେରିବା ଉଚିତ୍ ନୁହେଁ । ଯେଉଁଥିରେ କଙ୍ଗନାଙ୍କଠାରୁ ଏମିତି ଉତ୍ତର ଆସିଥିଲା ​​ଯେ ବର୍ତ୍ତମାନ ବଲିଉଡ଼ ଇଣ୍ଡଷ୍ଟ୍ରିର କଳାକାରମାନେ ମୁମ୍ବାଇ ସହର ବିଷୟରେ କହିବା ଆରମ୍ଭ କରିଦେଇଛନ୍ତି ।

କଙ୍ଗନା ଟ୍ଵିଟ୍ କରି ଲେଖିଲେ ଯେ ଶିବସେନା ନେତା ସଞ୍ଜୟ ରାଉତ ମୋତେ ଖୋଲାଖୋଲି ଧମକ ଦେଇଛନ୍ତି ଏବଂ କହିଛନ୍ତି ଯେ ମୁଁ ମୁମ୍ବାଇକୁ ନ ଫେରେ । ପ୍ରଥମେ ମୁମ୍ବାଇ ରାସ୍ତାରେ ସ୍ୱାଧୀନତା ସ୍ଲୋଗାନ ଦିଆଗଲା ଏବଂ ଏବେ ଖୋଲା ଧମକ ମିଳୁଛି । ଏ ମୁମ୍ବାଇ ପାକିସ୍ତାନ ଅକ୍ତିଆର କରିଥିବା କାଶ୍ମୀର (ପୋକ୍) ପରି କାହିଁକି ଦିଶୁଚି ?

କଙ୍ଗନାଙ୍କ ଏହି ବିବୃତ୍ତି ଚାରିଆଡେ ଆଲୋଡ଼ନ ସୃଷ୍ଟି କରିଦେଇଛି । ଏଭଳି ପରିସ୍ଥିତିରେ ବଲିଉଡ କଳାକାରମାନେ ଟ୍ୱିଟ୍ କରି ନିଜ ନିଜର କଥା ରଖିଛନ୍ତି । ଅଭିନେତ୍ରୀ ସ୍ୱରା ଭାସ୍କର ଟୁଇଟ୍ କରି ମୁମ୍ବାଇ ପୋଲିସକୁ ସମର୍ଥନ କରିଛନ୍ତି । ସୁଶାନ୍ତ ମାମଲାରେ ପୂର୍ବରୁ କହିଥିବା ସ୍ୱରା ଲେଖିଛନ୍ତି- ଜଣେ ବାହାର ଲୋକ, ସ୍ୱାଧୀନ କାର୍ଯ୍ୟରତ ମହିଳା ଏବଂ ପ୍ରାୟ ଦଶ ବର୍ଷ ଧରି ମୁମ୍ବାଇ ବାସିନ୍ଦା ହୋଇଥିବା ହେତୁ ମୁଁ କେବଳ ଏତିକି କହିବାକୁ ଚାହେଁ ଯେ ବମ୍ବେ ସବୁଠାରୁ ସୁରକ୍ଷିତ ଏବଂ ସହଜ ସହର ଭିତରୁ ଗୋଟିଏ ଯେଉଁଠାରେ ଆମେ କାମ କରିପାରିବା । ମୁମ୍ବାଇକୁ ସୁରକ୍ଷିତ ରଖିବା ପାଇଁ ଏବଂ ନିରନ୍ତର ସୁରକ୍ଷାକୁ ବଜାୟ ରଖିବା ପାଇଁ ଧନ୍ୟବାଦ ମୁମ୍ବାଇ ପୋଲିସ ।

ସ୍ୱରା ଭାସ୍କରଙ୍କ ବ୍ୟତୀତ ରିତେଶ ଦେଶମୁଖ ଏବଂ ସୋନୁ ସୁଦ ମଧ୍ୟ ଟ୍ୱିଟ୍ କରି ମୁମ୍ବାଇ ପ୍ରତି ନିଜର ପ୍ରେମ ବ୍ୟକ୍ତ କରିଛନ୍ତି । ରିତେଶ ଲେଖିଛନ୍ତି – ମୁମ୍ବାଇ ହିନ୍ଦୁସ୍ତାନ ଅଟେ । ସୋନୁ ଲେଖିଛନ୍ତି- ମୁମ୍ବାଇ .. ଏ ସହର ଭାଗ୍ୟ ବଦଳାଇ ଦିଏ । ସାଲ୍ୟୁଟ୍ କରିବ ତ ତୁମକୁ ସାଲ୍ୟୁଟ୍ ମିଳିବ । ଏହାବ୍ୟତୀତ ଟ୍ୱିଟରରେ ଥିବା ସମସ୍ତ ଉପଭୋକ୍ତା ମଧ୍ୟ ମୁମ୍ବାଇ ପ୍ରତି ନିଜର ପ୍ରେମ ବ୍ୟକ୍ତ କରୁଛନ୍ତି ।

ସୂଚନା ଥାଉ ଯେ କଙ୍ଗନା ରାନାୱତ ଆଗରୁ ବି ମୁମ୍ବାଇ ପୋଲିସ କମିଶନର ଏବଂ ମୁମ୍ବାଇ ପୋଲିସର କାର୍ଯ୍ୟକାରିତା ବିଷୟରେ ପ୍ରଶ୍ନ ଉଠାଇଥିଲେ । ଅଭିଯୋଗ ହୋଇଥିଲା ଯେ CP ମୁମ୍ବାଇ ପୋଲିସ ଏଭଳି କିଛି ଟ୍ୱିଟକୁ ପସନ୍ଦ କରିଛି ଯେଉଁଥିରେ କଙ୍ଗନା ବିଷୟରେ ମିଥ୍ୟା ବିବୃତ୍ତି ଦିଆଯାଇଛି । ଏହି ପ୍ରସଙ୍ଗରେ ଟ୍ଵିଟରେ ମୁମ୍ବାଇ ପୋଲିସ ସହିତ କଙ୍ଗନାଙ୍କ ବାକଯୁଦ୍ଧ ମଧ୍ୟ ହୋଇଥିଲା ।

ଏହି ସମୟରେ ସଞ୍ଜୟ ରାଉତଙ୍କ ଏକ ବିବୃତ୍ତି ବାହାରିଛି । ଶିବସେନା ମୁଖପାତ୍ର “ସାମାନା”ରେ ସଞ୍ଜୟ ରାଉତ ଲେଖିଛନ୍ତି ଯେ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଅଭିଯୋଗ ଭୁଲ ଅଟେ । ମୁମ୍ବାଇ ପୋଲିସ ବିରୋଧରେ ଏମିତି ବିବୃତ୍ତି ଦେବା ଉଚିତ୍ ନୁହେଁ ଯେତେବେଳେକି ସେ ନିଜେ ଏହି ସହରରେ ରୁହନ୍ତି ।

Leave a Reply

Your email address will not be published. Required fields are marked *