କରୋନାରେ ଦେଶର ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ଥିଲାବେଳେ ଆଜି ଏଇ ପ୍ରାୟ ଏକ ଘଣ୍ଟା ତଳେ ବଲିଉଡ ଇଣ୍ଡଷ୍ଟ୍ରିର ମହାନାୟକ ଅମିତାଭ ବଚନ ଓ ଜୁନିୟର ବଚନ ଅର୍ଥାତ ଅଭିଷେକ ବଚନ ଦୁହେଁ କରୋନା ଆକ୍ରାନ୍ତ । ଆଜ୍ଞା ହଁ, ସୁପର ଷ୍ଟାର ଅମିତାଭ ବଚନ ସମେତ ଅଭିଷେକ ବଚନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ନିଜେ ଟ୍ଵିଟ କରି ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି ଉଭୟ ବାପ ପୁଅ ।
ସୂଚନା ଅନୁଯାୟୀ ସେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଓ ତାଙ୍କ ପରିବାର ସମେତ ସମସ୍ତ କର୍ମଚାରୀଙ୍କୁ ମଧ୍ୟ କୋଭିଡ଼-୧୯ ଟେଷ୍ଟ କରାଯାଇଛି । ଅନ୍ୟପକ୍ଷରେ ବିଗତ ୧୦ ଦିନ ଭିତରେ ଅମିତାଭଙ୍କ ସହିତ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କୋଭିଡ଼-୧୯ ଟେଷ୍ଟ କରେଇ ନେବା ପାଇଁ ନିଜେ ଅମିତାଭ ଟ୍ଵିଟ ମାଧ୍ୟମରେ ଅନୁରୋଧ କରିଛନ୍ତି ।
ତାଙ୍କ ଟ୍ଵିଟ କରିବାର କିଛି ମିନିଟ ପରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ଵିଟ କରି ଉତ୍ତର ରଖିଛନ୍ତି ଯେ, “ଆସନ୍ତୁ ! ସମସ୍ତେ ମିଳିତ ଭାବରେ ଅମିତାଭ ବଚ୍ଚନ ଜୀଙ୍କ ପାଇଁ ପ୍ରାର୍ଥନା କରିବା, ସେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।“
ଆଉ ଏକ ପ୍ରତିଉତ୍ତର ଟ୍ଵିଟ କରି ରିପବ୍ଲିକ ଟିଭି ଚ୍ୟାନେଲର ଆଙ୍କର ଅର୍ଣ୍ଣବ ଗୋସ୍ଵାମୀ ଲେଖିଛନ୍ତି ଯେ “ଆପଣ ଶୀଘ୍ର ସୁସ୍ଥ ହେବେ । ୧୩୦ କୋଟି ଜନତା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି ।“ କେବଳ ଏତିକି ନୁହେଁ ଶୁଭେଚ୍ଛୁ ତଥା ପ୍ରଶଂସକମାନଙ୍କ ଶୁଭକାମନା ଭରା ବାର୍ତ୍ତାର ସୁଅ ଛୁଟିଛି ଯେଉଁଥିରେ ବଲିଉଡ ଅନେକ କଳାକାର ବି ସାମିଲ ଅଛନ୍ତି ।
ବିଗ ବି’ ଟ୍ଵିଟ କରିବାର ପ୍ରାୟ ଏକ ଘଣ୍ଟା ପରେ ଅଭିଷେକ ମଧ୍ୟ ଟ୍ଵିଟ କରି କହିଛନ୍ତି ଯେ, ସେ ବି କରୋନା ପଜିଟିଭ । ଟ୍ଵିଟରେ ସେ ଲେଖିଛନ୍ତି ଯେ “ଆଜି ମୋ ବାପା ଏବଂ ମୁଁ କୋଭିଡ଼-୧୯ ପଜିଟିଭ ଚିହ୍ନଟ ହେଇଛୁ । ଆମ ଦୁହିଁଙ୍କର ସାମାନ୍ୟ ଲକ୍ଷଣ ଥିବା ସତ୍ତ୍ୱେ ଆମେ ଡାକ୍ତରଖାନାରେ ଭର୍ତ୍ତି ହେଇଯାଇଛୁ । ଆମେ ସମସ୍ତ ଆବଶ୍ୟକ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଛୁ ଏବଂ ଆମର ପରିବାର ଏବଂ କର୍ମଚାରୀମାନଙ୍କର ମଧ୍ୟ କୋଭିଡ଼-୧୯ ଟେଷ୍ଟ ହେଇଛି । ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଶାନ୍ତ ରୁହନ୍ତୁ ଏବଂ ଭୟଭୀତ ହୁଅନ୍ତୁ ନାହିଁ ।“